ଜିଲ୍ଲା ବ୍ରାହ୍ମଣ ସମିତି ବାର୍ଷିକ ସାଧାରଣ ସଭା

ବାଲେଶ୍ୱର, (ସରୋଜ ପଣ୍ଡା) : ଜିଲ୍ଲା ବ୍ରାହ୍ମଣ ସମିତିର ବାର୍ଷିକ ସାଧାରଣ ସଭା ଦାମୋଦରପୁରସ୍ଥିତ କାର୍ଯ୍ୟାଳୟରେ ରବିବାର ଅନୁଷ୍ଠିତ ହୋଇଯାଇଛି । ସଭାପତି ଡା. ଶ୍ରୀଶ କୁମାର ଦାଶ ଏଥିରେ ସଭାପତିତ୍ୱ କରିଥିଲେ । ସମ୍ପାଦକ ପଣ୍ଡିତ ଭୃଗୁରାମ କରଶର୍ମା ଏଥିରେ ଯୋଗଦେଇ ବ୍ରାହ୍ମଣମାନଙ୍କ ସମସ୍ୟା ଓ ତା’ର ନିରାକରଣର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ବିଶେଷ କରି ସଙ୍ଗଠନକୁ ଅଧିକ ମଜବୁତ ପାଇଁ ସେ ଗୁରୁତ୍ୱାରୋପ କରିଥିଲେ । ସଙ୍ଗଠନର ଜଳେଶ୍ୱର ଶାଖା ସଭାପତି ଗିରୀଶ କୁମାର ଦାଶ, ଭଦ୍ରକ ଜିଲାର ସଭାପତି ପଣ୍ଡିତ କାଶିନାଥ ପଣ୍ଡା, ରାଜ୍ୟ ମହାସଙ୍ଘର କାର୍ଯ୍ୟକାରୀ ସମ୍ପାଦକ ପଣ୍ଡିତ ବସନ୍ତ ଦୀକ୍ଷିତ, ସାଙ୍ଗଠନିକ ସମ୍ପାଦକ ପଣ୍ଡିତ ଲକ୍ଷ୍ମୀଧର ମହାପାତ୍ର, ପ୍ରଫେସର କମଳାକାନ୍ତ ଆଚାର୍ଯ୍ୟ ପ୍ରମୁଖ ଏଥିରେ ଯୋଗଦେଇ ବ୍ରାହ୍ମଣମାନଙ୍କ ସମସ୍ୟାର ସମାଧାନ ଓ ଆର୍ଥିକ ସମୃଦ୍ଧି ପାଇଁ ସୁଦୃଢ଼ ସଙ୍ଗଠନ ସାଙ୍ଗକୁ ଆଗେଇ ନେବାକୁ କହିଥିଲେ । ରାଜ୍ୟ ବ୍ରାହ୍ମଣ ସଂଗଠନକୁ ଦୃଢ଼ ଓ ଗତିଶୀଳ କରିବା ପାଇଁ ସମସ୍ତ ଜିଲାର ବ୍ରାହ୍ମଣମାନେ ବାଲେଶ୍ୱରରେ ଏକ ସମିତି ବୈଠକ କରିବାକୁ ରାଜ୍ୟ ସଂଗଠନର କର୍ମକର୍ତ୍ତାଙ୍କୁ ନିବେଦନ କରିଥିଲେ । ଏଥି ସହିତ ସମିତିର ଆର୍ଥିକ ଉନ୍ନତି ପାଇଁ ପଞ୍ଜୀକରଣ ଫି’ ଆଦାୟ ସହିତ ରକ୍ତଦାନ ଶିବିର ଆୟୋଜନ ଓ ବୃକ୍ଷରୋପଣ ଆଦି ସାମାଜିକ କର୍ମରେ ସମସ୍ତେ ସାମିଲ ହେବା ଉଚିତ ବୋଲି କର୍ମକର୍ତ୍ତାମାନେ କହିଥିଲେ । ଏହା ବ୍ୟତୀତ ମନ୍ଦିର ଓ ପୂଜକମାନଙ୍କ ତାଲିକା ସହିତ ବ୍ରାହ୍ମଣମାନଙ୍କ ସଂଖ୍ୟା ସର୍ଭେ କରାଇ ମୁଖ୍ୟ କାର୍ଯ୍ୟାଳୟକୁ ପଠାଇବାକୁ ସଭାରେ ବହୁମତ ପ୍ରକାଶ ପାଇଥିଲା । ରାଜ୍ୟରେ ବ୍ରାହ୍ମଣ କଲ୍ୟାଣ ନିଗମ କାର୍ଯ୍ୟକାରୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଏଥିରେ ନିଷ୍ପତ୍ତି ନିଆଯାଇଥିଲା । ଏହି ଅବସରରେ ସମିତିର ଦିବଂଗତ ସଦସ୍ୟ ଓ କର୍ମକର୍ତ୍ତାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଡ. କ୍ଷିତୀଶ୍ୱର ଦାଶ ଏହି ସାଧାରଣ ସଭାରେ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସମ୍ପ।ଦକ ଗୌରଚନ୍ଦ୍ର ଦାଶ ବିବରଣୀ ପାଠ କରିଥିଲେ । କୋଷାଧ୍ୟକ୍ଷ ରାଧାକୃଷ୍ଣ ଆଚାର୍ଯ୍ୟ ଚଳିତ ବର୍ଷର ଆୟବ୍ୟୟ ବିବରଣୀ ଉପସ୍ଥାପନ କରିଥିଲେ । ପଣ୍ଡିତ ଦୟାନିଧି ପତ୍ରୀ ବେଦମନ୍ତ୍ର ପାଠ କରିଥିବା ବେଳେ ପଣ୍ଡିତ ସର୍ବେଶ୍ୱର ପତି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଣ୍ଡିତ କୃଷ୍ଣଚନ୍ଦ୍ର ପତ୍ରୀ, ଶକ୍ତିପଦ ପଣ୍ଡା, ସର୍ବେଶ୍ୱର ପତି, କ୍ଷିତୀଶ ପଣ୍ଡା, ନିରାକାର ଦାଶ, ସରୋଜ ଷଡ଼ଙ୍ଗୀ, କମଳାକାନ୍ତ ଦାଶ, ବୁଦ୍ଧିରାମ ପାଣିଗ୍ରାହୀ ପ୍ରମୁଖ ଏଥିରେ ଉପସ୍ଥିିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ