ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ତ୍ରୟମାସିକ ସାଧାରଣ ସଭା
ବାଲେଶ୍ୱର, (ସରୋଜ ପଣ୍ଡା):ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ତ୍ରୟମାସିକ ସାଧାରଣ ସଭା ସ୍ଥାନୀୟ ନୃତ୍ୟ ସଂଗୀତ କଳା ମନ୍ଦିରରେ ବୁଧବାର ଦିନ ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ଜିଲ୍ଲା ସଭାପତି ବୈଦ୍ୟନାଥ ଷଡ଼ଙ୍ଗୀ ସଭାରେ ଅଧ୍ୟକ୍ଷତା କରିଥିଲେ । ସଂପାଦକ ଦାମୋଦର ନାୟକ ଆଲୋଚନାର ବିଷୟ ଆଗତ କରି ଗତ କାର୍ଯ୍ୟକାରୀ କମିଟି ବୈଠକରେ ଗୃହୀତ ଦାବିପତ୍ର ପାଠ କରି ଆସନ୍ତା ଅଗଷ୍ଟ ୧୧ ତାରିଖ ଦିନ ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ଗଣଧାରଣା ପ୍ରସ୍ତାବକୁ ଅନୁମୋଦନ ପାଇଁ ଆଗତ କରିଥିଲେ । ଆବଶ୍ୟକୀୟ ସଂଶୋଧନ ସହ ଦାବିପତ୍ର ଓ ଅଗଷ୍ଟ ୧୧ ତାରିଖ ଗଣଧାରଣା ପ୍ରସ୍ତାବକୁ ସର୍ବସମ୍ମତିକ୍ରମେ ଗ୍ରହଣ କରାଯାଇଛି । ଏହି ଗଣଧାରଣାକୁ ସଫଳ କରିବା ପାଇଁ ମଞ୍ଚର ସଦସ୍ୟ/ସଦସ୍ୟା ତଥା ବରିଷ୍ଠ ନାଗରିକମାନଙ୍କୁ ସଭାରେ ଉପସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ ଅନୁରୋଧ କରିଥିଲେ ।ସରକାରଙ୍କ ପକ୍ଷରୁ ମଞ୍ଜୁରୀପ୍ରାପ୍ତ ସମନ୍ୱିତ ବହୁମୁଖୀ ପ୍ରକଳ୍ପ (ଆଇଆଇସି) ଯୋଜନା ପାଇଁ ତୁରନ୍ତ ଜମି ଚିହ୍ନଟ କରି ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା, ୬୦ବର୍ଷ ବୟସ ଅତିକ୍ରାନ୍ତ କରିଥିବା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ତୁରନ୍ତ ପ୍ରଦାନ କରିବା ଓ ମାସିକ ଦେଢ଼ହଜାର ଟଙ୍କାକୁ ଭତ୍ତାବୃଦ୍ଧି ପାଇଁ ଦାବି କରାଯାଇଛି । ଏହି ଭତ୍ତା ପାଉଥିବା ବୟସ୍କ ବ୍ୟକ୍ତିମାନେ ନଗଦ କିମ୍ବା ବ୍ୟାଙ୍କ ଜରିଆରେ ଭତ୍ତା ଟଙ୍କା ନେବେ, ତାହା ସେମାନଙ୍କଠାରୁ ମତାମତ ନେଇ ପ୍ରଦାନ କରାଯିବା ସହ ବରିଷ୍ଠ ନାଗରିକମାନଙ୍କ ସମସ୍ୟା ସମାଧାନ ପାଇଁ ସବ୍ଡିଭିଜନ୍ସ୍ତରରେ ଗଠିତ ଟ୍ରିବ୍ୟୁନାଲ୍ ନିୟମିତ କାର୍ଯ୍ୟକ୍ଷମ କରିବାକୁ ଦାବି କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜରାରୋଗର ଚିକିତ୍ସା ପାଇଁ ସ୍ୱତନ୍ତ୍ର ୱାର୍ଡ଼ ବ୍ୟବସ୍ଥା ସହ କରୋନା ପୂର୍ବରୁ ରେଳଯାତ୍ରାରେ ବରିଷ୍ଠ ନାଗରିକମାନଙ୍କୁ ଦିଆଯାଉଥିବା ରିହାତି ବ୍ୟବସ୍ଥାକୁ ପୁନଃ ପ୍ରଚଳନ ପାଇଁ ଦାବି କରାଯାଇଛି । ମଞ୍ଚର ସଭ୍ୟ ସଂଖ୍ୟା ବୃଦ୍ଧି ଓ ପୃଷ୍ଠପୋଷକ ସଭ୍ୟ ଗ୍ରହଣ କରିବାକୁ ସାଧାରଣ ସଭାରେ ପ୍ରସ୍ତାବ ଗୃହୀତ ହୋଇଛି । ଆସନ୍ତା ଅକ୍ଟୋବର ପହିଲାରେ ବରିଷ୍ଠ ନାଗରିକ ଦିବସ ଅବସରରେ ମଞ୍ଚର ମୁଖପତ୍ର ‘ସାୟାହ୍ନ’ ପ୍ରକାଶ ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ସଭାରେ ମଞ୍ଚ ଉପଦେଷ୍ଟା ଗିରିଶ ଚନ୍ଦ୍ର ଦାଶ, ଗୌରାଙ୍ଗ ପାଣିଗ୍ରାହୀଙ୍କ ସମେତ ସୀତାରାମ ପ୍ରଧାନ, ଡ. ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ, ପଦ୍ମଲୋଚନ ଦତ୍ତ, ରାଜେନ୍ଦ୍ର ନାଥ ରାଉତ, ଦୀନବନ୍ଧୁ ଲେଙ୍କା, କମଳାକାନ୍ତ ବେହେରା, ତ୍ରିଦିପ ନାୟକ, ଲକ୍ଷ୍ମୀପ୍ରିୟା ଜେନା ଓ ବାସନ୍ତୀ କର ପ୍ରମୁଖ ଅଂଶଗ୍ରହଣ କରିଥିଲେ । ସଭାକାର୍ଯ୍ୟ ଆରମ୍ଭରେ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ବିଗ୍ରହରେ ଉପସ୍ଥିତମାନେ ପୁଷ୍ପାର୍ଘ୍ୟ ପ୍ରଦାନ କରି ସାଧାରଣ ସଂପାଦକ ଲକ୍ଷ୍ମୀଧର ବେହେରାଙ୍କ ସ୍ୱାସ୍ଥ୍ୟର ଆଶୁ ଆରୋଗ୍ୟ କାମନା କରିଥିଲେ । ମଞ୍ଚର ସଦସ୍ୟ ବସନ୍ତ କୁମାର ଦତ୍ତଙ୍କ ବିୟୋଗରେ ଦୁଇମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ମଞ୍ଚର ଅନ୍ୟତମ ପ୍ରତିଷ୍ଠାତା ତଥା ବୟୋଜ୍ୟେଷ୍ଠ ସଦସ୍ୟ ଶରତ ଚନ୍ଦ୍ର ଦାଶ ଉପସ୍ଥିତମାନଙ୍କୁ ଧନ୍ୟବାଦ ସହ ଆଶୀର୍ବର୍ାଦ ପ୍ରଦାନ କରିଥିଲେ ।


