ଜିଲ୍ଲା ପରିଷଦ ସଭ୍ୟ ପଦରେ ନାମାଙ୍କନ ଦାଖଲ କଲେ ତରଡିପାଳ ସରପଞ୍ଚ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-୧୫ ନଂ. ଜୋନ ଜିଲ୍ଲା ପରିଷଦ ସଭ୍ୟ ପଦରେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିଛନ୍ତି ତରଡ଼ିପାଳ ସରପଞ୍ଚ ପ୍ରିୟଦର୍ଶିନୀ ତରାଇ । ସେ ତରଡ଼ିପାଳ ସରପଞ୍ଚ ଭାବେ ବିଜୁ ଜନତା ଦଳର ସମର୍ଥିତ ପ୍ରାର୍ଥୀ ଭାବେ ୨୦୧୭ମସିହା ନିର୍ବାଚନରେ ବିଜୟୀ ହୋଇଥିଲେ । ତରଡ଼ିପାଳ କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବାରୁ ସେ ବିଜେଡ଼ିର ବିଭିନ୍ନ କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ାରେ ଉପସ୍ଥିତ ଥାଆନ୍ତି । କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରାଙ୍କ ସେ ଜଣେ ବିଶ୍ୱସ୍ଥ ସରପଞ୍ଚ ଭାବେ ବେଶ ପରିଚିତ ଥିଲେ । ତେଣୁ ଶଶିଭୂଷଣ ବେହେରାଙ୍କ ଲବିରେ ସେ ଜିଲ୍ଲା ପରିଷଦ ଟିକଟ ପାଇଥିବା ଚର୍ଚ୍ଚା ହେଉଛି । ତରଡ଼ିପାଳ ପଞ୍ଚାୟତରେ ସେ ଗତ ୫ ବର୍ଷ ମଧ୍ୟରେ ବହୁ ଉନ୍ନୟନ ମୂଳକ କାର୍ଯ୍ୟ କରିଛନ୍ତି । ତେଣୁ ଅନେକ ସମୟରେ ତାଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ସାମାଜିକ ଗଣମାଧ୍ୟମରେ ବେଶ ଚର୍ଚ୍ଚା ହୋଇଥାଏ । ତାଙ୍କ ଉନ୍ନୟନମୂଳକ କାର୍ଯ୍ୟ ଦେଖି ଦଳ ତାଙ୍କୁ ଟିକଟ ଦେଇଛି ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି । ଶ୍ରୀମତୀ ତରାଇ କହିଛନ୍ତି ଯେ ଲୋକମାନଙ୍କ ଭଲ ପାଇବା ମୋତେ ପୁଣି ଜୋନ ସଭ୍ୟ ପଦରେ ନାମାଙ୍କନପତ୍ର ଦାଖଲ କରିବା ପାଇଁ ଉତ୍ସାହ ଯୋଗାଇଛି । ଗତ ୫ ବର୍ଷ ମଧ୍ୟରେ ଲୋକମାନଙ୍କ ସେବା କରିଛି । ମୁଁ ସରପଞ୍ଚ ଥିବା ସମୟରେ ଗୋଟିଏ ପଞ୍ଚାୟତର ଉନ୍ନତି କରିଥିଲି । ଏବେ ଜୋନ ସଭ୍ୟା ହେଲେ ମୋ ନିଜ ପଞ୍ଚାୟତ ତରଡ଼ିପାଳ ସହ ଅଳପୁଆ, ପେଣ୍ଠପାଳ, ଅଣ୍ଡରା, ଅମୃତମଣୋହୀ, ବଲୁରିଆ, ସିଂହ ଗାଁ, ନୀଳକଣ୍ଠପୁର, ବାଲିପାଟଣା, ବାଛରା ପ୍ରମୁଖ ୧୦ଟି ପଞ୍ଚାୟତର ଉନ୍ନତି କରିପାରିବି । ମୋର ସରପଞ୍ଚ ଭାବେ ଯେଉଁ ସ୍ୱପ୍ନ ଅଧୂରା ରହିଥିଲା ତାହାକୁ ପୂରଣ କରିପାରିବି ବୋଲି ସେ କହିଛନ୍ତି । ନାମାଙ୍କନପତ୍ର ଦାଖଲ ସମୟରେ କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା, ଜିଲ୍ଲା ବିଜେଡ଼ି ଯୁବ ସଭାପତି ରାଜେଶ ଦାସ, ହିରଣ୍ୟ ପଣ୍ଡା, ବିଜୟ ମଣ୍ଡଳ ପ୍ରମୁଖ ବିଜେଡି ନେତା ଉପସ୍ଥିତ ଥିଲେ ।