ଜିଲ୍ଲା ବସ୍ତିବାସିନ୍ଦାଙ୍କୁ ବାସସ୍ଥଳୀର ପଟ୍ଟା ଦାବିକରି ବିକ୍ଷୋଭ
ବାଲେଶ୍ୱର,: ବାଲେଶ୍ୱର ପୌରାଞ୍ଚଳ ଓ ସହର ସଂଲଗ୍ନ ପଞ୍ଚାୟତରୁ ଶତାଧିକ ନରନାରୀ ଦୀର୍ଘବର୍ଷ ଧରି ସରକାରୀ ଜମିରେ ବାସ କରିଆସୁଥିବା ପରିବାରଙ୍କୁ ବାସସ୍ଥାନର ପଟ୍ଟା ଓ ରାସ୍ତା, ଲାଇଟ୍, ପିଇବାପାଣି ପ୍ରଭୃତି ଦାବିକରି ଜିଲ୍ଲାପାଳଙ୍କ ଫାଟକ ସମ୍ମୁଖରେ ସୋମବାରଦିନ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣିତ ଆଇନକୁ ବାଲେଶ୍ୱର ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉନଥିବାର ଅଭିଯୋଗ କରିଥିଲେ । ବସ୍ତିବାସିନ୍ଦା ସଂଘର ସଭାପତି ବେଣୁଧର ବାରିକ ବିକ୍ଷୋଭ ସ୍ଥଳରେ ଅଧ୍ୟକ୍ଷତା କରିଥିଲେ । ଶ୍ରମିକନେତା ଗୌରାଙ୍ଗ ପାଣିଗ୍ରାହୀ, ଭାଗବତ ପ୍ରତିହାରୀ, ଆଇନଜୀବି ପଞ୍ଚାନନ ପରିଡ଼ା, ରବୀନ୍ଦ୍ର ବେହେରା ଓ ସେକ୍ ସଫିକ୍ ଅହମ୍ମଦ ପ୍ରମୁଖ ବସ୍ତିବାସିନ୍ଦାମାନଙ୍କ ଦାବିକୁ ସମର୍ଥନ ଜଣାଇ ବକ୍ତବ୍ୟ ପ୍ରଦାନ କରିଥିଲେ । ବାଲେଶ୍ୱର ତହସିଲଦାର, ଭୂମିହୀନମାନଙ୍କଠାରୁ ଆବେଦନପତ୍ର ଗ୍ରହଣ କରୁନଥିବା ଓ ଆଇ.ଟି.ଆଇ. ପଛପଟରେ ଥିବା ଅଙ୍ଗାରଗଡ଼ିଆ ମୌଜାର ବସ୍ତିବାସିନ୍ଦାମାନେ ଦୀର୍ଘ ୫୦ବର୍ଷଧରି ଯାତାୟତ କରୁଥିବା ରାସ୍ତାକୁ ଗତ ଅଗଷ୍ଟମାସରେ ତହସିଲଦାର ପୋଲିସର ସହାୟତାରେ କଂକ୍ରିଟ୍ ପ୍ରାଚୀର ନିର୍ମାଣ କରିଥିବାରୁ ବସ୍ତିବାସିନ୍ଦାମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବାର ସ୍ଥାନୀୟ ବାସିନ୍ଦାମାନେ ଅଭିଯୋଗ କରିଥିଲେ । ବିକ୍ଷୋଭ ସ୍ଥଳରୁ ପ୍ରତିନିଧିମାନେ ଅତିରିକ୍ତ ଜିଲ୍ଲାପାଳ ସମ୍ବିତ୍ ନାୟକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି ଆସନ୍ତା ପୌର ନିର୍ବାଚନ ପୂର୍ବରୁ ବସ୍ତିବାସିନ୍ଦାଙ୍କୁ ବାସସ୍ଥାନର ପଟ୍ଟାପ୍ରଦାନ ପାଇଁ ଦାବି କରିଛନ୍ତି । ଦାବି ପୂରଣ ନହେଲେ ବ୍ୟାପକ ଆନ୍ଦୋଳନ ପାଇଁ ଦାବିପତ୍ରରେ ଚେତାବନୀ ଦିଆଯାଇଛି । ବାଲେଶ୍ୱର ରେଳଷ୍ଟେସନରୁ ଏକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ ଫାଟକ ନିକଟରେ ପହଞ୍ôଚଥିଲା । ଶୋଭାଯାତ୍ରା ଓ ବିକ୍ଷୋଭରେ ଅନୁରାଗ ମହାନ୍ତି, ସବିତା ଜେନା, ବିଦ୍ୟାଧର ବେହେରା, ଭାନୁମତି ନାୟକ, ଦେବକି ଦାସ ଓ ରମେଶଚନ୍ଦ୍ର ପତି ପ୍ରମୁଖ ନେତୃତ୍ୱ ନେଇଥିଲେ ।