ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ଆସନ୍ତା ୧୧ ତାରିଖ ଗଣଧାରଣା ସଫଳ ପାଇଁ ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା):ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଛଅଦଫା ଦାବିରେ ଆସନ୍ତା ୧୧ ତାରିଖ ଶୁକ୍ରବାର ଦିନ ୧୦ଟାରୁ ବାଲେଶ୍ୱର ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ମଞ୍ଚର ସଦସ୍ୟ ତଥା ବୟସ୍କ ବ୍ୟକ୍ତିମାନେ ଗଣଧାରଣା ଦେବେ । ଗଣଧାରଣା ଆନ୍ଦୋଳନକୁ ସଫଳ କରିବା ପାଇଁ ଶନିବାର ପୂର୍ବାହ୍ନରେ ମଞ୍ଚର ଜିଲ୍ଲା କାର୍ଯ୍ୟାଳୟରେ ବୈଦ୍ୟନାଥ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଶେଷପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ସଂପାଦକ ଲକ୍ଷ୍ମୀଧର ବେହେରା ଚୂଡ଼ାନ୍ତ ପ୍ରସ୍ତୁତି ସଂପର୍କରେ ଉପସ୍ଥିତମାନଙ୍କୁ ଅବଗତ କରାଇଥିଲେ ।ଦୀର୍ଘଦିନ ଧରି ସରକାରଙ୍କୁ ବିଭାଗୀୟ ଅଧିକାରୀ ଓ ଜିଲ୍ଲା ପ୍ରଶାସନକୁ ଲିଖିତଭାବେ ବହୁବାର ଅବଗତ କରାଯାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି । ସରକାରଙ୍କ ପକ୍ଷରୁ ଅସହାୟ ବୟସ୍କ ବ୍ୟକ୍ତିମାନଙ୍କୁ ଥଇଥାନ ଓ ସେମାନଙ୍କୁ ସ୍ୱାସ୍ଥ୍ୟସେବା କେନ୍ଦ୍ର, ଫିଜିଓଥେରାପି ଓ ଦିବ୍ୟାଙ୍ଗମାନଙ୍କ ଆବାସ ପ୍ରଭୃତି ବହୁମୁଖି ଯୋଜନା କେନ୍ଦ୍ର ପ୍ରତିଷ୍ଠା ପାଇଁ ଅର୍ଥମଂଜୁରୀ ହୋଇଥିଲେ ମଧ୍ୟ ଅଦ୍ୟାବଧି ଜିଲ୍ଲା ପ୍ରଶାସନ ଆବଶ୍ୟକୀୟ ଜମି ପ୍ରଦାନ ଓ ଚିହ୍ନଟ ହୋଇ ପାରିଲାନାହିଁ । ମାସିକ ବାର୍ଦ୍ଧକ୍ୟ ଭତ୍ତା ଗତ ଦଶବର୍ଷରୁ ଊର୍ଦ୍ଧ୍ୱକାଳ ଧରି ପାଞ୍ଚଶହ ଟଙ୍କାରୁ ବୃଦ୍ଧି କରାଯାଇପାରିଲା ନାହିଁ । ପଡ଼ୋଶୀ ରାଜ୍ୟରେ ମାସିକ ବାର୍ଦ୍ଧକ୍ୟ ଭତ୍ତା ଅଧିକ ଥିବାରୁ ଉପାନ୍ତ ଅଞ୍ଚଳର ବରିଷ୍ଠ ବ୍ୟକ୍ତିମାନେ ପଡ଼ୋଶୀ ରାଜ୍ୟର ବାସିନ୍ଦା ଭାବେ ଦର୍ଶାଇବାକୁ ଉଚିତ ମଣୁଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜରାରୋଗ ୱାର୍ଡ଼ କିମ୍ବା ବରିଷ୍ଠ ନାଗରିକମାନଙ୍କ ସମସ୍ୟା ସମାଧାନ ପାଇଁ ସବ୍‌ଡିଭିଜନ୍ ସ୍ତରରେ ଟ୍ରିବୁନାଲ୍ ଅଚଳ ହୋଇପଡ଼ିଛି । କରୋନା ଆଳରେ ରେଳଯାତ୍ରାରେ ବରିଷ୍ଠ ନାଗରିକମାନଙ୍କୁ ଦିଆଯାଉଥିବା ରିହାତି ବ୍ୟବସ୍ଥାକୁ ପ୍ରତ୍ୟାହାର କରାଯାଇଛି । କରୋନା ପରେ ସ୍ୱାଭାବିକ ଅବସ୍ଥା ଫେରିବା ପରେ ବି ରିହାତି ଦିଆଯାଉନାହିଁ । ତେଣୁ ଏହିସବୁ ଦାବିକୁ ନେଇ ଗଣଧାରଣା ଦିଆଯିବ । ଜିଲ୍ଲାର ଆଞ୍ଚଳିକ ସ୍ତରରେ ଥିବା ସମସ୍ତ ବରିଷ୍ଠ ନାଗରିକ ସଂଗଠନର ପ୍ରତିନିଧିମାନେ ଗଣଧାରଣାରେ ଯୋଗଦେବାକୁ ନିବେଦନ କରାଯାଇଛି । ଅଜିତ୍ କୁମାର ବରାଳ ମଞ୍ଚର ସଦସ୍ୟତା ଗ୍ରହଣ କରିଥିବାରୁ ତାଙ୍କୁ ବୈଠକରେ ସ୍ୱାଗତ କରାଯାଇଥିଲା ।ଏହି ବୈଠକରେ ସର୍ବଶ୍ରୀ ଅନ୍ତର୍ଯ୍ୟାମୀ ପ୍ରଧାନ, ଡ. ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ, ବିଷ୍ଣୁ ପ୍ରସାଦ ମହାନ୍ତି, ଦାମୋଦର ନାୟକ, ନିରଞ୍ଜନ ପରିଡ଼ା, ସୀତାରାମ ପ୍ରଧାନ, ଡ. ପଦ୍ମଲୋଚନ ପାତ୍ର ଓ ଗୌରାଙ୍ଗ ପାଣିଗ୍ରାହୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଯଶୋଦାନନ୍ଦନ ଆଶ୍ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ