ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ କିନ୍ନରଙ୍କ ଅଧିକାର ସମ୍ପର୍କରେ ସଚେତନତା ଶିବିର
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ କିନ୍ନରମାନଙ୍କ ଅଧିକାର ସମ୍ପର୍କିତ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଗରାପୁରସ୍ଥିତ ରେସୱା ସ୍ୱେଛାସେବୀ ଅନୁଷ୍ଠାନ ପରିସରରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ସଚେତନତା ଶିବିରରେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ସୁମିତ୍ରା ସାହୁ ମୁଖ୍ୟ ଅତିଥି ଓ ବରିଷ୍ଠ ଆଇନଜୀବୀ ରମଣୀରଞ୍ଜନ ରାଉତରାୟ ମୁଖ୍ୟବକ୍ତା ଭାବେ ଯୋଗଦେଇ କିନ୍ନରମାନଙ୍କ ଅଧିକାର ସମ୍ପର୍କିତ ଆଇନ, ଧନ୍ଦାମୂଳକ ତାଲିମ, ଶିକ୍ଷା ବ୍ୟବସ୍ଥା ଭଳି ବହୁ ଯୋଜନା ଗୁଡିକ ଉପରେ ଉପସ୍ଥିତ କିନ୍ନରମାନଙ୍କୁ ଅବଗତ କରାଇଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଦାସ କିନ୍ନରଙ୍କ ପାଇଁ ଉଦ୍ଦିଷ୍ଟ ସ୍ୱିକୃତି ପୋର୍ଟାଲରେ ଅନଲାଇନରେ ଆବେଦନ କରିବା ଦ୍ୱାରା ମିଳୁଥିବା ସୁବିଧା ସୁଯୋଗ ସମ୍ପର୍କରେ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମକୁ ଶିଶୁଯତ୍ନ ଅନୁଷ୍ଠାନର ପରିଚାଳକ ଅମିତରଞ୍ଜନ ସାହୁ ସଂଯୋଜନା କରିଥିଲେ । ସ୍ୱାଧାର ଗୃହର ପରିଚାଳିକା ମିନତୀ ମହାରଣା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ରେସୱାର ସଭାପତି ସୁହାନା ୱାୟାରସି ଧନ୍ୟବାଦ ଅର୍ପଣ କରିଥିଲେ ।