ଜିଲ୍ଲା ଭିତିକ ନିଯୁକ୍ତିକୁ ସମର୍ଥନ କରି ପିଲାଙ୍କୁ ସ୍କୁଲକୁ ପଠାଉ ନାହାନ୍ତି ଅଭିଭାବକ
ନବରଙ୍ଗପୁର, (ୱାଏନଏସ): ନବରଙ୍ଗପୁର ଜିଲ୍ଲାରେ ଜିଲ୍ଲାଭିତ୍ତିକ ନିଯୁକ୍ତି ର ପ୍ରତିବାଦ ଦିନକୁଦିନ ବଢ଼ିବାରେ ଲାଗିଛି । ସ୍କୁଲ ଖୋଲିବା ପରେ ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ ଛାଡୁନାହାଁନ୍ତି ଅଭିଭାବକ । ଜିଲ୍ଲା ଭିତିକ ନିଯୁକ୍ତିକୁ ନେଇ କ୍ରିୟାନୁଷ୍ଠାନ କମିଟିର ପ୍ରତିବାଦ ଯେତେ ଅଧିକ ହେଉଛି ସେଭଳି ଆନ୍ଦୋଳନ କୁ ମଧ୍ୟ ଜନ ସମର୍ଥନ ମିଳିବାରେ ଲାଗିଛି । କନିଷ୍ଠ ଶିକ୍ଷକ, ତୃତୀୟ ଓ ଚତୁର୍ଥ ଶ୍ରେଣୀ ପଦବୀକୁ ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବି ନେଇ କିଛି ଦିନ ପୂର୍ବରୁ ଅବିଭକ୍ତ କୋରାପୁଟ ଜିଲ୍ଲା ବନ୍ଦ ପରେ ମଧ୍ୟ ସରକାର ଦୃଷ୍ଟି ଦେଉନଥିବା ପରିତାପର ବିଷୟ ବୋଲି ସମାଲୋଚନା କରିଛନ୍ତି କମିଟି ସଦସ୍ୟ । ଗତ ତିନିଦିନ ହେଲା ସ୍କୁଲ ଖୋଲିଥିଲେ ମଧ୍ୟ ପିଲାଙ୍କୁ ସ୍କୁଲ ପଠାଉ ନାହାନ୍ତି ଅବିଭାବକ।,ସ୍କୁଲ ରେ କେବଳ ଶିକ୍ଷକ ଅଛନ୍ତି ଛାତ୍ରଛାତ୍ରୀ ଙ୍କ ଦେଖାନାହିଁ । ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବି କରି ମିଳିତ କ୍ରିୟାନୁଷ୍ଠାନ କମିଟିର ଡ଼ାକରା ରେ ଅବିଭାବକ ଙ୍କ ବାରଣ ଯୋଗୁଁ ପିଲା ସ୍କୁଲ ଆସୁନାହାନ୍ତି । ତିନିଦିନ ହେଲା ସ୍କୁଲ ଖୋଲିଥିଲେ ମଧ୍ୟ ପିଲା କିନ୍ତୁ ଆସୁନାହାନ୍ତି । ପ୍ରଥମ ଦିନରେ ୩୭୦ ସ୍କୁଲ କୁ ପିଲା ଆସିନଥିବା ବେଳେ ଦ୍ଵିତୀୟ ଦିନରେ ୩୭୧ ସ୍କୁଲ କୁ ଛାତ୍ରଛାତ୍ରୀ ଆସିନାହାନ୍ତି । ଅବିଭକ୍ତ କୋରାପୁଟ ଜିଲ୍ଲାର ଶିକ୍ଷକ ବ୍ୟତୀତ ଅନ୍ୟ କୌଣସି ବାହାର ଜିଲ୍ଲାର କନିଷ୍ଠ ଶିକ୍ଷକ ଥିବା ସ୍କୁଲ କୁ ଛାତ୍ର ଛାତ୍ରୀ ଯାଇ ନାହାନ୍ତି । ଦୀର୍ଘଦିନ ହେଲା ଜିଲ୍ଲା ଭିତିକ ନିଯୁକ୍ତି ନେଇ ଆନ୍ଦୋଳନ ଜାରି ରହିଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି । ଗଣଶିକ୍ଷା ମନ୍ତ୍ରୀ ନବରଙ୍ଗପୁର ଜିଲ୍ଲାର ହୋଇଥିବା ବେଳେ ଅବିଭକ୍ତ କୋରାପୁଟ ଜିଲ୍ଲାର ଅଧିବାସୀ ହୋଇମଧ୍ୟ ସେ ସମସ୍ୟା ବୁଝୁନାହାନ୍ତି । ପୂର୍ବ ସରକାରଙ୍କ ସମୟରେ ସେ ନିଜେ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ କିନ୍ତୁ ଏବେ କାହିଁକି ଚୁପ ବୋଲି ପ୍ରଶ୍ନ କରିଛି କ୍ରିୟାନୁଷ୍ଠାନ କମିଟି । ମିଳିତ କ୍ରିୟାନୁଷ୍ଠାନ କମିଟି ର ଜିଲ୍ଲା ଭିତ୍ତିକ ନିଯୁକ୍ତି ଆନ୍ଦୋଳନ କୁ ନେଇ ଅଭିଭାବକମାନେ ସମର୍ଥନ ଜଣାଇ କହିଛନ୍ତି ଯେ ଆମ ଜିଲ୍ଲା ଆଦିବାସୀ ଅଧୁଷିତ ହୋଇ ଥିବା ବେଳେ ଅନ୍ୟ ଜିଲ୍ଲା ଶିକ୍ଷକ ଆମ ପିଲାଙ୍କୁ ପାଠ ପଢ଼ାଇଲେ ଆମ ପିଲା ଭାଷା ବୁଝିପାରୁ ନାହାନ୍ତି ତେଣୁ ଜିଲ୍ଲା ର ସାକ୍ଷରତା ହାର କମିବାରେ ଲାଗିଛି । ଅପରପକ୍ଷରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ର ଆମ ପିଲା ଯଦି ଶିକ୍ଷାଦାନ କରି ମଧ୍ୟ ନିଜ ଅଞ୍ଚଳ ରେ ତୃତୀୟ ଓ ଚତୁର୍ଥ ଶ୍ରେଣୀ ର ପଦବୀ ରେ ଚାକିରୀ କରିବା ପାଇଁ ଯୋଗ୍ୟ ହୋଇପାରିବେ ନାହିଁ ତେବେ କାହଁକି ଶିକ୍ଷା ଗ୍ରହଣ କରିବେ ବୋଲି ଯୁକ୍ତି ବାଢିଛନ୍ତି କ୍ରିୟାନୁଷ୍ଠାନ କମିଟି ଆବାହକ ଅର୍ଜୁନ ଭତରା । ସ୍କୁଲର ଶିକ୍ଷକ ମାନେ ଅବିଭାବକ ମାନଙ୍କୁ ପିଲାଙ୍କୁ ସ୍କୁଲ ଛାଡିବାକୁ ବୁଝାସୁଝା କଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଅନ୍ୟପଟେ ସ୍କୁଲକୁ ପିଲା ନଆସିବା ଘଟଣା ଉପରିସ୍ଥ ଅଧିକାରୀ ଙ୍କୁ ଜଣାଇ ଦିଆଯାଇଛି ବୋଲି କହିଛନ୍ତି ଶିକ୍ଷକ ମାନେ । ଜିଲ୍ଲା ଭିତିକ ଆନ୍ଦୋଳନ କୁ ନେଇ ନବରଙ୍ଗପୁର ଜିଲ୍ଲାରେ ଦିନକୁଦିନ ପ୍ରତିବାଦ ବଢିଚାଲିଥିବାବେଳେ ବର୍ତମାନ ପିଲାଙ୍କୁ ସ୍କୁଲ ନ ଛାଡିବା କେତେଦୁର ଯଥାର୍ଥ ବୋଲି ସାଧାରଣରେ ଆଲୋଚନା ହେଉଛି ।