ଜିଲ୍ଲା ବୋଇତବନ୍ଦାଣ ସମିତିର ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ରାଜ୍ୟର ପୁରାତନ ସାସ୍କୃତିକ ଅନୁଷ୍ଠାନ ଜିଲ୍ଲା ବୋଇତ ବନ୍ଦାଣ ସମିତି କେନ୍ଦ୍ରାପଡାର ଏକ ପ୍ରସ୍ତୁତି ବୈଠକ ଗରାପୁର ଡାକବଙ୍ଗଳାରେ ଅନୁଷ୍ଠିତ ହୋଇଯାଇଛି । ସମିତିର ସଭାପତି ଚିନ୍ମୟ ପ୍ରସାଦ ବେହୁରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଚଳିତ ବର୍ଷ ବୋଇତ ବନ୍ଦାଣ ଉତ୍ସବ କିପରି ସରସ ସୁନ୍ଦର ଓ ଆକର୍ଷଣୀୟ ଭାବେ ଅନୁଷ୍ଠିତ ହେବ ସେ ସମ୍ପର୍କରେ ଉପସ୍ଥିତ ସଭ୍ୟ/ସଭ୍ୟାମାନେ ସବିଶେଷ ଆଲୋଚନା କରିଥିଲେ । ଆସନ୍ତା ନଭେମ୍ବରମାସ ୨୭ତାରିଖ କାର୍ତ୍ତିକ ପୂର୍ଣ୍ଣୀମା ଅବସରରେ ଜଜାଙ୍ଗସ୍ଥିତ ଆଦର୍ଶ ପୁଷ୍କରିଣୀରେ ସକାଳ ୮ଟାରେ ବୋଇତବନ୍ଦାଣ କରାଯିବା ପରେ ପୈାର ପରିଷଦ ଟାଉନହଲ ପରିସରରେ ପ୍ରତ୍ୟେକବର୍ଷ ଭଳି ସକାଳ ୯ଟା ସମୟରେ ନୃତ୍ୟ ପ୍ରତିଯୋଗିତା ଆରମ୍ଭ ହେବ ଓ ପୂର୍ବାହ୍ନ ସାଢେ ୧୦ଟାରେ ସଭାକାର୍ଯ୍ୟ ଆରମ୍ଭ ହେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଥିସହିତ ଆସନ୍ତା ନଭେମ୍ବରମାସ ୧୯ତାରିଖ ରବିବାର ପୂର୍ବାହ୍ନ ୯ଟାରେ ତୁଳସୀ ମହିଳା ମହାବିଦ୍ୟାଳୟ ପରିସରରେ ତର୍କ, ସଂଗୀତ, ଚିତ୍ରାଙ୍କନ, ମୁରୁଜ, ଝୋଟି ପ୍ରଭୃତି ପ୍ରତିଯୋଗିତାମାନ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି । ଏଥିସହିତ ଚଳିତ ବର୍ଷ ନୂତନ କରି ହୁଳହୂଳି ଓ ପିଠା ପ୍ରତିଯୋଗିତା ଉତ୍ସବ ସ୍ଥଳ ଟାଉନ ହଲ ପରିସରରେ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି । ପ୍ରତିଯୋଗିତା ନିମନ୍ତେ ସଂସଦର ଉପସଭାପତି ରବିନାରାୟଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି । ଏହି ପ୍ରସ୍ତୁତି ବୈଠକରେ କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ ଦାସ, ଉପସଭାପତି ରବିନାରାୟଣ ମହାନ୍ତି, ସମ୍ପାଦକ ଉମାଶଙ୍କର ଜେନା, କାର୍ଯ୍ୟକାରୀ ସମ୍ପାଦକ ସରୋଜ କୁମାର ସାହୁ, ସଂଯୋଜକ ମୁକ୍ତାର ଖାଁ, ରାଜେନ୍ଦ୍ର ମହାପାତ୍ର ଓ ଗୋଲେଖ ପଢିଆରୀ, ସାଂଗଠନିକ ସମ୍ପାଦକ ହିମାଂଶୁ ଦାସ, ସାଂସ୍କୃତିକ ସମ୍ପାଦକ ସୈାମ୍ୟରଞ୍ଜନ ପଟ୍ଟନାୟକ, ଗଣମାଧ୍ୟମ ସଂଯୋଜକ ଚିତ୍ତରଞ୍ଜନ ଦାସ ଓ ଲକ୍ଷ୍ମୀକାନ୍ତ ନାୟକ, ଯୋଗାଯୋଗ ସମ୍ପାଦକ ଶ୍ରୀଧର ମହାନ୍ତି, ସଦସ୍ୟା ମମତା ଥାପ୍ପା ଓ ମମତା ସେଠୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିବା ସହିତ ଚଳିତ ବର୍ଷର ବୋଇତବନ୍ଦାଣ ଉତ୍ସବକୁ ସଫଳତାର ସହିତ ସମ୍ପର୍ଣ୍ଣ କରାଯିବା ପାଇଁ ଶପଥ ନେଇଥିଲେ । ସଂସଦର ମୁଖ୍ୟ ଉପଦେଷ୍ଟା ପ୍ରଦିପ କୁମାର ମହାନ୍ତିଙ୍କ ପରାମର୍ଶ କ୍ରମେ ସମସ୍ତ କାର୍ଯ୍ୟକ୍ରମକୁ ଶାନ୍ତିଶୃଙ୍ଖଳାର ସହିତ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।