ଜିଲ୍ଲା ଖାଉଟି ଅଦାଲତଙ୍କ ରାୟ ୮୧ ଜଣ ଚାଷୀଙ୍କୁ କ୍ଷତିପୂରଣ ସହ ବୀମା ରାଶି ପ୍ରଦାନ କରାବାକୁ ବୀମା କମ୍ପାନୀକୁ ନିର୍ଦ୍ଦେଶ
ନବରଙ୍ଗପୁର,(ୱାଏନଏସ):ମରୁଡି ଘୋଷଣା ପରେ ମଧ୍ୟ ବୀମା ଭୁକ୍ତ ଚାଷୀଙ୍କୁ କ୍ଷତିପୂରଣ ଦେଲାନି ବୀମା କମ୍ପାନୀ। ଏଭଳି ୮୧ଜଣ ଚାଷୀଙ୍କର ମାମଲାର ଏକକାଳୀନ ବିଚାର କରି ନଵରଙ୍ଗପୁର ଜିଲ୍ଲା ଖାଉଟି ଅଦାଲତ ଚାଷୀଙ୍କ ସପକ୍ଷରେ ଏକ ଐତିହାସିକ ରାୟ ପ୍ରଦାନ କରିଛନ୍ତି। ଦୁଇପକ୍ଷଙ୍କ ଶୁଣାଣି କରି ଜିଲ୍ଲାଖାଉଟି ଅଦାଲତ ଅଧ୍ୟକ୍ଷ ପ୍ରଫୁଲ କୁମାର ପଣ୍ଡାଙ୍କ ଓ ସଭ୍ୟା ସଲମା ଵାନୋ ଦୁଇ ଜଣିଆ ଖଣ୍ଡପୀଠ ଚୋଲମଣ୍ଡଳମ୍ ବୀମା କମ୍ପାନୀ କୁ ପ୍ରତ୍ୟେକ ଚାଷୀଙ୍କୁ କ୍ଷତିପୂରଣ ବାବଦକୁ ୧୦ହଜାର ଟଙ୍କା ଲେଖାଏଁ ଓ ମକଦ୍ଦମା ଖର୍ଚ୍ଚ ବାବଦକୁ ୩ ହଜାର ଟଙ୍କା ଲେଖାଏଁ ଏଭଳି ସର୍ବମୋଟ ୮୧ ଜଣ ଚାଷୀଙ୍କୁ ୧୦ଲକ୍ଷ୫୩ ହଜାର ଟଙ୍କା ପ୍ରଦାନ କରିବାକୁ ବୀମା କମ୍ପାନୀ କୁ ନିର୍ଦେଶ ଦେଇଛନ୍ତି। ଏହା ସହିତ ପ୍ରଧାନମନ୍ତ୍ରୀ ଫସଲ ଵୀମାର ପ୍ରାପ୍ୟ ଟଙ୍କା ଚାଷୀଙ୍କୁ ପ୍ରଦାନ କରିଵାକୁ ରାୟରେ ସ୍ପଷ୍ଟ କରିଛନ୍ତି। ସୂଚନାଯୋଗ୍ୟ,ଯେ ୨୦୧୮ ମସିହାରେ ଜିଲ୍ଲାର ଚନ୍ଦାହାଣ୍ଡି, ପାପଡାହାଣ୍ଡି, ତେନ୍ତୁଳିଖୁଣ୍ଟି, ନନ୍ଦା ହାଣ୍ଡି, ନବରଙ୍ଗପୁର ବ୍ଳକର ୮୧ ଜଣ ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ବାବଦକୁ ଚୋଳାମଣ୍ଡଳମ ବୀମା କମ୍ପାନୀ ନିକଟରେ ଚାଷୀ ମାନେ ନିଜର ଜମିର ପରିମାଣ ଅନୁଯାୟୀ ଫସଲ ବୀମାର ପ୍ରୀମିୟମ ଟଙ୍କା ଜମା କରିଥିଲେ । ଦୁର୍ଭାଗ୍ୟକୁ ସେହି ବର୍ଷ ଜିଲ୍ଲାରେ ଫସଲ ମରୁଡ଼ି ପଡ଼ିଥିଲା। ସେଭଳି ରାଜ୍ୟସରକାର ମଧ୍ୟ ମରୁଡି ଘୋଷଣା କରିଥିଲେ । ମରୁଡି ଘୋଷଣା ସତ୍ବେ ବୀମା କମ୍ପାନୀ ଚାଷୀଙ୍କୁ ମରୁଡି ସହାୟତା ପ୍ରଦାନ କରିନଥିଲା । ମରୁଡି ସହାୟତା ରାଶି ପାଇଁ ଚାଷୀ ସରକାରୀ ଦପ୍ତର କୁ ଧାଇଁ ଧାଇଁ ନୟାନ୍ତ ହେଵା ପରେ ଶେଷକୁ ଚାଷୀ ପୃଥକ ପୃଥକ ଅଭିଯୋଗ କରି ନ୍ୟାୟ ପାଇଁ ଜିଲ୍ଲା ଖାଉଟି ଅଦାଲତ ଦ୍ବାରସ୍ଥ ହୋଇଥିଲେ।