ଜିଲ୍ଲା ବିଜେପି ସଦସ୍ୟତା ଅଭିଯାନ କର୍ମଶାଳା
ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ବାଲେଶ୍ଵର ଜିଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ସଭାପତିତ୍ବରେ ଜିଲ୍ଲାର ସଦସ୍ୟତା ଅଭିଯାନର କର୍ମଶାଳା ସିଦ୍ଧି କଲ୍ୟାଣ ମଣ୍ଡପରେ ଆୟୋଜିତ ହୋଇଯାଇଛି। ଭାରତ ମାତାଙ୍କ ବନ୍ଦନା ଓ ସାମୁହିକ ବନ୍ଦେ ମାତରମ୍ ଗାନ ପରେ ଆନୁଷ୍ଠାନିକ କର୍ମଶାଳା ଆରମ୍ଭ ହୋଇଥିଲା। ଜିଲ୍ଲା ସଭାପତି ଶ୍ରୀଯୁକ୍ତ ମହାପାତ୍ର ତାଙ୍କ ସ୍ବାଗତ ଭାଷଣରେ କର୍ମଶାଳାର ଆଭିମୁଖ୍ୟ ବିଷୟରେ କହିଥିଲେ ଓ ଜିଲ୍ଲା ପାଇଁ କର୍ମଶାଳା ପାଇଁ ଦାଇତ୍ୱ ବଣ୍ଟନ କରିଥିଲେ। କର୍ମଶାଳା ପାଇଁ ଜିଲ୍ଲା ପ୍ରଭାରୀ ଭାବେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ରେମୁଣା ବିଧାୟକ ତଥା ବିଧାନସଭାରେ ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମନସ୍ମୀତା ଖୁଣ୍ଟିଆ ତାଙ୍କ ଅଭିଭାଷଣରେ ସଦସ୍ୟତା ଅଭିଯାନର ରୂପରେଖ, କର୍ମଶାଳାର ସ୍ବରୂପ, ସାଂଗଠନିକ ଦାୟିତ୍ଵ ଓ ସଂରଚନା ବିଷୟରେ ବିଷଦ ଆଲୋଚନା କରିଥିଲେ। ଜିଲ୍ଲାରେ ସଦସ୍ୟତା ଅଭିଯାନର ସଂଯୋଜକ ଭାବେ କମଳଲୋଚନ ଦାସ ଓ ସହସଂଯୋଜକ ଭାବେ ପ୍ରଦୀପ ପଣ୍ଡା, ଆଶିଷ ଘୋଷ ଓ ରାଜେଶ ମହାକୁଡ଼ଙ୍କୁ ମନୋନୀତ କରାଗଲା। ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ତାଙ୍କ ସମାରୋପ ଭାଷଣରେ କେମିତି ଜଣେ ପ୍ରାଥମିକ ସଦସ୍ୟ ହୋଇପାରିବେ, କେମିତି ସକ୍ରୀୟ ସଦସ୍ୟ ହୋଇପାରିବେ, ସକ୍ରୀୟ ସଦସ୍ୟ ହେଲେ ଆଗାମୀ ଦିନରେ ତାକୁ କ’ଣ ମିଳିପାରିବ ଇତ୍ୟାଦି ବିଷୟରେ ବୁଝାଇଥିଲେ। ସଦସ୍ୟ ହେବାପାଇଁ ୧୮ ବର୍ଷ ବା ଅଧିକ ହେବା ଏକମାତ୍ର ସର୍ତ୍ତ ବୋଲି କହିଥିଲେ। ଜନସମ୍ପର୍କ ରୁ ସଦସ୍ୟତା, ସଦସ୍ୟତା ରୁ କାର୍ଯ୍ୟକର୍ତ୍ତା ଏହା ହେଉଛି ଭାରତୀୟ ଜନତା ପାର୍ଟିର ସାଂଗଠନିକ ଶକ୍ତି ବୃଦ୍ଧିର କାର୍ଯ୍ୟ ପଦ୍ଧତି। ସେ ଆହ୍ବାନ ଦେଇଥିଲେ ଯେ ଯେମିତି ବିଗତ ଦିନରେ ଦଳର ଶୃଙ୍ଖଳିତ କାର୍ଯ୍ୟକର୍ତ୍ତାଙ୍କ ପାଇଁ ବିଶ୍ୱର ଏକ ନମ୍ବର ଦଳର ମାନ୍ୟତା ପାଇଥିଲା, ଏଥର ମଧ୍ୟ ସଦସ୍ୟତା ଅଭିଯାନର ଶେଷରେ ସେହି ସ୍ଥାନକୁ ବଜାୟ ରଖିବ। ସଦସ୍ୟତା ଅଭିଯାନ ସମୟରେ ସହାୟତା ପାଇଁ 8860147147 ମୋବାଇଲ ନମ୍ବର ଓ ସଦସ୍ୟ କରିବା ପାଇଁ 8800002024 ମୋବାଇଲ ନମ୍ବର ଜାରି କରିଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା ମଞ୍ଚ ପରିଚାଳନା କରିଥିବାବେଳେ ଅନ୍ୟତମ ସାଧାରଣ ସମ୍ପାଦକ ପ୍ରଦୀପ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।