ଜିଲ୍ଲା କଂଗ୍ରେସ ପକ୍ଷରୁ ଏସ୍ପି କାର୍ଯ୍ୟାଳୟ ଘେରାଉ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆନ୍ଦୋଳ ସମୟରେ କଂଗ୍ରେସ କର୍ମୀଙ୍କୁ ପୋଲିସର ବର୍ବରତା ସହ କଂଗ୍ରେସ କାର୍ଯ୍ୟାଳୟ ଭିତରେ ମାଡ ମାରିବା ଘଟଣା ପ୍ରତିବାଦରେ ରାଜ୍ୟ ବ୍ୟାପି ଏସ୍ପି କାର୍ଯ୍ୟାଳୟ ଘେରାଉ ଡାକରା କ୍ରମେ ଗଜପତି ଜିଲ୍ଲା କଂଗ୍ରେସ ପକ୍ଷରୁ ଏସ୍ପି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଦାସରଥି ଗମାଙ୍ଗଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ବିଜେଡି ବିରୁଦ୍ଧରେ ନାରାବାଜି କରିବା ସହ ମମିତା ମହେର ହତ୍ୟା ମାମଲାରେ ପିଢିତ ପରିବାରକୁ ନ୍ୟାୟ ପ୍ରଦାନ କରିବା ସହ ଘଟଣାରେ ସମ୍ପୃକ୍ତି ମନ୍ତ୍ରଙ୍କ ବହିଷ୍କାର ଦାବି କରିଛି କଂଗ୍ରେସ । ପିଢିତଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ସର୍ବଦା କଂଗ୍ରେସ ଲଢେଇ କରିଆସୁଛି । ତେବେ ବିଭିନ୍ନ ସମ୍ବେଦନଶୀଳ ଘଟଣାରେ ଶାସକ ଦଳର ନେତା ସମ୍ପୃକ୍ତି ଥିବା ନେଇ ଅଭିଯୋଗ ଆସୁଛି କିନ୍ତୁ ସମସ୍ତ କ୍ଷେତ୍ରରେ ନିରବ ରହୁଛନ୍ତି ମୁଖ୍ୟମନ୍ତ୍ରୀ । ଏପରିକି କଂଗ୍ରେସ ଭବନ ଭିତରେ ପଶି ଅମାନୁଷିକ ଭାବେ ପୋଲିସ ଆକ୍ରମଣ କରିଥିବା ଘଟଣାରେ ମଧ୍ୟ ସରକାର ନିରବ ରହିଥିବା ଅଭିଯୋଗ କରିଛି କଂଗ୍ରେସ । ଏସବୁକୁନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଗଜପତି ଜିଲ୍ଲା ଏସ୍ପି ଜୟରାମ ଶତପଥିଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଯୁବ ସଭାପତି ସୂର୍ଯ୍ୟନାରାୟଣ ପାତ୍ର, ପୂର୍ବତନ ପାରଳାଖେମୁଣ୍ଡି ପୌରପଷଦର ଉପାଧ୍ୟକ୍ଷ ସଂଜୟ କୁମାର ଅଧିକାରୀ, ବରିଷ୍ଠ କଂଗ୍ରେସ ନେତା ବସନ୍ତ କୁମାର ପଣ୍ଡା, କୁନା ମାଝୀ, ତ୍ରିନାଥ ପାତ୍ର ପ୍ରମୁଖଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତଥିଲେ ।


