ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳିତ ହେଲା ଏକାଦଶ ଜାତୀୟ ମତଦାତା ଦିବସ ୧୮ ରୁ ୨୫ ବର୍ଷ ବୟସ ମଧ୍ୟରେ ପଞ୍ଜିକୃତ ନୂତନ ଭୋଟରଙ୍କୁ ପରିଚୟପତ୍ର ପ୍ରଦାନ
ବାଲେଶ୍ୱର,(ଓ୍ବାଇଏନ୍ଏସ୍): ଜିଲ୍ଲା ପ୍ରଶାସନ ପକ୍ଷରୁ ଏକାଦଶ ଜାତୀୟ ମତଦାତା ଦିବସ ଆଜି ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ କେ ସୁଦର୍ଶନ ଚକ୍ରବର୍ତୀ ଯୋଗଦେଇ ଜାତୀୟ ଭୋଟର ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଗଣତନ୍ତ୍ରର ମୁଖ୍ୟ ଉପାଦାନ ଭାବେ ନାଗରିକର ମତଦାନ ଅଧିକାର ସାବ୍ୟସ୍ତ ସହ ନିରପେକ୍ଷ ଓ ସ୍ୱଚ୍ଛ ନିର୍ବାଚନ କରାଇବା ଉଦ୍ଦେଶ୍ୟରେ ଏହି ଦିବସ ପାଳିତ ହୋଇଆସୁଛି । ନୂତନ ଭୋଟରଙ୍କୁ ସେମାନଙ୍କ ଦାୟିତ୍ୱ ଓ କର୍ତବ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି ଏହି ଦିବସର ମୂଳଲକ୍ଷ୍ୟ ବୋଲି ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତୀ କହିଥିଲେ । ନାଗରିକଙ୍କୁ ମିଳିଥିବା ମତଦାନର ଅଧିକାର ବ୍ୟବହାର ସହ ଭୋଟ ହାର ବୃଦ୍ଧି ପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଚଳିତ ବର୍ଷ ଜାତୀୟ ଭୋଟର ଦିବସ ପାଳନ ଅବସରରେ ଭାରତର ନିର୍ବାଚନ କମିଶନ ପକ୍ଷରୁ ନୂତନ ଭାବେ ଇ-ପରିଚୟ ପତ୍ର ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି । ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରଚଳିତ ଭୋଟର୍ସ ହେଲ୍ପଲାଇନ ମୋବାଇଲ ଆପ୍ ମାଧ୍ୟମରେ ଏହି ଇ-ପରିଚୟପତ୍ର ମିଳିପାରିବ ବୋଲି ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତୀ ସୂଚନା ଦେଇଥିଲେ । ଫେବୃଆରୀ ମାସ ଏକ ତାରିଖରୁ ସମସ୍ତ ଭୋଟର ନିଜ ମୋବାଇଲରେ ଏହି ଇ-ପରିଚୟ ପତ୍ରକୁ ଡାଉନଲୋଡ ସହ ଆବଶ୍ୟକ ସମୟରେ ବ୍ୟବହାର କରିପାରିବେ ବୋଲି ସେ କହିଥିଲେ । ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ସମ୍ବିତ କୁମାର ନାୟକ ଏଥିରେ ପୌରୋହିତ୍ୟ କରିଥିଲେ । ବାଲେଶ୍ୱର ଉପ-ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ, ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ରଞ୍ଜନ କୁମାର ଗିରି ଓ ନିର୍ବାଚନ ଅଫିସର ଶ୍ରୀ ମନୋଜ କାର୍ଜି ପ୍ରମୁଖ ଏଥିରେ ଯୋଗଦେଇ ଜାତୀୟ ମତଦାତା ଦିବସ ପାଳନର ଯଥାର୍ଥତା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ମତଦାତାଙ୍କ କର୍ତବ୍ୟ ସମ୍ପର୍କରେ ସମସ୍ତଙ୍କୁ ଶପଥ ପାଠ କରାଯାଇଥିଲା ।ଭୋଟର ତାଲିକା ପ୍ରସ୍ତୁତି ସହ ନିର୍ବାଚନ ପରିଚାଳନାରେ ଅଂଶଗ୍ରହଣ କରୁଥିବା ବ୍ୟକ୍ତିମାନେ ମଧ୍ୟ ଏଥିରେ ନିଜର ଅନୁଭୂତି ଓ ଅଭିଜ୍ଞତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ବାଲେଶ୍ୱର ଜିଲ୍ଲାରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଅଭିଯାନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପ୍ରତ୍ୟେକ ବ୍ଲକର ଶ୍ରେଷ୍ଠ ତିନି ଜଣ ଓ ଜିଲ୍ଲାର ଶ୍ରେଷ୍ଠ ତିନି ଜଣ ବୁଥ ଲେଭେଲ ଅଫିସର (ବିଏଲଓ)ମାନଙ୍କୁ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା । ଏହା ସହିତ ଗତ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ଉପନିର୍ବାଚନ ପରିଚାଳନାରେ ଉତ୍କର୍ଷ ସେବା ପ୍ରଦାନ କରିଥିବା ବିଏଲଓ, ନିର୍ବାଚନ ଅଧିକାରୀ, ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀ, ଆଶା ଓ ଅଙ୍ଗନବାଡି କର୍ମୀ, ସ୍ୱେଚ୍ଛାସେବୀ ପ୍ରମୁଖଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା । ଶେଷରେ ନୂତନ ଭାବେ ପଞ୍ଜିକୃତ ୧୮ ରୁ ୨୫ ବର୍ଷ ବୟସର ନୂତନ ଭୋଟରମାନଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିଲା ।