ଜିଲ୍ଲା ପ୍ରତି ଚରମ ଅବହେଳାକୁ ବରଦାସ୍ତ କରାଯିବନି- ବିଜେପି

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ପ୍ରତି ରାଜ୍ୟ ସରକାରଙ୍କ ଚରମ ଅବହେଳାକୁ ବରଦାସ୍ତ କରାଯିବନି ବୋଲି ଗୋପସ୍ଥିତ କମଳ ଭବନରେ ଅନୁଷ୍ଠିତ ପତ୍ରକାର ସମ୍ମିଳନୀରେ ଯୋଗଦେଇ ବିଜେପିର ବରିଷ୍ଠ ନେତାମାନେ କହିଛନ୍ତି । କୃଷକ, କୃଷିକ୍ଷେତ୍ର, କୃଷିର ଉତ୍ପାଦନ, ଯୁବକ ନିଯୁକ୍ତି, ଶ୍ରମିକ-ଶ୍ରମନୀତି, ସ୍ୱାସ୍ଥ୍ୟସେବା ଓ ମହିଳା ସଶକ୍ତିକରଣ ପରିଚାଳନା କ୍ଷେତ୍ରରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଏପରି ସ୍ଥଳେ କେନ୍ଦ୍ରାପଡା ଜିଲ୍ଲାର ୫ଟି ଯାକ ବିଧାନସଭା କ୍ଷେତ୍ରରେ ବିଧାୟକ ପ୍ରତିନିଧିମାନଙ୍କ ବିଫଳତା, ଅପାରଗତା ଓ ନିଜ ସ୍ୱାର୍ଥ ସର୍ବସ୍ୱ ମାନସିକତା, କଥିତ ବିଜୁ କର୍ମଭୂମୀ – ନବୀନ ବାବୁ ଦାୟୀତ୍ୱ ନେଇଥିବା କେନ୍ଦ୍ରାପଡା ଜିଲ୍ଲାବାସୀଙ୍କ ଜୀବନ, ଜୀବିକା, ସ୍ୱାସ୍ଥ୍ୟ ସମୃଦ୍ଧି ଓ ସାମାଜିକ – ସାଂସ୍କୃତିକ ଭିତ୍ତିଭୂମୀକୁ ଦୟନୀୟ ଭାବେ ବିପର୍ଯ୍ୟସ୍ତ କରିଛି । ଜନହିତରେ ନିର୍ବାଚିତ ପ୍ରତିନିଧିଙ୍କ ରାଜନୈତିକ ଇଛାଶକ୍ତିର ଘୋର ଅଭାବ ଜିଲ୍ଲାର ଜନଜୀବନକୁ ବିକଳାଙ୍ଗ କରିଦେଇଛି । ବିଧାୟକ ଓ ସାଂସଦଙ୍କ ଅପାରଗତାରୁ ଜନତାର ଆସ୍ଥା ସମ୍ମୁଖୀନ ହେବା ପାଇଁ ବିଫଳ ‘ବିଜୁ ଜନତା ଦଳ’ ବିରୋଧୀଙ୍କ ଡଷ୍ଟବିନରୁ ବିକଳ୍ପ ସାଉଁଟୁଛି ତ ଆଉ କେଉଁଠି ବିଜେଡି ବିଧାୟକମାନେ ନିର୍ବାଚନ ମଣ୍ଡଳୀ କ୍ଷେତ୍ର ପରିବର୍ତ୍ତନ କରିବାର ବକ୍ତବ୍ୟ ଭେଳିକି କଲେଣି । କେନ୍ଦ୍ରାପଡା, ରାଜନଗର ଓ ଆଳି ବିଧାନସଭା କ୍ଷେତ୍ରରେ ନିକଟତମ ବିରୋଧୀ ନେତାଙ୍କୁ ନେଇ ନିଜ ଦଳର ଚିହ୍ନରେ ନିର୍ବାଚନ ପ୍ରସ୍ତୁତି କରି ଖସିଯିବା ପୂର୍ବରୁ ଧରାପଡିଯାଇଛନ୍ତି । କେନ୍ଦ୍ରାପଡିଆଙ୍କ ରାଜନୈତିକ ସମ୍ବଳ ଓ ସଚେତନତା ଏବେ ଜିଲ୍ଲାବାସୀଙ୍କ ପାଇଁ ସବୁଠୁ ବଡ ସଙ୍କଟ ହୋଇ ଉଭା ହୋଇଛି । କେନ୍ଦ୍ରାପଡା ରାଜନୀତିରେ ୧୯୭୧ମସିହାରୁ ବିଜୁବାବୁଙ୍କୁ ରାଜତିଳକ ପିନ୍ଧାଇ ପ୍ରବାଦ ପୁରୁଷ ଅଭିହିତ କରି ତାଙ୍କ ପୁଅ ନବୀନବାବୁଙ୍କୁ ନିରନ୍ତର ଶାସନର ସାଢେ ୨୩ବର୍ଷ ଅବଧି ସୁଦ୍ଧା ସର୍ବାଧିକ ପ୍ରତାରିତ ହୋଇଛନ୍ତି ମହାକାଳପଡା, ପାଟକୁରା ଠାରୁ ଆରମ୍ଭ କରି ସମଗ୍ର କେନ୍ଦ୍ରାପଡା ଜିଲ୍ଲାବାସୀ । ବାଧ୍ୟତଃ କୃଷି ସର୍ବସ୍ୱ କେନ୍ଦ୍ରାପଡା ଜିଲ୍ଲାର କୃଷିକ୍ଷେତ୍ର ଜଳସେଚନ ଅଭାବ ତ କେଉଁଠି ଜଳ ନିଷ୍କାସନ ହୋଇପାରୁନଥିବାରୁ କୃଷି ଏକ ପ୍ରକାର ଉଜୁଡି ଯିବା ସ୍ଥିତିରେ । ଜମ୍ବୁ-ମାର୍ଶାଘାଇ, କେନ୍ଦ୍ରାପଡା- ଗଣ୍ଡାକିଆ ଓ ଗୋବରୀ ଏକ୍ସଟେନସନ କେନାଲ ଜଳଶୂନ୍ୟ, ଜଳପୂର୍ଣ୍ଣ, ପୂତିଗନ୍ଧମୟ ଡ୍ରେନରେ ପରିଣତ ହୋଇଛି । ଚେକଡ୍ୟାମ ବିହୀନ ନଦୀଜଳ ପରିଚାଳନାଗତ ତୃଟି କାରଣରୁ ଜିଲ୍ଲାର ଭୂତଳ ମିଠା ଜଳ ସ୍ଥିତି ସମଗ୍ର ରାଜ୍ୟରେ ସବୁଠାରୁ ସଙ୍ଗୀନ । ଉଦଘାଟନ ଦିନରୁ ଭୁଷୁଡି ମାଟି କାମୁଡିଥିବା ଭାଟେଣୀ ସ୍ଲୁଇସ, ଆଖଡାଶାଳୀ ଯନ୍ତ୍ରୀ-ମନ୍ତ୍ରୀ ଦକ୍ଷତାର ବିକଳ ଚିତ୍ର । ଭୂତଳ ଜଳ ଲୁଣି ଓ ଆଇରନ ପ୍ରଭାବରେ ଭୟଙ୍କର ବ୍ୟାଧିପ୍ରବଣ ସ୍ଥିତିରେ । ସାଧାରଣ ଚାଷୀର ଉତ୍ପାଦନ, ବିକ୍ରୟ ଓ ଫସଲ ସଂରକ୍ଷଣରେ ବ୍ୟର୍ଥ ସରକାର ଏବେ ଚାଷୀଙ୍କ ବଡ ଠାକୁର ଶ୍ରୀବଳଦେବଜୀୟୁଙ୍କ ସତ୍ତ୍ୱାଧିକାରର ଚାଷ ଜମି ଉଦ୍ଧାର କରିବା ଦୂରର କଥା ତାଙ୍କ ସାନ୍ତସାହି ଜମିକୁ କେନ୍ଦ୍ରାପଡା ପୈାରସଂସ୍ଥାକୁ ଟେକି ଦେଇ ହିନ୍ଦୁ ଧର୍ମୀୟ ଭାବନାକୁ ଆଘାତ ଦେବାର ଅହଙ୍କାର ପ୍ରଦର୍ଶନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ‘ତୁଳସୀକ୍ଷେତ୍ର ବିକାଶ’ ଘୋଷଣା ଫମ୍ପା ପ୍ରତିଶୃତି ବୋଲି ପ୍ରମାଣିତ ହୋଇଛି । ସ୍ୱାସ୍ଥ୍ୟ ସେବାରେ ବିପର୍ଯ୍ୟସ୍ତ ବିକଳ ସ୍ଥିତି କେନ୍ଦ୍ରାପଡାବାସୀଙ୍କୁ ହତାଶ କରିଛି । ୨୦୨୧ ଜାନୁଆରୀ ୨୪ତାରିଖରେ କେନ୍ଦ୍ରାପଡାରେ ମେଡିକାଲ କଲେଜ ସ୍ଥାପନରେ କେନ୍ଦ୍ର ସରକାରଙ୍କ ସହଯୋଗ ଓ ସମ୍ବଳ ସମ୍ପର୍କରେ ନିର୍ଦ୍ଦିଷ୍ଟ ଘୋଷଣା ସତ୍ତ୍ୱେ ରାଜ୍ୟ ସରକାର ଆଜି ସୁଦ୍ଧା ପ୍ରସ୍ତାବ ଟିଏ ନ ପଠାଇବା ଦୁର୍ଭାଗ୍ୟଜନକ । ଅପରପକ୍ଷରେ ବିନା ଡାକ୍ତର, ବିନା କ୍ୱାଟର ଓ ବିନା ଷ୍ଟାଫରେ କୋଠାଟିଏ ଫଳକ ଲଗାଇ ସାଧାରଣ ଜନତାଙ୍କୁ ଭୂତାଉଛନ୍ତି ବିଧାୟକ ପ୍ରତିନିଧିଗଣ ଓ ନେତା ମୁଖ୍ୟମନ୍ତ୍ରୀ । ଆସନ୍ତା ଜାନୁଆରୀ ୧୫ ସୁଦ୍ଧା କେନ୍ଦ୍ରାପଡା ମେଡିକାଲ କଲେଜ ସ୍ଥାପନ ପାଇଁ ନୀତିଗତ ପ୍ରସ୍ତାବ କେନ୍ଦ୍ର ସରକାରଙ୍କୁ ପ୍ରେରଣ ନକଲେ ଜିଲ୍ଲାବାସୀଙ୍କ ସ୍ୱାସ୍ଥ୍ୟ ସ୍ୱାର୍ଥରେ ଆଇନ ଅମାନ୍ୟ ସତ୍ୟାଗ୍ରହ ପର୍ଯ୍ୟନ୍ତ ଚରମ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବରିଷ୍ଠ ବିଜେପି ନେତା ଭୁବନମୋହନ ଜେନା କହିଥିଲେ । ସେହିଭଳି ଗ୍ରାମାଞ୍ଚଳ ସ୍କୁଲ ଶିକ୍ଷା , କଲେଜ ଶିକ୍ଷାଦାନ ଭିତ୍ତିଭୂମୀ ବିପର୍ଯ୍ୟସ୍ତ , ବିଧାୟକମାନେ ଶିକ୍ଷା ବିକାଶ କ୍ଷେତ୍ରରେ ଆଖି କାନରେ ଅନ୍ଧପୁଟୁଳି ବାନ୍ଧି ବସିଛନ୍ତି । ଜିଲ୍ଲାରେ କେନ୍ଦ୍ରାପଡା ମହାବିଦ୍ୟାଳୟକୁ କେନ୍ଦ୍ରକରି ମାର୍ଶାଘାଇ, ପଟ୍ଟାମୁଣ୍ଡାଇ, ରାଜକନିକା ଓ ରାଜନଗର ମହାବିଦ୍ୟାଳୟକୁ ଆଞ୍ଚଳିକ କେନ୍ଦ୍ରକରି ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ଅବହେଳା ବିରୋଧରେ ଶୈକ୍ଷିକ ପରିବାର ଯୁବକମାନଙ୍କୁ ନେଇ କ୍ୟାମ୍ପସ ଆନ୍ଦୋଳନ ପାଇଁ କେନ୍ଦ୍ରାପଡା ବିଜେପି ବାଧ୍ୟହେବ । କେନ୍ଦ୍ରାପଡା ଯୁବକର ନିଯୁକ୍ତି ଓ କେନ୍ଦ୍ରାପଡାବାସୀଙ୍କ ଆର୍ଥିକ ସ୍ଥିତି ଉଦବେଗଜନକ ହୋଇଥିବା ବେଳେ ପ୍ରବାସୀ କେନ୍ଦ୍ରାପଡିଆ ନିଯୁକ୍ତି ପାଇଁ କୈାଣସି ପଦକ୍ଷେପ ନେବା କ୍ଷେତ୍ରରେ ଜନପ୍ରତିନିଧିମାନେ ବ୍ୟର୍ଥ ହୋଇଛନ୍ତି । ଶିଳ୍ପ ସ୍ଥାପନ ସ୍ଳୋଗାନ ନିର୍ବାଚନ ପୂର୍ବରୁ ମନେପଡେ ଶାସକ ଦଳର ମାତ୍ର କାର୍ଯ୍ୟାନୂୟନ ସାତ ସପନ । ଅଳେଇଲୋ ଷ୍ଟିଲ ପ୍ଲାଣ୍ଟ ଠାରୁ ମିତ୍ତଲ -ନିପନ ପ୍ରକଳ୍ପ ସବୁ କେବଳ ଆନ୍ତରିକତାହୀନ ମିଛ ପ୍ରତିଶୃତି । ଏପରିକି ପାଖ ଶିଳ୍ପସମୁହରେ ଜିଲ୍ଲା ସ୍ୱାର୍ଥ ସୁରକ୍ଷା କରିବାରେ ଜନପ୍ରତିନିଧିମାନେ ବିଫଳ । କେନ୍ଦ୍ରାପଡା ଜିଲ୍ଲା ପାଇଁ ଖଣି ଡିଏମଏଫ ଓ ଶିଳ୍ପ ସିଏସଆର ପାଣ୍ଠିରୁ ୫ହଜାର କୋଟି ଟଙ୍କାର ଭିତ୍ତିଭୂମୀ ବିକାଶ ପ୍ରକଳ୍ପ ଡିପିଆର ପ୍ରସ୍ତୁତ କରି ଶିକ୍ଷା, ସ୍ୱାସ୍ଥ୍ୟ, ଯୋଗାଯୋଗ, କୃଷି ବିକାଶ ଓ ବିକଳ୍ପ ସବୁଜ ଶକ୍ତି ଓ ପରିବେଶ ସୁରକ୍ଷାରେ ପ୍ରଥମେ ସମୟବଦ୍ଧ ବିନିଯୋଗ ହେବା ପାଇଁ ଭାରତୀୟ ଜନତା ପାର୍ଟି ନିର୍ଣ୍ଣୟାତ୍ମକ ସତ୍ୟାଗ୍ରହ କରିବ । କେନ୍ଦ୍ରାପଡାରେ ଲୋକଙ୍କ କାଳ ବିଜୁ ଜନତା ଦଳ ନିର୍ବାଚିତ ପ୍ରତିନିଧି ଓ ସରକାର ଙ୍କ ବିରୋଧରେ ଆସନ୍ତା ଡିସେମ୍ବରମାସ ୭ତାରିଖରେ ମହାକାଳପଡା ତହସିଲ ଠାରୁ ସତ୍ୟାଗ୍ରହ ଆରମ୍ଭ ହୋଇ ପରବର୍ତ୍ତୀ ସମୟରେ ପ୍ରତ୍ୟେକ ବିଧାନସଭା କ୍ଷେତ୍ର ଓ ବ୍ଲକ ମାନଙ୍କରେ ସ୍ଥାନୀୟ ଜନସମସ୍ୟା ସମାଧାନ ପାଇଁ ବିଜେପି ବ୍ୟାପକ ଆନ୍ଦୋଳନ କରିବ । ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ଅଲେଖ ଜେନା, ଦୁର୍ଯ୍ୟୋଧନ ସାହୁ, ମାନସ ମହାନ୍ତି, ରଶ୍ମୀରଞ୍ଜନ ବେହୁରା, ଗଗନବିହାରୀ ସାହୁ, ପବିତ୍ର ପରିଡା, ରଣଜିତ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ