ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ଜରୁରୀ ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା) : ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ଜରୁରୀ ବୈଠକ ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ସଭାପତି ବୈଦ୍ୟନାଥ ଷଡ଼ଙ୍ଗୀ ବୈଠକରେ ଅଧ୍ୟକ୍ଷତା କରିଥିଲେ । ସଂପାଦକ ଦାମୋଦର ନାୟକ ଉପସ୍ଥିତ ସଦସ୍ୟମାନଙ୍କୁ ଶାରଦୀୟ ଅଭିନନ୍ଦନ ଜଣାଇ ଆଲୋଚନାର ବିଷୟ ଆଗତ କରିଥିଲେ । ଦୀର୍ଘ ଆଲୋଚନା ପରେ ଫକୀରମୋହନ ଗୋଲେଇ ନିକଟରେ ଥିବା ଜିଲ୍ଲା କାର୍ଯ୍ୟାଳୟକୁ ନୃତ୍ୟ ସଂଗୀତ କଳା ମନ୍ଦିର (ଟାଉନ୍ହଲ୍ ପାଖ) ପରିସରକୁ ଆସନ୍ତା ନଭେମ୍ବର ପହିଲାରେ ସ୍ଥାନାନ୍ତର କରାଯିବ । ସେଠାରେ ଜିଲ୍ଲା କାର୍ଯ୍ୟାଳୟ ପୂର୍ବବତ କାର୍ଯ୍ୟ କରିବ । ସାଧାରଣ ସଂପାଦକ ଦାୟିତ୍ୱରେ ଥିବା ଦାମୋଦର ନାୟକ ଓ ନୂତନଭାବେ ମନୋନୀତ କୋଷାଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଘୋଷଙ୍କ ସ୍ୱାକ୍ଷରରେ ମଞ୍ଚର ବ୍ୟାଙ୍କ୍ ବହି ପରିଚାଳନା କରାଯିବ । ଅଡିଟର ଦାୟିତ୍ୱ ତୁଲାଉଥିବା ଅକ୍ଷୟ କୁମାର ତ୍ରିପାଠୀଙ୍କୁ ଆୟବ୍ୟୟର ତଦାରଖ ପାଇଁ ଦାୟିତ୍ୱ ଦିଆଯାଇଛି । ଆସନ୍ତା ନଭେମ୍ବର ୪ ତାରିଖ ଦିନ ୧୦ଟାରେ ନୂତନ ଜିଲ୍ଲା କାର୍ଯ୍ୟାଳୟରେ ପରିବର୍ଦ୍ଧିତ ବୈଠକ ବସିବ । ଏହି ବୈଠକରେ ଜିଲ୍ଲାର ସମସ୍ତ ବ୍ଲକ୍ ଓ ଶାଖା କମିଟିର ଦୁଇଜଣ ପ୍ରମୁଖ କର୍ମକର୍ତ୍ତା ଯୋଗ ଦେବାକୁ ବୈଠକରେ ଅନୁରୋଧ କରାଯାଇଛି ।ଏହି ବୈଠକରେ ଉପସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ, ସୀତାରାମ ପ୍ରଧାନ, ସଂପାଦକ ଗୌରାଙ୍ଗ ପାଣିଗ୍ରାହୀ, ଅଫିସ୍ ସଂପାଦକ ଯଶୋଦାନନ୍ଦନ ଆସ୍, ଉପଦେଷ୍ଟା ଶିରୀଶ ଚନ୍ଦ୍ର ଦାଶ, କମଳାକାନ୍ତ ବେହେରା, ବିଷ୍ଣୁ ପ୍ରସାଦ ମହାନ୍ତି, ଡ. ପଦ୍ମଲୋଚନ ପାତ୍ର, ଗୋପୀନାଥ ଦାସଙ୍କ ସମେତ ଡ. ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ, ନିରଞ୍ଜନ ପରିଡ଼ା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶ୍ୟାମସୁନ୍ଦର ଜେନା ଧନ୍ୟବାଦ ଦେଇଥିଲେ ।