ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ କମିଟିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ସହରର କଜଳା ସ୍ଥିତ ଜିଲ୍ଲା କଂଗ୍ରେସ ଭବନ ସଭା ଗୃହରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ତଥା ପୂର୍ବତ୍ତନ ବିଧାୟକ ଅଂଶୁମାନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା କଂଗ୍ରେସର ସାଙ୍ଗଠନିକ ପ୍ରଭାରୀ ତଥା ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ ବିପ୍ଳବ ଚୌଧୁରୀ ଯୋଗଦେଇ ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା ପ୍ରମୁଖ ଯୋଗଦେଇ ଦଳୀୟ ସଭ୍ୟ ସଂଗ୍ରହ ଅଭିଯାନ ଓ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମ୍ପର୍କରେ ଆଲୋଚନା କରିବା ସହ ଗ୍ରାମାଞ୍ଚଳ ସ୍ତରରୁ ଦଳୀୟ କାର୍ଯ୍ୟକ୍ରମ ମାଧ୍ୟମରେ କଂଗ୍ରେସର ଜନହିତକର କାର୍ଯ୍ୟାବଳୀ ଉପରେ ଲୋକମାନଙ୍କୁ ଅବଗତ କରିବା ପାଇଁ ପରାମର୍ଶ ଦେଇଥିଲେ । ପ୍ରଦେଶ କଂଗ୍ରେସ କମିଟି ପଛୁଆ ବର୍ଗ ବିଭାଗ ଅଧ୍ୟକ୍ଷ ଜ୍ଞାନଦେବ ବେହୁରା ଦର୍ନିତୀ ମୁକ୍ତ ଶାସନ ପ୍ରଦାନ ନିମିତ୍ତ କଂଗ୍ରେସ ସଂକଳ୍ପ ବଦ୍ଧ ବୋଲି କହିଥିଲେ । ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାରେ କଂଗ୍ରେସ ନିଶ୍ଚିତ ଭଲ ପ୍ରଦର୍ଶନ କରିବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ । ବିଭ୍ରାଂଶୁ ଶେଖର ଲେଙ୍କା ମହାକାଳପଡା ନିର୍ବାଚନ ମଣ୍ଡଳୀରେ ଓ ରତିକାନ୍ତ କାନୁନ୍ଗୋ ପାଟକୁରା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ସଂଗଠନକୁ ମଜବୁତ କରିବା ପାଇଁ ଦୃଢ ସଂକଳ୍ପର ଆବଶ୍ୟକତା ଉପରେ ଅଭିବ୍ୟକ୍ତି ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦ ଆକବର ଅଲ୍ଲୀ, ମଙ୍ଗୁଳି ଚରଣ ବେହେରା, ଚିତ୍ରସେନ ପରିଡା, କବିନ୍ଦ୍ର ସାମଲ, ଜ୍ୟୋତି ରଞ୍ଜନ ପରିଡା, ଅମୁଲ୍ୟ ପ୍ରଧାନ, ପର୍ଶୁରାମ ରାଉତରାୟ, ବାବୁରାମ ଜେନା, କୁମାର ଚନ୍ଦ୍ର ବଳ, ବିଧୁଭୂଷଣ ମହାପାତ୍ର, ଶରତ ବେହୁରା, ନିରାକାର ଜେନା, ମହେନ୍ଦ୍ର ପରିଡା, ସଂଗ୍ରାମ ପୃଷ୍ଟି, ଗୋପାଳ କୃଷ୍ଣ ଜେନା, ପ୍ରଦୀପ ପ୍ରଧାନ, ଅନ୍ନପୁର୍ଣ୍ଣା ଦାସ, ସତ୍ୟପ୍ରିୟ ସାମଲ, ପରଭେଜ ଅକ୍ତର୍, ରାକେଶ ମହାନ୍ତି, ଦୟାନିଧି ଜେନା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲା କଂଗ୍ରେସ ଉପସଭାପତି ପ୍ରଫୁଲ୍ଲ କୁମାର ଦାସ ସଭା ପରିଚାଳନା କରିଥିବା ବେଳେ ଜିଲ୍ଲା କଂଗ୍ରେସ ଅନୁସୁଚିତ ବର୍ଗ ଅଧ୍ୟକ୍ଷ ସର୍ବେଶ୍ୱର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।


