ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ନୂତନ କାର୍ଯ୍ୟାଳୟରେ ପ୍ରଥମ ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା) : ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ନୂତନ ଜିଲ୍ଲା କାର୍ଯ୍ୟାଳୟ ଟାଉନ୍ହଲ୍ ରୋଡ଼୍ ସ୍ଥିତ ନୃତ୍ୟ-ସଂଗୀତ-କଳା ମନ୍ଦିର ପରିସରରେ ଉଦ୍ଘାଟିତ ହୋଇଯାଇଛି । ଶନିବାର ଦିନ ପୂର୍ବାହ୍ନରେ ନୂତନ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ବୈଦ୍ୟନାଥ ଷଡ଼ଙ୍ଗୀ ଅଧ୍ୟକ୍ଷତା କରିଥିଲେ । ସାଧାରଣ ସଂପାଦକ ଦାମୋଦର ନାୟକ ଗତ ବୈଠକର ବିବରଣୀ ପାଠ କରି ନୂତନ କାର୍ଯ୍ୟାଳୟର ପ୍ରଥମ ବୈଠକରେ ଯୋଗ ଦେଇଥିବା ସମସ୍ତ କର୍ମକର୍ତ୍ତା ଓ ସଭ୍ୟ, ସଭ୍ୟାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଅନୁଷ୍ଠାନର ବ୍ୟାଙ୍କ୍ ଜମାବହି, ନୂତନ ସାଧାରଣ ସଂପାଦକ ଓ କୋଷାଧ୍ୟକ୍ଷଙ୍କ ଯୁଗ୍ମ ସ୍ୱାକ୍ଷରରେ ପରିଚାଳନା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । କେନ୍ଦ୍ର ସରକାରଙ୍କ ଅନୁଦାନରେ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ବହୁମୁଖୀ ଯୋଜନାର ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବିଳମ୍ବ ହେଉଥିବାରୁ ବୈଠକରେ ବହୁ ସଭ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ । ତେଣୁ ଦହପଡ଼ା ମୌଜାରେ ଚିହ୍ନଟ ହୋଇଥିବା ୨୦ ଏକର ପରିମିତ ଜମିରେ ତୁରନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଜିଲ୍ଲାପାଳଙ୍କ ଠାରେ ଦାବି କରାଯାଇଛି । ମାସିକ ବାର୍ଦ୍ଧକ୍ୟଭତ୍ତା ବୃଦ୍ଧି ଓ ରେଳଯାତ୍ରାରେ ବରିଷ୍ଠ ନାଗରିକମାନଙ୍କୁ ରିହାତି ପାଇଁ ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ସରକାର ନିଷ୍ପତ୍ତି ନେବାକୁ ଏବଂ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଜରାୱାର୍ଡ଼ କାର୍ଯ୍ୟକାରୀ କରିବାକୁ ଜିଲ୍ଲା ପ୍ରଶାସନ ଠାରେ ଦାବି କରାଯାଇଛି ।ଆସନ୍ତା ଡିସେମ୍ବର ପହିଲାଦିନ ମଞ୍ଚର ଜିଲ୍ଲାସ୍ତରୀୟ ପରିବର୍ଦ୍ଧିତ ବୈଠକ ନୂତନ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହେବ । ଏହି ବୈଠକରେ ସମସ୍ତ ବ୍ଲକ୍ କମିଟି ଓ ଶାଖା କମିଟିମାନଙ୍କରୁ ଦୁଇଜଣ ପ୍ରମୁଖ କର୍ମକର୍ତ୍ତା ବୈଠକରେ ଯୋଗଦେବାକୁ ଅନୁରୋଧ କରାଯାଇଛି । ଜିଲ୍ଲା କମିଟିର ସଦସ୍ୟ ସଂଖ୍ୟା ବୃଦ୍ଧିପାଇଁ କର୍ମକର୍ତ୍ତାମାନେ ଉଦ୍ୟମ କରିବାପାଇଁ ଦାୟିତ୍ୱ ଦିଆଯାଇଛି । ଏହି ବୈଠକରେ ସର୍ବଶ୍ରୀ ଅନ୍ତର୍ଯ୍ୟାମୀ ପ୍ରଧାନ, ଗିରିଶ ଚନ୍ଦ୍ର ଦାଶ, ଶରତ ଚନ୍ଦ୍ର ଦାଶ, ଗୋପୀନାଥ ଦାସ, ଗିରିଶ ଚନ୍ଦ୍ର ଦାଶ, ଡ. ପଦ୍ମଲୋଚନ ପାତ୍ର, ସୀତାରାମ ପ୍ରଧାନ, କମଳାକାନ୍ତ ବେହେରା, ବିଷ୍ଣୁ ପ୍ରସାଦ ମହାନ୍ତି, ଗୌରାଙ୍ଗ ପାଣିଗ୍ରାହୀ, ଲକ୍ଷ୍ମୀନାରାୟଣ ଘୋଷ, ରାଜେନ୍ଦ୍ରନାଥ ରାଉତ, ବାସନ୍ତୀ କର, ଅକ୍ଷୟ କୁମାର ତ୍ରିପାଠୀ, ମନୋରଞ୍ଜନ ପଣ୍ଡା, ଦେବେନ୍ଦ୍ର ଚୌଧୁରୀ, ଲକ୍ଷ୍ମୀପ୍ରିୟା ଜେନା, ପଦ୍ମଲୋଚନ ଦତ୍ତ, ଯଶୋଦାନନ୍ଦନ ଆସ, ଡ. ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ, ଶ୍ୟାମସୁନ୍ଦର ଜେନା, ପୂର୍ଣ୍ଣଚନ୍ଦ୍ର ପାତ୍ର ଓ ଗୋବିନ୍ଦ ଚନ୍ଦ୍ର ମାଝୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ନିରଞ୍ଜନ ପରିଡ଼ା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।