ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ୧୪ତମ ସମ୍ମିଳନୀ ମହା ସମାରୋହରେ ଅନୁଷ୍ଠିତ
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ବରିଷ୍ଠ ନାଗରିକମାନଙ୍କ ଉଦ୍ୟମ ଫଳରେ ଆଜି ବାଲେଶ୍ୱରରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ସମ୍ଭବ ହୋଇପାରିଛିବୋଲି ମୁଖ୍ୟଅତିଥିଭାବେ ମେଡିକାଲ କଲେଜ ପ୍ରତିଷ୍ଠା କ୍ରିୟାନୁଷ୍ଠାନ କମିଟିର ୧୪ତମ ସମ୍ମିଳନୀରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଆଇ.ଟି.ଆର.ର ନିର୍ଦ୍ଦେଶକ ଡଃ ବି.କେ. ଦାସ ମତ ପ୍ରଦାନ କରିଛନ୍ତି । ମୁଷ୍ଟିମେୟ ବରିଷ୍ଠ ନାଗରିକମାନଙ୍କ ସ୍ୱପ୍ନ ସହ ସମସ୍ତ ଜିଲ୍ଲାବାସୀଙ୍କ ଅକୁଣ୍ଠ ସହଯୋଗ ଆଜି ଏହି ସ୍ୱପ୍ନକୁ ସାକାର କରିପାରିଛି ବୋଲି ଡଃ ଦାସ ମତ ଦେଇଥିଲେ । ସମସ୍ତ ବିକାଶମୂଳକ କାର୍ୟ୍ୟରେ ଜିଲ୍ଲାବାସୀ ସହଯୋଗ କରିବାକୁ ସେ ନିବେଦନ କରିଥିଲେ । ସହଦେବଖୁଣ୍ଟାସ୍ଥିତ ରୟାଲ୍ କୁଇନ୍ ମଣ୍ଡପରେ ରବିବାରଦିନ ଅନୁଷ୍ଠିତ କାର୍ୟ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ବିଧାୟକ ମଦନମୋହନ ଦତ୍ତ ଓ ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଯୋଗଦେଇ ଜିଲ୍ଲାବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗ ରହିବବୋଲି ଉଭୟେ ପ୍ରତିଶ୍ରୁତି ଦେଇଥିଲେ । ସମ୍ମିଳନୀର ସାଧାରଣ ସଭାରେ ପ୍ରଫେସର ଅନନ୍ତ କୁମାର ପ୍ରଧାନ ଅଧ୍ୟକ୍ଷତା କରିଥିଲେ ।ସାଧାରଣ ସଂପାଦକ ନିରଞ୍ଜନ ପରିଡ଼ା ଦୀର୍ଘ ୧୪ ବର୍ଷଧରି କ୍ରିୟାନୁଷ୍ଠାନ କମିଟିକୁ ସହଯୋଗ ପ୍ରଦାନ କରିଥିବା ଜିଲ୍ଲାବାସୀଙ୍କୁ ଧନ୍ୟବାଦ ଜଣାଇ ବାର୍ଷିକ ବିବରଣୀ ପାଠ କରିଥିଲେ । ମେଡିକାଲ କଲେଜ ସଂଲଗ୍ନ ୫୦୦ ଶଯ୍ୟା ବିଶିଷ୍ଟ ହସପିଟାଲ୍ ନିର୍ମାଣ କାର୍ୟ୍ୟ ଆରମ୍ଭ ହୋଇଛି । ଏହା ଆସନ୍ତା ଦୁଇବର୍ଷ ମଧ୍ୟରେ କାର୍ୟ୍ୟକ୍ଷମ କରିବା, ଏମ୍ସ ସେଟ୍ଲାଇଟ୍ ସେଣ୍ଟରର ବହିର୍ବିଭାଗ ନିର୍ମାଣକାର୍ୟ୍ୟ ତୁରନ୍ତ ସମାପ୍ତ କରାଇବା, ମଞ୍ଜୁରୀପ୍ରାପ୍ତ ଆୟୁଷ ହସ୍ପିଟାଲ ଓ ନର୍ସିଂ କଲେଜ୍ ନିର୍ମାଣ କାର୍ୟ୍ୟ ଆରମ୍ଭ କରିବା, ବାଲେଶ୍ୱରରେ ଫାର୍ମାସିଷ୍ଟ୍, ଆୟୁର୍ବେଦିକ କଲେଜ୍ ଓ ମାନସିକ ରୋଗୀ ଚିକିତ୍ସାଳୟ ପ୍ରତିଷ୍ଠା, ମେଡିକାଲ୍ କଲେଜ୍ରେ ସ୍ନାୟୁରୋଗ, ହୃଦ୍ରୋଗ ପ୍ରଭୃତି ବିଭାଗ ଖୋଲିବା ଏବଂ ଅନ୍ୟ ସମସ୍ତ ବିଭାଗରେ ବିଶେଷଜ୍ଞ ଡାକ୍ତରଙ୍କୁ ନିଯୁକ୍ତି ଦେବା, ଜିଲ୍ଲାରେ ବିଭିନ୍ନ ସରକାରୀ ଡାକ୍ତରଖାନାରେ ଖାଲିଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ପଦବୀ ପୂରଣ କରିବା ପ୍ରଭୃତି ଦାବି ହାସଲ ପାଇଁ କ୍ରିୟାନୁଷ୍ଠାନ କମିଟିକୁ ଅଧିକ ଶକ୍ତିଶାଳୀ ଓ ସୁସଂଗଠିତ ହେବାକୁ ଶ୍ରୀ ପରିଡ଼ା ସଂପାଦକୀୟ ବିବରଣୀରେ ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥିଭାବେ ରାଜ୍ୟ ଯୋଜନା ବୋର୍ଡ଼ ସଦସ୍ୟ ଗିରିଶ ଚନ୍ଦ୍ର ଦାଶ, ରାଜଧାନୀ କମିଟିର ସଭାପତି ଡଃ ଅଦୈତପ୍ରସାଦ ପାତ୍ର ସ୍ୱାସ୍ଥ୍ୟସେବାପାଇଁ କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନଙ୍କର ଲଗାତର ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିଥିଲେ । ଅର୍ଥ ସଂପାଦକ ଇଂ. ବନମାଳୀ ନାୟକ ଆୟବ୍ୟୟର ବିବରଣୀ ପାଠ କରିଥିଲେ । ଉପସଭାପତି ପ୍ରଭାକର ସାହୁ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ସଂପାଦକ ଗୌରାଙ୍ଗ ପାଣିଗ୍ରାହୀ ଅତିଥିମାନଙ୍କୁ ସ୍ୱାଗତ ଜଣାଇ ମଞ୍ଚଆହ୍ୱାନ କରିଥିଲେ । ଜିଲ୍ଲାକମିଟି ଓ ବିଭିନ୍ନ ବ୍ଲକ୍ କମିଟି, ଆଞ୍ଚଳିକ କମିଟି ତରଫରୁ ଶମ୍ଭୁନାଥ ମହାନ୍ତି, ଭଗବାନ ରାଉତ, ଦିଲ୍ଲୀପ ଗିରି, ପ୍ରଦୀପ ଦାସ, ନବକିଶୋର ଦାସ, ଜୟରାମ ଜେନା, ନାରାୟଣ ପ୍ରସାଦ ସାହୁ, କୁମୁଦ ରଂଜନ ଗିରି, ଶ୍ରଦ୍ଧାଞ୍ଜଳି ରାୟ, ଯଶୋଦା ନନ୍ଦନ ଆଶ୍, ଅର୍ଚ୍ଚନା ନନ୍ଦୀ ଓ ମିନତୀ ରାୟ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ମୁଖପତ୍ର ସଂପାଦନା ମଣ୍ଡଳୀର ମୁଖ୍ୟ ନିରଞ୍ଜନ ରାଉତ ସଂପାଦକୀୟ ବକ୍ତବ୍ୟ ପାଠ କରିଥିଲେ । ସଭାକାର୍ୟ୍ୟ ଆରମ୍ଭରେ ଅତିଥିମାନେ ୧୪ଟି ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ୟ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ଓ ମହାତ୍ମାଗାନ୍ଧୀ ଏବଂ ଫକୀରମୋହନଙ୍କ ଫଟୋଚିତ୍ରରେ ପୁଷ୍ପପ୍ରଦାନ କରିଥିଲେ । ଇଂ. ଡଃ ହୃଷିକେଶ ସାହୁ ମଞ୍ଚ ପରିଚାଳନା କରିଥିଲେ । ଅତିଥିମାନେ କମିଟିର ପୃଷ୍ଠପୋଷକ ସଦସ୍ୟମାନଙ୍କୁ ସଂଗଠନର ପ୍ରମାଣପତ୍ର ପ୍ରଦାନ କରିଥିଲେ । ନୀଳଗିରି ସବଡିଭିଜନ୍ ଅଧିନସ୍ଥ ବରହମପୁର ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ସୁରଜ କୁମାର ଜେନାଙ୍କୁ ତାଙ୍କର ନିରନ୍ତର ସ୍ୱାସ୍ଥ୍ୟସେବାପାଇଁ କମିଟି ତରଫରୁ ଅତିଥିମାନେ ମାନପତ୍ର ଓ ଉପାୟନ ଦେଇ ସମ୍ମାନିତ କରିଥିଲେ । କାର୍ୟ୍ୟକ୍ରମ ପରିଚାଳନା ଓ ପ୍ରତିନିଧି ପଞ୍ଜିକରଣ ପ୍ରଭୃତି କାର୍ୟ୍ୟରେ ସରସ୍ୱତୀ ପଣ୍ଡା, ଶ୍ୟାମସୁନ୍ଦର ଜେନା, ପଦାରବିନ୍ଦ ମହାପାତ୍ର, ରମେଶ ଚନ୍ଦ୍ର ଜେନା, ପୂର୍ଣ୍ଣଚନ୍ଦ୍ର ପାତ୍ର, ପ୍ରଫୁଲ୍ଲ କୁମାର ଦାସ, ଦୀନବନ୍ଧୁ ଲେଙ୍କା, ଯୋଗେଶ ଚନ୍ଦ୍ର ପ୍ରଧାନ, ପୀତାମ୍ବର ପ୍ରଧାନ, ସେକ୍ କରିମ୍ଉଦ୍ଦିନ୍, ମାୟାଧର ନାୟକ, ଗୌରୀ ଦାସ, ଜାମସେଦ୍ଅଲ୍ଲୀ ଖାନ୍, ଦେବାଶିଷ ମହାନ୍ତି, ସନ୍ନ୍ୟାସୀ ବେହେରା, ରାଧାକୃଷ୍ଣ ଜେନା, ଯତୀନ୍ଦ୍ର ମହାନ୍ତି, ବନ୍ଦନା ପାଲ୍, ପ୍ରମିତା ଦାସ, ଜଗତାନନ୍ଦ ବିଶ୍ୱାଳ, ଦାମୋଦର ଦାସମହାପାତ୍ର ଓ ପୁରୀ ସରସ୍ୱତୀ ନର୍ସିଂ କଲେଜ୍ର ଛାତ୍ରୀମାନେ ସହଯୋଗ ପ୍ରଦାନ କରିଥିଲେ । ଜଳଧର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୪ଶହରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ ।