ଜିଲ୍ଲା କମିଟି ସମ୍ମିଳନୀ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନମାନଙ୍କ ତରଫରୁ ସ୍ଥାନୀୟ ଜୟଦେବ ବିହାରସ୍ଥିତ ଲାଲ୍ସେନା ଭବନରେ ଭାରତର ଟ୍ରେଡ୍ ୟୁନିୟନ କେନ୍ଦ୍ର (ସି.ଆଇ.ଟି.ୟୁ.)ର ତୃତୀୟ ଭୁବନେଶ୍ୱର ଜିଲ୍ଲା କମିଟି ସମ୍ମିଳନୀ ସାଥୀ ନବକିଶୋର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ମିଳନୀକୁ ସି.ଆଇ.ଟିୟୁ.ର ରାଜ୍ୟ ସଭାପତି ସାଥୀ ଲମ୍ବୋଦର ନାୟକ ଉଦ୍ଘାଟନ କରିଥିଲେ ଏବଂ ସିଆଇଟିୟୁର ସର୍ବଭାରତୀୟ ଉପସଭାପତି ତଥା ରାଜ୍ୟ ସାଧାରଣ ସମ୍ପାଦକ ସାଥୀ ବିଷ୍ଣୁ ଚରଣ ମହାନ୍ତି ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କର ଶ୍ରମିକ ମାରଣ ନୀତି ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଦେଶରେ ମୋଦି ସରକାର ସାମ୍ରାଜ୍ୟବାଦୀ ଶକ୍ତିର ବଶ୍ୟତା ସ୍ୱୀକାର କରି ୧୯୯୧ରୁ ଆରମ୍ଭ ହୋଇଥିବା ନବ୍ୟ ଉଦାରବାଦୀ ନୀତିକୁ ଲାଗୁ କରି ସାଧାରଣ ଲୋକଙ୍କ ଜୀବନକୁ ବିପନ୍ନ କରୁଛନ୍ତି । ଶ୍ରମ ଆଇନ୍ର ସଂଶୋଧନ କରି ଶ୍ରମିକମାନଙ୍କର ଅଧିକାର ଛଡ଼ାଇ ନେଉଛନ୍ତି । ସର୍ବନିମ୍ନ ମଜୁରୀ ୧୭୮ ଟଙ୍କାକୁ କମାଇ ଦେବାକୁ ସୁପାରିଶ କରିଛନ୍ତି । କେବଳ ଆମ୍ବାନୀ, ଆଦାନୀ ଭଳି କିଛି ଧନୀକ ଗୋଷ୍ଠୀଙ୍କ ସମ୍ପତ୍ତି ବହୁଗୁଣ ବୃଦ୍ଧି ପାଉଥିବା ବେଳେ ସାଧାରଣ ଶ୍ରମିକର ମଜୁରୀ କମିବା ସୂଚାଇ ଦେଉଛି ଯେ, ଧନୀର ବିକାଶ ହେଉଥିବା ବେଳେ ଗରୀବର ବିନାଶ ହେଉଛି । ମାଲିକମାନେ ଧାର୍ଯ୍ୟ ମଜୁରୀ ପ୍ରଦାନ କଲେ ଯେଉଁଭଳି ଆର୍ଥିକ ଜୋରିମାନା ବା ଜେଲ୍ ଯିବାର ଭୟ ରହୁଥିଲା, ସେ ଆଇନ୍ ଉଠାଇ ଦିଆଯାଉଛି । ଏହି ପରିପ୍ରେକ୍ଷୀରେ ଶ୍ରମିକମାନେ ଲଢେଇ ପାଇଁ ସଂଗ୍ରାମ କରିବାକୁ ଆହ୍ୱାନ ଦେଇଥିଲେ । ସାଥୀ ସୁରେଶ ରାଉତରାୟ ସାଧାରଣ ସମ୍ପାଦକ ଚିଠା ଆଗତ କରିଥିଲେ । ଶୋକ ପ୍ରସ୍ତାବ ଆନ୍ତଜାତିକ ପରିସ୍ଥିତି, ଜାତୀୟ ପରିସ୍ଥିତି, ରାଜ୍ୟ ପରିସ୍ଥିତି ଓ ସଂଗଠନ ସର୍ମ୍ପକରେ ତଥ୍ୟ ପ୍ରଦାନ କରିଥିଲେ । ଭୁବନେଶ୍ୱର ଜିଲ୍ଲାରୁ ପ୍ରାୟ ୧୦୦ ଜଣ ବିଭିନ୍ନ ୟୁନିୟନରୁ ପ୍ରତିନିଧିତ୍ୱ କରିଥିଲେ । ଶେଷରେ ଆଗାମୀ ୩ ବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା । ସଭାପତି ଶ୍ରୀଯୁକ୍ତ ନବକିଶୋର ମହାନ୍ତି, ଉପସଭାପତି ସତ୍ୟାନନ୍ଦ ବେହେରା, ସାଧାରଣ ସମ୍ପାଦକ ସୁରେଶ ଚନ୍ଦ୍ର ରାଉତରାୟ, କୋଷାଧ୍ୟକ୍ଷ ବିକ୍ରମ ନାୟକ ଏବଂ ୨୮ଜଣିଆ ଜିଲ୍ଲା କମିଟି ସଭ୍ୟ ନିର୍ବାଚିତ ହୋଇଥିଲେ । ଶେଷରେ ସାଥୀ ବିକ୍ରମ ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ ।