ଜିଲ୍ଲା ପ୍ରଶାସନ ଶାସକ ଦଳର ହାତ ବାରିସୀ ସାଜିଛି

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ଗରାପୁର ସ୍ଥିତ ସ୍ୱୟଂସିଦ୍ଧା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ବିଜେପିର ପୂର୍ବତନ ଜିଲ୍ଲା ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦୁର୍ଯୋଧନ ସାହୁ ଏଥିରେ ଯୋଗଦେଇ ସାମ୍ବାଦିକ ମାନଙ୍କୁ କହିଲେ ଯେ ବିଜେପି ସଦା ସର୍ବଦା ନିର୍ବାଚନ ଆଚରଣ ବିଧିକୁ ସମ୍ମାନ ଜଣାଇ ସୁସ୍ଥ, ନିରପେକ୍ଷ ତଥା ଶାନ୍ତିପୂର୍ଣ୍ଣ ନିର୍ବାଚନ ଚାହେଁ । କିନ୍ତୁ ରାଜ୍ୟରେ ଶାସନ କରୁଥିବା ଶାସକ ଦଳ ବର୍ତ୍ତମାନ ଆଚରଣ ବିଧିକୁ ଖୋଲାଖୋଲି ଉଲ୍ଲଙ୍ଘନ କରୁଛି । ବର୍ତ୍ତମାନ ଅଙ୍ଗନ୍‌ୱାର୍ଡି କର୍ମୀ, ଆଶା କର୍ମୀ, ମିଶନ ଶକ୍ତିର ଏମବିକେ, ସିଆରପି, ଶିକ୍ଷକ ଓ ଅଧ୍ୟାପକଙ୍କ ଠାରୁ ଆରମ୍ଭ କରି ଅନେକ ସରକାରୀ କର୍ମଚାରୀ ଶାସକ ଦଳରେ ଖୁଲମଖୁଲା ପ୍ରଚାରରେ ସାମିଲ ହେଉଛନ୍ତି । ନିକଟରେ ମାର୍ଶାଘାଇ ମିଶନ ଶକ୍ତି ଫେଡରେସନର ଜନୈକ ସଭାନେତ୍ରୀ, ତାରିଣୀ କଲେଜର କ୍ରୀଡା ବିଭାଗର ଜନୈକ ଅଧ୍ୟାପକଙ୍କ ବିଜେଡି ରାଲିରେ ଯୋଗଦେବା ଓ ଏହାର ଭିଡିଓ ଭାଇରାଲ ହେବା ଘଟଣା ଏହାର ଅନ୍ୟତମ ଉଦାହରଣ । ସେହିପରି ସରକାରୀ ବେତନଭୋଗୀ ସରକାରୀ ଓକିଲ ମାନେ ଦଳୀୟ ପର୍ଯ୍ୟବେକ୍ଷକ ଭାବେ ଶାସକ ଦଳ ପ୍ରାର୍ଥୀମାନଙ୍କର ନିର୍ବାଚନର ସିଧାସଳଖ ଦାୟିତ୍ୱ ନେବା ନିର୍ବାଚନ ଆଚରଣ ବିଧିର ଉଲଙ୍ଘନ ନୁହେଁ କି ବୋଲି ଶ୍ରୀ ସାହୁ ପ୍ରଶ୍ନ କରିଛନ୍ତି । ସେହିପରି ଜିଲ୍ଲାର ଅନେକ ସ୍ଥାନରେ ଶାସକ ଦଳର ବ୍ୟାନର ପୋଷ୍ଟର ଲାଗିଥିବା ବେଳେ ଶାସକ ଦଳର ଇଙ୍ଗିତରେ ପୋଲିସ ଉଦ୍ଦେଶ୍ୟମୂଳକ ଭାବରେ ବିଜେପିର ବ୍ୟାନର, ପତାକା ଓ ପୋଷ୍ଟରକୁ ଚିରିଦେବା, ନିର୍ବାଚନ ସାମଗ୍ରୀ ନେଉଥିବା ଗାଡ଼ିକୁ ବଳପୂର୍ବକ ଅଟକାଇବା, କେବଳ ବିଜେପି ନେତାଙ୍କ ଗାଡିରୁ ଦଳୀୟ ପତାକା ଖୋଲିଦେବା ଓ ଅନୁମତି ନାଁରେ ବିଭିନ୍ନ ସଭା ସମିତିକୁ ଭଣ୍ଡୁର କରିବା କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ଶ୍ରୀ ସାହୁ କହିଥିଲେ । ଏ ବାବଦରେ ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ଏହା ବିରୋଦ୍ଧରେ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆ ଯାଇ ନାହିଁ ବୋଲି ଶ୍ରୀ ସାହୁ ଅଭିଯୋଗ କରିଥିଲେ । ଜିଲ୍ଲାର ସାଧାରଣ ଜନତା ବିଜେଡି ଦଳର ଏହି ଏକଛତ୍ରବାଦ କାର୍ଯ୍ୟକଳାପ ବିଷୟରେ ଅବଗତ ହେଲେଣି । ଯଦି କୌଣସି ସରକାରୀ କର୍ମଚାରୀ ଆଚରଣ ବିଧି ଉଲ୍ଲଂଘନ କରି କୌଣସି କାର୍ଯ୍ୟ କରନ୍ତି ତେବେ ସାଧାରଣ ଜନତା ଏହାର ଆଇନଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପଛାଇବେ ନାହିଁ ବୋଲି ଶ୍ରୀ ସାହୁ ଦୃଢୋକ୍ତି ପ୍ରକାଶ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଉପସଭାପତି ଅଭିମନ୍ୟୁ ଗୋଛାୟତ, ବରିଷ୍ଠ ନେତା ଗଗନ ବିହାରୀ ସାହୁ, ଆଡଭୋକେଟ ସୁବ୍ରତ ପଟ୍ଟନାୟକ, ସୁବାସ ସାହୁ, ସୁଧୀର କୁମାର ପରିଡ଼ା ଓ ମିଡିଆ ସେଲ ପ୍ରମୁଖ ନେହେରୁ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ