ଜିଲ୍ଲା ବ୍ରାହ୍ମଣ ସମିତିର ୧୧୩ତମ ଅଧିବେଶନ
ବାଲେଶ୍ୱର, (ସରୋଜ ପଣ୍ଡା) : ଜିଲ୍ଲା ବ୍ରାହ୍ମଣ ସମିତିର ୧୧୩ ତମ ଅଧିବେଶନ, ରବିବାର ଦିନ ସମିତିର ଦାମୋଦରପୁର ସ୍ଥିତ କାର୍ଯ୍ୟାଳୟରେ ପୂର୍ବାହ୍ନ ଘ୧୧ଟିକାରେ ସଭାପତି ଡା. ଶ୍ରୀଶ କୁମାର ଦାଶଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ନିମ୍ନବର୍ଣ୍ଣିତ ପ୍ରସ୍ତାବମାନ ଆଲୋଚନା କରାଯାଇ ସିଦ୍ଧାନ୍ତ ଗୃହୀତ ହୋଇଛି । ପ୍ରାରମ୍ଭରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପୁଷ୍ପାର୍ଘ୍ୟ ପ୍ରଦାନ ପରେ ପଣ୍ଡିତ ବୈଦ୍ୟନାଥ ଆଚାର୍ଯ୍ୟ ବେଦପାଠ କରିଥିଲେ । ତତ୍ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ସାଧାରଣ ସଂପାଦକ ଗୌରଚନ୍ଦ୍ର ଦାଶ ଅନୁଷ୍ଠିତ ଶତବାର୍ଷିକୀ ସମାରୋହର ଆୟ, ବ୍ୟୟ ବିବରଣୀ ବୈଠକରେ ଉପସ୍ଥାପନ କରିଥିଲେ । ତାହା ସଭାଦ୍ୱାରା ତର୍ଜମା ପୂର୍ବକ ଅନୁମୋଦିତ ହୋଇଥିଲା । ଦ୍ୱିତୀୟରେ ଅନୁଷ୍ଠାନର ଭୂମିଦାତା ସ୍ୱର୍ଗତଃ କାଶୀନାଥ ପଣ୍ଡାଙ୍କୁ ବୈଠକରେ ଅନୁଷ୍ଠାନ ତରଫରୁ ‘ବ୍ରହ୍ମଜ୍ୟୋତି’ ମରଣତ୍ତୋର ଉପାଧି ପ୍ରଦାନ କରାଯାଇଥିଲା । ଉକ୍ତ ଉପାଧିକୁ ତାଙ୍କ ପରିବାର ତରଫରୁ ତାଙ୍କର ନାତି ଗ୍ରହଣ କରିଥିଲେ । ଏହାବ୍ୟତୀତ ସର୍ବଶ୍ରୀ ପଣ୍ଡିତ ଲୋକନାଥ ପଣ୍ଡା, ପ୍ରବୋଧ ଦାଶ, ରମାନାଥ ମିଶ୍ର ଓ ପ୍ରଦୀପ ଚକ୍ରବର୍ତ୍ତୀଙ୍କୁ ସମିତି ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମିତିର କୋଷାଧ୍ୟକ୍ଷ ରାଧାକୃଷ୍ଣ ଆଚାର୍ଯ୍ୟଙ୍କ ଅସୁସ୍ଥତା କାରଣରୁ ସହକାରୀ ସଂପାଦକ ନିରାକର ଦାଶଙ୍କୁ ବୈଠକର ସର୍ବସମ୍ମତି ମତେ ସମିତିର କୋଷାଧ୍ୟକ୍ଷ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା । ବାଲେଶ୍ୱର ପୌରାଞ୍ଚଳ କମିଟି ସକ୍ରିୟ ନଥିବାରୁ ଏହାକୁ ଅଧିକରୁ ଅଧିକ କ୍ରିୟାଶୀଳ କରିବା ସହିତ ଅଧିକ ସଭ୍ୟ ସଂଗ୍ରହ ପାଇଁ ବୈଠକରେ ଗୁରୁତ୍ୱ ଆରୋପ କରାଯାଇଥିଲା । ତ୍ରିଦିବସୀୟ ଶତବାର୍ଷିକୀ ସମାରୋହ ୨୦୨୨ର ସୁସଂପାଦନରେ ସକ୍ରିୟ ସହଯୋଗ, ସାହାଯ୍ୟ ଓ ଆର୍ଥିକ ଅନୁଦାନ ପ୍ରଦାନ କରିଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ବୈଠକରେ ଅନୁଷ୍ଠାନ ତରଫରୁ ଧନ୍ୟବାଦ ସହ କୃତଜ୍ଞତା ଜ୍ଞାପନ କରାଯାଇଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଡ. କ୍ଷିତିଶ୍ୱର ଦାଶ, କୃଷ୍ଣଚନ୍ଦ୍ର ପତ୍ରୀ, ଶକ୍ତିପଦ ପଣ୍ଡା, ଲକ୍ଷ୍ମୀଧର ମହାପାତ୍ର, ସରୋଜ ନାରାୟଣ ଷଡ଼ଙ୍ଗୀ, ଲୋକନାଥ ପଣ୍ଡା, ବୁଦ୍ଧିରାମ ପାଣିଗ୍ରାହୀ, ପୁଣ୍ୟଶ୍ଳୋକ ନନ୍ଦ, ଭଗବାନ ଆଚାର୍ଯ୍ୟ, ପ୍ରଦୀପ ଚକ୍ରବତ୍ତୀ, ପ୍ରଦୀପ ମିଶ୍ର, ହରିଶ୍ଚନ୍ଦ୍ର ପତି, ନୟନ କୁମାର ପଣ୍ଡା, ଡ. ଗୌରସାଧନ ମିଶ୍ର ଓ ଅନ୍ୟାନ୍ୟ ସଦସ୍ୟମାନେ ଆଲୋଚନାରେ ଅଂଶଗ୍ରହଣ କରି ମତାମତ ଉପସ୍ଥାପନ କରିଥିଲେ । ପରିଶେଷରେ ପ୍ରଶାନ୍ତ ଶତପଥୀ ଉପସ୍ଥିତ ବ୍ରାହ୍ମଣମାନଙ୍କୁ ଧନ୍ୟବାଦ ଦେବାପରେ ସଭାକାର୍ଯ୍ୟ ସାଙ୍ଗ ହୋଇଥିଲା ।