ଜିଲ୍ଲା ପରିଷଦ ସଦସ୍ୟ ସୁଧାଂଶୁ ପଣ୍ଡାଙ୍କ ପରଲୋକ : ୧୦ ଖଣ୍ଡ ପଞ୍ଚାୟତରେ ଶୋକର ଛାୟା

ବାଲେଶ୍ୱର, (ସରୋଜ ପଣ୍ଡା) :୨୭ ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟ ବରିଷ୍ଠ ବିଜେପି ନେତା ସୁଧାଂଶୁ ଶେଖର ପଣ୍ଡାଙ୍କର ଗୁରୁବାର ଭୁବନେଶ୍ୱରସ୍ଥିତ ଆମ୍ରି ହସପିଟାଲରେ ପରଲୋକ ହୋଇଯାଇଛି । ଗତ ନଭେମ୍ବର ମାସ ୨୦ ତାରିଖରେ ବାଲେଶ୍ୱର ସହରରେ ହଠାତ ସଜ୍ଞାହୀନ ହୋଇପଡ଼ିବାରୁ ତାଙ୍କୁ ଜିଲାମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ଆମ୍ରି ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମସ୍ତିଷ୍କ ଅସ୍ତ୍ରୋପଚାର କରାଯାଇଥିଲା । ମାତ୍ର ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ ପ୍ରାୟ ୫ଟା ୨୮ ମିନିଟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଅପରାହ୍ଣରେ ବାଲେଶ୍ୱରରେ ପହଞ୍ଚିବା ପରେ ତାଙ୍କର ପ୍ରାର୍ଥିବ ଶରୀରକୁ ଏକ ସୁସଜ୍ଜିତ ଗାଡ଼ିରେ ଶୋଭାଯାତ୍ରାରେ ବିଜେପି ଜିଲ୍ଲା କାର୍ଯ୍ୟାଳୟ, ରେମୁଣା ଶାଖା କାର୍ଯ୍ୟାଳୟକୁ ନିଆଯାଇଥିଲା । ସେଠାରେ ଦଳୀୟ କର୍ମକର୍ତ୍ତା ଓ କର୍ମୀଙ୍କ ସମେତ ସାଧାରଣ ଲୋକେ ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପରେ ତାଙ୍କର ମରଶରୀର ଶୋଭାଯାତ୍ରା କୁରୁଡ଼ା, ସାଉଁ, ଗେଙ୍ଗୁଟି, ଶାସଙ୍ଗ, ଜୟଦେବକସବା, ରସାଳପୁର, ବର୍ଦ୍ଧନପୁର, ପଦ୍ମପୁର ପ୍ରଭୃତି ପଞ୍ଚାୟତ ପରିକ୍ରମା କରିଥିଲା । ସ୍ଥାନେ ସ୍ଥାନେ ଜାତି, ଧର୍ମ ଓ ଦଳ ନିର୍ବିଶେଷରେ ଲୋକେ ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବର୍ଦ୍ଧନପୁର ମଣିନାଗେଶ୍ୱର ମନ୍ଦିର ପଡ଼ିଆରେ ବେଶ କିଛି ସମୟ ପାଇଁ ତାଙ୍କର ମରଶରୀରକୁ ଦର୍ଶନ ପାଇଁ ରଖାଯାଇଥିଲା । ଆଖପାଖ ଅଞ୍ଚଳରୁ ୧୦ହଜାରରୁ ଅଧିକ ଲୋକ ରୁଣ୍ଡ ହୋଇଥିଲେ ସେଠାରେ । ପରେ ତାଙ୍କର ବାସଭବନକୁ ନିଆଯାଇଥିଲା । ସାଂସଦ ବିଧାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦଶଁନ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏକ ଅଶ୍ରୁଳ ତଥା ଶୋକାକୁଳ ପରିବେଶ ମଧ୍ୟରେ ବିଳମ୍ବିତ ରାତ୍ରିରେ ଘର ବାଡ଼ିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ୧୯୫୭ ମସିହାରେ ଫେବୃୟାରୀ ତାରିଖରେ ସ୍ୱର୍ଗତ ଭବାନୀ ଶଙ୍କର ପଣ୍ଡାଙ୍କ ମଧ୍ୟମ ପୁତ୍ର ଭାବେ ଜନ୍ମଗ୍ରହଣ କରିଥିଲେ ସେ । ବର୍ଦ୍ଧନପୁରରେ ବାଲ୍ୟଶିକ୍ଷା ପରେ ରସାଳପୁର ହାଇସ୍କୁଲ ଓ ରସାଳପୁର କଲେଜରେ ପାଠପଡ଼ିଥିଲେ । ଶିକ୍ଷାଗ୍ରହଣ ପରେ ସମାଜସେବାକୁ ବ୍ରତଭାବେ ଗ୍ରହଣ କରିଥିଲେ । କେବଳ ବର୍ଦ୍ଧପୁର ନୁହେଁ ବରଂ ଆଖପାଖ ୧୦ଖଣ୍ଡ ପଞ୍ଚାୟତର ଲୋକେ ଯେ କୌଣସି ସମସ୍ୟାରେ ପ୍ରଥମେ ତାଙ୍କୁ ଖୋଜିଥା’ନ୍ତି । ପଞ୍ଚାୟତ ନିର୍ବାଚନରେ ସେ ସର୍ବଦା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥା’ନ୍ତି । ସମସ୍ତଙ୍କ ସହଯୋଗରେ ୨ଥର ସରପଞ୍ଚ ନିର୍ବାଚିତ ହୋଇଥିବା ବେଳେ ଏବେ ଜିଲ୍ଲା ପରିଷଦ ଭାବେ କ୍ଷମତାରେ ଥିଲେ । ସେହିଭଳି ଜଣେ ସଫଳ ଚିଙ୍ଗୁଡ଼ିଚାଷୀ ଭାବେ ନିଜେ ଚାଷ କରିବା ସାଙ୍ଗକୁ ଆଖପାଖ ଅଞ୍ଚଳର ଚାଷୀଙ୍କ ପାଇଁ ସେ ଥିଲେ ଦେବଦୂତ । ଜଣେ ଆଦର୍ଶବାଦୀ, ସମାଜସେବୀ, ସଂଗଠକ, ପରୋପକାରୀ ବ୍ୟକ୍ତିତ୍ୱ ଭାବେ ତାଙ୍କର ପରଲୋକରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ