ଜିଲ୍ଲା ପ୍ରଶାସନର ଅପାରଗତା ବିରୋଧରେ ଗଣଧାରଣା ଆସନ୍ତା ୧୮ରେ,
ବାଲେଶ୍ୱର, (ସରୋଜ ପଣ୍ଡା) : ଆସନ୍ତା ୧୮ ତାରିଖ ଗୁରୁବାର ଦିନ ସକାଳ ୯ଟାରୁ ବାଲେଶ୍ୱର ସିଭିଲ୍ ସୋସାଇଟି ପକ୍ଷରୁ ଫକୀରମୋହନ ଗୋଲେଇ ପାଶ୍ୱର୍ରେ ବିଭିନ୍ନ ସାମାଜିକ ଓ ଗଣସଂଗଠନର ମିଳିତ ଗଣଧାରଣା ପାଇଁ ସିଭିଲ୍ ସୋସାଇଟିର ଶନିବାର ଦିନ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଓଡ଼ିଶାର ପ୍ରଥମ ଓ ବାଲେଶ୍ୱରର ଜୀବନରେଖା କୁହାଯାଉଥିବା ଉଡ଼ନ୍ତାପୋଲର ମରାମତି କାର୍ଯ୍ୟ ସଠିକ୍ମାନର ନହେଉଥିବା ଅଭିଯୋଗ ଉପରେ ଏହି ବୈଠକ ଆହ୍ୱାନ କରାଯାଇଥିଲା । ପଢ଼ୁଆଁପଦାସ୍ଥିତ ଉଠାଜଳସେଚନ କର୍ମଚାରୀ ଭବନ ସଭାଗୃହରେ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ସାମାଜିକ ଓ ଗଣସଂଗଠନର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସେମାନଙ୍କ ବକ୍ତବ୍ୟରେ ପ୍ରଥମେ ପୋଲର ନିମ୍ନଭାଗରେ କାର୍ଯ୍ୟ ଶେଷ ନକରି ଉପରିଭାଗରେ ମରାମତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚି ଥିବାରୁ ବିସ୍ମୟ ପ୍ରକାଶ କରିଥିଲେ । ପ୍ରାୟ ନଅ କୋଟି ଟଙ୍କା ଅଟକଳରେ ମରାମତି କାର୍ଯ୍ୟର ଅର୍ଥ ତୋଷରପାତ ନହେଉ ବୋଲି ସେମାନେ ମତ ଦେଇଥିଲେ । ସିଭିଲ୍ ସୋସାଇଟି ପକ୍ଷରୁ ଜିଲ୍ଲାପାଳଙ୍କୁ ଏହି ଘଟଣାରେ ଲିଖିତ ଅଭିଯୋଗ ଦେଲେ ମଧ୍ୟ ସେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । ମାନ୍ୟବର ଉଚ୍ଚ ଅଦାଲତଙ୍କ ଆଦେଶକୁ ଜିଲ୍ଲା ପ୍ରଶାସନ ଭ୍ରୁକ୍ଷେପ କରୁନଥିବା ସଂପର୍କରେ ସୋସାଇଟିର ସଂପାଦକ ତଥା ଆଇନଜୀବି ମନୋଜ ନାୟକ ଅଭିଯୋଗ କରିଥିଲେ । ଏହି ବୈଠକରେ ସିଭିଲ୍ ସୋସାଇଟି ପକ୍ଷରୁ ମୋକଦ୍ଦମା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବି କରୁଣାକର ରଥ ଯୋଗଦେଇ ଜନଗଣଙ୍କ ବୃହତ୍ତର ସ୍ୱାର୍ଥ ପାଇଁ ମାନ୍ୟବର ଅଦାଲତ ଦେଇଥିବା ଆଦେଶର ତର୍ଜମା କରିଥିଲେ । ବରିଷ୍ଠ ନାଗରିକ ମଞ୍ଚର ଜିଲ୍ଲା ସଂପାଦକ ତଥା ସିଭିଲ୍ ସୋସାଇଟିର ଉପଦେଷ୍ଟା ଲକ୍ଷ୍ମୀଧର ବେହେରା ଓ ଗୌରାଙ୍ଗ ପାଣିଗ୍ରାହୀ ଉଡ଼ନ୍ତାପୋଲର ମରାମତି ନିମିତ୍ତ ଦୀର୍ଘବର୍ଷ ଧରି ସୋସାଇଟିର ଉଦ୍ୟମ ଓ ରାଜ ସରକାରଙ୍କ ପକ୍ଷରୁ ଅର୍ଥମଂଜୁରୀ ପରେ ବି ପ୍ରଶାସନର ଅପାରଗତା ପାଇଁ ମରାମତି କାର୍ଯ୍ୟ ବିଳମ୍ବ ଓ ନିମ୍ନମାନର ହେଉଥିବାର ଦର୍ଶାଇଥିଲେ । ବିଭିନ୍ନ ସଂଗଠନ ପକ୍ଷରୁ ରଘୁନାଥ ଲେଙ୍କା, ଶ୍ରଦ୍ଧାଞ୍ଜଳି ରାୟ, ପ୍ରଦୀପ କୁମାର ଚାଟାର୍ଜୀ, ଅନୁସ୍ୱୟା ନାୟକ, ବାସନ୍ତୀ ସାମଲ, ଶତ୍ରୁଘ୍ନ ମଲ୍ଲିକ୍, ପ୍ରଜ୍ଞା ପାରମିତା ମହାନ୍ତି, ବାସନ୍ତୀ ନାୟକ, ସୀତାରାମ ପ୍ରଧାନ, ଅର୍ଚ୍ଚନା ନନ୍ଦୀ, ମହମ୍ମଦ ଇସଲାମ୍, ଭଗବାନ ମହନୀ, ବେଣୁଧର ରାଉଳ, ପରମେଶ୍ୱର ପାତ୍ର, ଅଜିତ୍ କୁମାର ବରାଳ ଓ ଶରତ ଚନ୍ଦ୍ର ଦଳେଇ ପ୍ରମୁଖଙ୍କ ମତାମତକୁ ତର୍ଜମା କରି ଆସନ୍ତା ୧୮ ତାରିଖ ଦିନ ମିଳିତ ଗଣଧାରଣା ପାଇଁ ସର୍ବସମ୍ମତି ନିଷ୍ପତ୍ତି ନିଆଯାଇଛି । ଦଳମତ ନିର୍ବିଶେଷରେ ସମସ୍ତ ବର୍ଗର ଜନସାଧାରଣ ଓ ବିଭିନ୍ନ ଗଣ ସଂଗଠନମାନେ ଏହି ଶାନ୍ତିପୂର୍ଣ୍ଣ ଗଣତାନ୍ତ୍ରିକ ଆନ୍ଦୋଳନରେ ଯୋଗଦେବାକୁ ବୈଠକରେ ନିବେଦନ କରାଯାଇଛି । ଶ୍ୟାମସୁନ୍ଦର ଜେନା ବୈଠକରେ ଉପସ୍ଥିତ ଥିବା ବ୍ୟକ୍ତିମାନଙ୍କୁ ଧନ୍ୟବାଦ ଦେଇଥିଲେ ।