ଜିଲ୍ଲା ଏଡ୍‌ସ୍ ପ୍ରତିରୋଧ ଓ ନିୟନ୍ତ୍ରଣ କମିଟି ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା):ଜିଲ୍ଲା ଏଡସ୍ ପ୍ରତିରୋଧ ଓ ନିୟନ୍ତ୍ରଣ କମିଟି ବୈଠକ ଶୁକ୍ରବାର ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଏଡସ୍ ପ୍ରତିରୋଧ ଓ ନିୟନ୍ତ୍ରଣ କକ୍ଷ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାରେ ଏଚଆଇଭି ଓ ଏଡସ୍ ରୋଗର ସ୍ଥିତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏଥି ସହିତ ଜିଲ୍ଲାସ୍ତରୀୟ ଇଏମଟିସିଟି କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଉପସ୍ଥିତ ଏଚଆଇଭି-ଏଡସ୍ ଜିଲ୍ଲା ନୋଡାଲ୍ ଅଧିକାରୀ ଡା. ଶଶାଙ୍କ ଶେଖର ଚୌଧୁରୀ ବୈଠକର ମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲା ଏଡସ୍ ପ୍ରତିରୋଧ ଓ ନିୟନ୍ତ୍ରଣ କକ୍ଷ ଡିପିଏମ ରଶ୍ମିତା ମହାନ୍ତି ଜିଲ୍ଲାରେ ସ୍ଥିତି ସମ୍ପର୍କରେ ଆଲୋଚନା କରିବା ସହ ଏହା କିପରି ଯୁବ ସମାଜକୁ ପ୍ରଭାବିତ କରୁଛି ତାହା ଉପରେ ଆଲୋକପାତ କରିଥିଲେ । ବିଶେଷ କରି ଜିଲ୍ଲାରେ ଏଡସର ପ୍ରକୋପକୁ କମାଇବା ପାଇଁ ଯୁବସମାଜ ଓ ଟ୍ରାନସଜେଣ୍ଡରମାନଙ୍କ ନିମନ୍ତେ ଅଧିକା ସଚେତନତା କାର୍ଯ୍ୟକ୍ରମ ଆୟୋଜନ ଉପରେ ବୈଠକରେ ମତପ୍ରକାଶ ପାଇଥିଲା । ସେହିପରି ଗର୍ଭବତୀ ମାଆ ଓ ସଦ୍ୟଜାତ ଶିଶୁମାନଙ୍କୁ ଏଚଆଇଭିରୁ ସୁରକ୍ଷା ନିମନ୍ତେ ବିଭିନ୍ନ ପଦକ୍ଷେପ ନେବା ନେବା ଉପରେ ବୈଠକରେ ଆଲୋଚନା ହୋଇଥିବା ବେଳେ ଜିଲ୍ଲାରେ ବିଭିନ୍ନ ସମୟରେ ସଚେତନତା କାର୍ଯ୍ୟକ୍ରମର ଆୟୋଜନ ଯୋଗୁଁ ଦିନକୁ ଦିନ ଏଚଆଇଭି ଆକ୍ରାନ୍ତ ବ୍ୟକ୍ତିମାନଙ୍କ ମୃତ୍ୟୁହାର କମିଥିବା ସୂଚନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୋଗାଣ ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଆଂଚଳିକ ପରିବହନ ଅଧିକାରୀ, ଜିଲ୍ଲା ଶ୍ରମ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ବିଭାଗର ଅଧିକାରୀମାନେ ଯୋଗ ଦେଇ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ବିଷୟରେ ଆଲୋଚନା କରିଥିଲେ । ଜିଲ୍ଲା ଏଡସ୍ ପ୍ରତିରୋଧ ଓ ନିୟନ୍ତ୍ରଣ କକ୍ଷ ଡିଆଇଏସ ପତିତପାବନ ବାରିକ୍ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ