ଜିଲ୍ଲା ଆଇନସେବା ପ୍ରାଧିକରଣ ଦ୍ୱାରା ଆନ୍ତର୍ଜାତୀୟ ମାନବାଧିକାର ଦିବସ ପାଳିତ
କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):ଜିଲ୍ଲା ଆଇନସେବା ପ୍ରାଧିକରଣ, କେନ୍ଦୁଝର ଆୟୋଜନରେ ସରକାରୀ ମହିଳା ମହାବିଦ୍ୟାଳୟ ସଭାଗୃହଠାରେ ଆନ୍ତର୍ଜାତୀୟ ମାନବାଧିକାର ଦିବସ-୨୦୨୪ ପାଳିତ ହୋଇଯାଇଛି । ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରାଜଜ୍ ଅଶୋକ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଚିବ ମାମୀ ବେହେରା ଯୋଗଦେଇ ଆଇନସେବା ପ୍ରାଧିକରଣର ମୁଖ୍ୟ କାର୍ଯ୍ୟାବଳୀ ମଧ୍ୟରେ ମାନବାଧିକାର ଉପରେ କାର୍ଯ୍ୟ କରିବା,ଏଲ୍ଜିବିଟିକୁ୍ୟଆଇଏ ସମୁଦାୟର ଉନ୍ନତି,ନିଶାମୁକ୍ତ ସମାଜ ଓ ସମସ୍ତଙ୍କର ମର୍ଯ୍ୟାଦାର ସହ ବଂଚି ରହିବାର ଅଧିକାର ଅଛି ତଥା ସମସ୍ତ ଜନ ସାଧାରଣ ଆଇନ ସହାୟତା ପାଇ ନିଜ ଅଧିକାର ପାଇପାରିଲେ ତାହା ହିଁ ମାନବାଧିକାର ରୂପେ ଅଭିହିତ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ପ୍ରଭାକର ନାୟକ ପ୍ରାରମ୍ଭିକ ସ୍ୱାଗତ ଅଭିଭାଷଣ ପ୍ରଦାନ ପୂର୍ବକ ଦିବସର ଲକ୍ଷ୍ୟ ଉପରେ ଆଲୋକପାତ କରାଇ ସଭା ପରିଚାଳନା କରିଥିଲେ । ପ୍ରାଧିକରଣ ସଦସ୍ୟ ତଥା ତଦାଶା ସଂପାଦକ ଅକ୍ଷୟ କୁମାର ଚକ୍ର ଯୋଗଦେଇ ଜିଲ୍ଲା ଆଇନସେବା ପ୍ରାଧିକରଣ କିଭଳି ଲୋକମାନଙ୍କୁ ସଚେତନତା ମାଧ୍ୟମରେ ସେମାନଙ୍କର ଅଧିକାରକୁ ସାବ୍ୟସ୍ତ କରିପାରୁଛି ତାହା ଉଦାହରଣ ମାଧ୍ୟମରେ ବର୍ଣ୍ଣନା କରିଥିବାବେଳେ ଅଦାଲତର ପ୍ରାକ୍ତନ ବରିଷ୍ଠ କର୍ମୀ ତଥା ପିଏଲ୍ଭି କିଶୋର ଚନ୍ଦ୍ର ଦାସ ଲିଙ୍ଗଗତ ତାରତମ୍ୟ ଦ୍ୱାରା କନ୍ୟା ସନ୍ତାନ ହ୍ରାସ ପାଉଥିବା ଓ ଏହା ମାନବାଧିକାର କ୍ଷୁର୍ଣ୍ଣ ହେଉଛି ବୋଲି ମତ ଦେଇଥିଲେ । ପରେ ପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଅଧ୍ୟାପିକା,ଅଧ୍ୟାପକ ଓ ଛାତ୍ରୀମାନେ ଭାଗ ନେଇଥିଲେ । ମଂଚାସୀନ ଅତିଥି ସରଳ ଭାବରେ ତାର ଉତ୍ତର ପ୍ରଦାନ କରିଥିଲେ । ଶେଷରେ ରାଜନୀତି ବିଜ୍ଞାନ ମୁଖ୍ୟ ପ୍ରାଧ୍ୟାପକ ଦେବାନନ୍ଦ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପିଏଲ୍ଭି ବନଲତା ଜେନା,ମମତାମୟୀ ମହାନ୍ତ,ପ୍ରଦୀପ ସେଠୀ,ପ୍ରାଧିକରଣ କର୍ମୀ ଦେବବ୍ରତ୍ତ କୁମାର ଦାସ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।l


