ଜିଲ୍ଲା ପ୍ରଶାସନ ଅନାଥ ପିଲାମାନଙ୍କ ବାପା ମା ସାଜି ପିଲାଙ୍କ ମନ ପସନ୍ଦର ଡ୍ରେସ କିଣାଇଲେ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନେତୃତ୍ୱରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ନିଷ୍ପତ୍ତି ହୋଇଥିବା ପ୍ରକାରେ ଜିଲ୍ଲାରେ ଥିବା ଏକ ମାତ୍ର ବାଳିକ ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀଙ୍କ ଖୁସି ନିମନ୍ତେ କିଛି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଜିଲ୍ଲା ପ୍ରଶାସନ ସେମାନଙ୍କୁ ପାରଳାଖେମୁଣ୍ଡି ସହରର ଏକ ଘରୋଇ ବସ୍ତ୍ର ଦୋକାନ କୁ ନେଇ ନିଜ ମନ ପସନ୍ଦର ଡ୍ରେସ କିଣାଇଛନ୍ତି । ନିଜ ପିଲାମାନଙ୍କୁ ପିତାମାତା ମାନେ ଯେପରି କୌମସି ଦୋକାନକୁ ନେଇ ପିଲାକୁ ନିଜ ମନମୁତାବକ ଡ୍ରେସ କିଣିବାରେ ସାହାଯ୍ୟ କରିଥାନ୍ତି ସେହିପରି ଜିଲ୍ଲା ପ୍ରଶାସ ନ ଅନାଥ ଶିଶୁମାନଙ୍କ ପିତାମାତା ସାଜି ସେମାନଙ୍କୁ ଏହି ସୁଯୋଗ ପ୍ରଦାନ କରିଥିଲା । ଏହି ଅବସରରେ ପିଲାମାନେ ପ୍ରକାଶ କରିଥିଲେ ଯେ, ବାପା ମା ନଥିବା ଯୋଗୁଁ ଆମ୍ଭେମାନେ ଏହି ସୁଯୋଗ କେବେ ପାଇପାରି ନଥିଲୁ । କିନ୍ତୁ ଜିଲ୍ଲା ପ୍ରଶାସନ ଯୋଗୁଁ ପାରଳାଖେମୁଣ୍ଡିର ବଡଦାଣ୍ଡ ସାହି ଠାରେ ଥିବା ଏକ ଶୀତତାପ ନିୟନ୍ତ୍ରୀତ ସପିଂ ମକୁ ଆସି ଆମ ପସନ୍ଦର ପୋଷାକ କିଣିବାର ସୁଯୋଗ ପାଇଥିବାରୁ ଆମ୍ଭ ବହୁତ ଖୁସି । ଏହି ସୁଯୋଗ ପ୍ରଦାନ କରିଥିବାରୁ ପିଲାମାନେ ଜିଲ୍ଲା ପ୍ରଶାସନକୁ ଅଶେଷ ଧନ୍ୟବାଦ ଜଣାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ପରିଷଦର ସଭାପତି ଗାବରା ତିରୁପତି ରାଓ ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିବା ସହ ଉକ୍ତ ସପିଂ ମଲରେ ଏକ ଘଣ୍ଟାରୁ ଉର୍ଦ୍ଧ ସମୟ ରହି ପିଲାମାନଙ୍କ ସହ ହସଖୁସିରେ ସମୟ ବିତାଇଥିଲେ । ସେହିପରି ଗଜପତି ଜିଲ୍ଲା ଗସ୍ତରେ ଥିବା ରାଜ୍ୟ ଶିଶୁ ସୁରକ୍ଷା ସମିତିର ପ୍ରକଳ୍ପ ପରିଚାଳକ ପ୍ରିତୀକାନ୍ତ ପଣ୍ଡା ଉକ୍ତ ସପିଂ ମଲ୍କୁ ଯାଇ ଏହି ପିଲାମାନଙ୍କ ସହ ରହି ସେମାନଙ୍କୁ ଉତ୍ସାହିତ କରିବା ସହ ଜିଲ୍ଲାରେ ହେଉଥିବା ଏଭଳି କାର୍ଯ୍ୟକ୍ରମକୁ ସ୍ୱାଗତ କରିଥିଲେ ଏବଂ ଆଗାମୀ ଦିନରେ ଅନ୍ୟ ଜିଲ୍ଲା ମାନଙ୍କରେ ଏଭଳି କାର୍ଯ୍ୟକ୍ରମ କରିବା ନିମନ୍ତେ ପରାମର୍ଶ ଦିଆଯିବ ବୋଲି ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଶିଶୁ ଯତ୍ନ ଅନୁଷ୍ଠାନର କର୍ମକର୍ତ୍ତା ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କର୍ମଚାରୀମାନେ ସହଯୋଗ କରିଥିଲେ ।