ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ନିଷ୍ପତ୍ତି

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ବାଲେଶ୍ୱର ଜିଲ୍ଲାରେ ବସବାସ କରୁଥିବା ପ୍ରାୟ ୨ଲକ୍ଷ ୫୦ହଜାରରୁ ଊଦ୍ଧ୍ୱର୍ ବରିଷ୍ଠ ନାଗରିକମାନଙ୍କ ସାମାଜିକ ଓ ଆର୍ଥିକ ନିରାପତ୍ତା ଏବଂ ସ୍ୱାସ୍ଥ୍ୟଗତ ସମସ୍ୟାର ସମାଧାନ କ୍ଷେତ୍ରରେ ଜିଲ୍ଲା ପ୍ରଶାସନ, ପୋଲିସ୍ କର୍ତ୍ତୃପକ୍ଷ ଓ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଲଗାତର ଅବହେଳା ଓ ବୈମାତୃକ ମନୋଭାବ ପୋଷଣ କରାଯାଉଥିବା ଘେନି ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଆଜି ପୂର୍ବାହ୍ନରେ ସ୍ଥାନୀୟ ନୃତ୍ୟ ସଂଗୀତ କଳା ମନ୍ଦିରରେ ଅନୁଷ୍ଠିତ କୋର କମିଟି ବୈଠକରେ ଗଭୀର କ୍ଷୋଭ ପ୍ରକାଶ କରାଯାଇଛି । ସେମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ସରକାର ଗୁରୁତ୍ୱ ଆରୋପ କରିଆସୁଥିବାବେଳେ ଜିଲ୍ଲାସ୍ତରୀୟ ସରକାରୀ କର୍ତ୍ତୃପକ୍ଷଙ୍କ ସେମାନଙ୍କ ପ୍ରତି ଅଣଦେଖା ଓ ହେୟ ମନୋଭାବ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଗୁହାରୀ କରିବା ଲାଗି ନିଷ୍ପତ୍ତି ଗୃହୀତ ହୋଇଛି । ସଭାପତି ବୈଦ୍ୟନାଥ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ଏହି କୋର କମିଟି ବୈଠକରେ ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ବେହେରା ସରକାରଙ୍କ ଦ୍ୱାରା ଏଠାରେ ପ୍ରତିଷ୍ଠା ହେବାକୁ ଥିବା ଜିଲ୍ଲା ସ୍ତରୀୟ ଅସହାୟ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ପୁନର୍ବାସ ପ୍ରକଳ୍ପର କାର୍ଯ୍ୟକାରିତା ଘେନି ଦୀର୍ଘ ବର୍ଷାଧିକ କାଳଧରି ଜିଲ୍ଲା ପ୍ରଶାସନ ଦ୍ୱାରା ଚିହ୍ନଟ ଜମି ଅଧିଗ୍ରହଣ ହୋଇପାରୁନଥିବା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସରକାରଙ୍କ ଅର୍ଥରେ ନିର୍ମିତ ହୋଇଥିବା ଏରିଆଟ୍ରିକ୍ ସ୍ୱତନ୍ତ୍ର ୱାର୍ଡ଼ ପ୍ରାୟ ବର୍ଷାଧିକ କାଳଧରି ଜରାରୋଗୀମାନଙ୍କ ଚିକିତ୍ସାଲାଗି କାର୍ଯ୍ୟକ୍ଷମ କରିବାକୁ ଦିଆଯାଉନଥିବା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବହିର୍ବିଭାଗରେ ବରିଷ୍ଠ ନାଗରିକମାନଙ୍କ ପାଇଁ ଖୋଲାଯାଇଥିବା ସ୍ୱତନ୍ତ୍ର ଚିଠା କାଉଣ୍ଟର ମାତ୍ର ୭ଦିନ କାର୍ଯ୍ୟକ୍ଷମ ହୋଇ ପରେ ବନ୍ଦ ହୋଇଯିବା, ପୋଲିସ୍ ମହାନିର୍ଦ୍ଦେଶକଙ୍କ ସର୍କୁଲାର ମତେ ଜିଲ୍ଲାର ଅସଂଖ୍ୟ ନିଃସହାୟ ବୃଦ୍ଧ ଓ ବୃଦ୍ଧାଙ୍କୁ ସ୍ୱତନ୍ତ୍ର ପୋଲିସ୍ ପରିଚୟ ପ୍ରଦାନ କରିବାରେ ଜିଲ୍ଲା ପୋଲିସ୍ କର୍ତ୍ତୃପକ୍ଷ ଚରମ ଉଦାସୀନ ମନୋଭାବ ପୋଷଣ କରୁଥିବା, ବାର୍ଦ୍ଧକ୍ୟଭତ୍ତା ପ୍ରଦାନ କ୍ଷେତ୍ରରେ ଉପଯୁକ୍ତ ହିତାଧିକାରୀ ଚୟନରେ ପାତର ଅନ୍ତର କରାଯାଉଥିବା ଆଦି ଅଭିଯୋଗ ଉପସ୍ଥାପନ କରିବା ପରେ ଏ ସଂପର୍କରେ ଉପସ୍ଥିତ ବରିଷ୍ଠ ନାଗରିକମାନଙ୍କ ମଧ୍ୟରେ ଗଭୀର ଆଲୋଡ଼ନ ସୃଷ୍ଟି ହୋଇଥିଲା । ଏଠାରେ ଅବସ୍ଥାପିତ ଜିଲ୍ଲା ସାମାଜିକ ସୁରକ୍ଷା ଦପ୍ତର କେବଳ କେତେକ ନ୍ୟସ୍ତସ୍ୱାର୍ଥ ଓ ତୋଷାମଦକାରୀ ବ୍ୟକ୍ତିବିଶେଷଙ୍କ ଦ୍ୱାରା ପରିଚାଳିତ ହେଉଥିବା ବୈଠକରେ ମଧ୍ୟ ଅଭିଯୋଗ ହୋଇଥିଲା । ୍ଏ ଦିଗରେ ଯଥାଶୀଘ୍ର ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ଲାଗି ବୈଠକରେ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯିବାର ସ୍ଥିରୀକୃତ ହୋଇଥିଲା । ଏଥିରେ ଶରତଚନ୍ଦ୍ର ଦାଶ, ଉପେନ୍ଦ୍ର ପ୍ରସାଦ ଦାଶ, ଗୋପୀନାଥ ଦାସ, ବିଷ୍ଣୁପ୍ରସାଦ ମହାନ୍ତି, ସୁଶ୍ରୀ ଅର୍ଚ୍ଚନା ନନ୍ଦୀ, ଅନ୍ତର୍ଯ୍ୟାମୀ ପ୍ରଧାନ, ରାଜେନ୍ଦ୍ର ନାଥ ରାଉତ, ଦେବେନ୍ଦ୍ର ନାଥ ଚୌଧୁରୀ, ମନୋରଂଜନ ପାଳ, ପ୍ରଭାସିନୀ କର, ପ୍ରମୁଖ ସଦସ୍ୟ ସଦସ୍ୟାମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଗୌରାଙ୍ଗ ପାଣିଗ୍ରାହୀ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ