ଜିଲ୍ଲା ଅପାତକାଳୀନ ଗ୍ରୁପର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ
ବାଲେଶ୍ୱର, (ସରୋଜ ପଣ୍ଡା):ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ନିରଞ୍ଜନ ବେହେରାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଅପାତକାଳୀନ ଗ୍ରୁପର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ସାଇ କୃଷ୍ଣ ଜେନା, ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ଡ଼. ଦୁଲାଲ ସେନ ଜଗଦ୍ଦେବ, କାରଖାନା ଓ ବାଷ୍ପ୍ରିତ ବିଭାଗର ଯାଜପୁର ଡିଭିଜନର ଉପନିର୍ଦ୍ଦେଶକ ଶ୍ରୀ ଉମେଶ ଚନ୍ଦ୍ର ସୁତାର, ବାଲେଶ୍ୱର ଜୋନର ସହକାରୀ ନିର୍ଦ୍ଦେଶକ ସୁଶ୍ରୀ ଶୁଭଶ୍ରୀ ଦୀପାଳି ମୁଦୁଲି ଓ ରକ୍ଷଣାବେକ୍ଷଣ ମୁଖ୍ୟ ଶ୍ରୀ ସନ୍ତୋଷ କୁମାର ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ I ଉକ୍ତ ବୈଠକରେ ରାସାୟନିକ ଦୁର୍ଘଟଣା ପାଇଁ ଜରୁରୀକାଳୀନ ପ୍ରସ୍ତୁତିର ମୂଲ୍ୟାଙ୍କନ ଏବଂ ନୂତନ ସୁରକ୍ଷା ବ୍ୟବସ୍ଥାର କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ସେହି ଭଳି ସମସ୍ତ ବିପଦପୂର୍ଣ୍ଣ କେମିକାଲ ଷ୍ଟୋରେଜ ସୁବିଧା ପାଇଁ ନିୟମିତ ଯାଞ୍ଚ କାର୍ଯ୍ୟସୂଚୀ, ସମ୍ବେଦନଶୀଳ ଅଞ୍ଚଳରେ ସମୟ ସମୟରେ ଜନ ସଚେତନତା ଅଭିଯାନ, ଆବଶ୍ୟକ ସ୍ଥାନରେ ବାୟୁ ଗୁଣବତ୍ତା ଅନୁଧ୍ୟାନ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା I ଅଫସାଇଟ ଜରୁରୀକାଳୀନ ଯୋଜନାର ଆବଶ୍ୟକତା, ତ୍ୱରିତ ଏବଂ ପ୍ରଭାବୀ ପ୍ରକ୍ରିୟା ବ୍ୟବସ୍ଥା ମଧ୍ୟରେ ସୂଚନା ନେଟୱର୍କିଙ୍ଗ ଉପରେ ମଧ୍ୟ ମଞ୍ଚାସୀନ ଅତିଥିମାନେ ଆଲୋକପାତ କରିଥିଲେ I ଜିଲ୍ଲାର ବିଭିନ୍ନ କାରଖାନା ଓ ଶିଳ୍ପର ସହଭାଗିତାରେ ମକ ଡ୍ରିଲ କରିବା ପାଇଁ ସହମତି ପ୍ରକାଶ ପାଇଥିଲା Iଏହି ବୈଠକରେ ବିଭିନ୍ନ କାରଖାନା ଓ ଶିଳ୍ପାୟନର ବରିଷ୍ଠ ଅଧିକାରୀ ତଥା ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ I