ଜିଲ୍ଲା ପ୍ରଶାସନ ତରଫରୁ କମ୍ପ୍ୟୁଟର ଆତ୍ମରକ୍ଷା କୌଶଳ ଓ ନୃତ୍ୟ ଶିକ୍ଷା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତିରେ ଶିଶୁ ଯତ୍ନ ଓ ସୁରକ୍ଷା ଅନୁଷ୍ଠାନରେ ରହିଆସୁଥିବା ମାତୃପିତୃ ହୀନ ଶିଶୁଙ୍କ ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ବିଗତ ଦିନ ମାନଙ୍କରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଥିବା ବେଳେ ବର୍ତ୍ତମାନ ବିଭିନ୍ନ ଅନୁଷ୍ଠାନରେ ରହୁଥିବା ଶିଶୁମାନଙ୍କ ପାଇଁ ବିଭିନ୍ନ ଧନ୍ଦାମୂଳକ ଶିକ୍ଷା ଏବଂ କୌଶଳ ଉନ୍ନତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନ ତରଫରୁ ହାତକୁ ନିଆଯାଇଛି । ଯଥା ଗୁମ୍ମାରେ ଥିବା ଶିଶୁ ଯତ୍ନ ଅନୁଷ୍ଠାନ ନିସାଲ ସାଲୋମ ଚାଇଲ୍ଡଲାଇନ ହୋମ୍ରେ ରହୁଥିବା ୨୮ ଜଣ ଶିଶୁ ମାନଙ୍କ ମଧ୍ୟରୁ ୧୬ ଜଣ ପଲାଙ୍କ ପାଇଁ କମ୍ପ୍ୟୁଟର ଶିକ୍ଷାଏବଂ ଅନ୍ୟ ୧୨ ଜଣଙ୍କ ପାଇଁ ନୃତ୍ୟ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଆର୍.ସୀତାପୁର ଠାରେ ଥିବା ଶିଶୁ ଯତ୍ନ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ନିକେତନରେ ରହୁଥିବା ୨୫ ଜଣ ଶିଶୁମାନଙ୍କ ପାଇଁ ଆତ୍ମରକ୍ଷା କୌଶଳ ଉପରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ବି.କୀତାପୁର ଠାରେ ଥିବା ଶିଶୁ ଯତ୍ନ ଅନୁଷ୍ଠାନ ପ୍ରାଉଡରେ ରହିଥିବା ୩୬ ଜଣ ଶିଶୁଙ୍କ ମଧ୍ୟରୁ ଆଗ୍ରହ ଥିବା ୧୮ ଜଣ ଶିଶୁଙ୍କ ନିମନ୍ତେ ନୃତ୍ୟଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଶିଶୁମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏବଂ ପିଲାମାନଙ୍କ ମମୟକୁ ଠିକ୍ ଭାବେ ଉପଯୋଗ କରିବା ପାଇଁ ସ୍ଥାନୀୟ ପ୍ରଶିକ୍ଷକଙ୍କ ସହିତ ମିଶି ଗଜପତି ଜିଲ୍ଲା ପ୍ରଶାସନ ଏହି କାର୍ଯ୍ୟକ୍ରମ ସମୂହ ହାତକୁ ନେଇଛି ।ଏହି କାର୍ଯ୍ୟକ୍ରମ ଗୁଡିକ ଆସନ୍ତା ୨ ମାସ ପର୍ଯ୍ୟନ୍ତ ଚାଲୁ ରହିବ । ସେଥିରେ ଭଲ ପ୍ରଦର୍ଶନ କରୁଥିବା ଏବଂ ଆଗ୍ରହ ପ୍ରକାଶ କରୁଥିବା ଶିଶୁମାନଙ୍କୁ ଆଗମୀ ଦିନରେ ଯଥେଷ୍ଟ ସୁଯୋଗ ସୃଷ୍ଟି କରିବା ପାଇଁ ପ୍ରଶିକ୍ଷକମାନେ ସହଯୋଗ କରିହା ସହ ଜିଲ୍ଲା ପ୍ରଶାସନ ଏଥିପାଇ କାମ କରିବେ । ଯେଉଁଥିରେ ଶିଶୁମାନେ ପାଠ ପଢିବା ସହ ସେମାନଙ୍କ ର ମନୋରଞ୍ଜନ ହୋଇପାରିବେ ଏବଂ ସେମାନେ ନିଜକୁ ଦକ୍ଷ ପ୍ରମାଣିତ କରିବା ସହ ଆତ୍ମନିର୍ଭରଶୀଳ ହୋଇପାରିବେ । ନୃତ୍ୟ ଶିକ୍ଷାନିମନ୍ତେ ଶୁଭେନ୍ଦୁ ମୋହନ ସେନାପତି ଓ ଲୋକଲାପୁ ଜଗନ୍ନାଥ ରାଓ ଏବଂ ଆତ୍ମରକ୍ଷା କୌଶଳ ଶିକ୍ଷା ନିମନ୍ତେ ନାଗେଶ୍ୱର ମହାପାତ୍ର ଓ କମ୍ପ୍ୟୁଟର ଶିକ୍ଷା ନିମନ୍ତେ ସମ୍ବ୍ରମ ବୀର ପ୍ରମୁଖ ନିଯୁକ୍ତି ହୋଇଥିବା ର ଜଣାପଡିଛି ।