ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ସମସ୍ୟା ଉପରେ କ୍ରିୟାନୁଷ୍ଠାନ କମିଟି ପ୍ରତିନିଧିଙ୍କ ଆଲୋଚନା

ବାଲେଶ୍ୱର, (ଯୁଗାବ୍ଦ ନ୍ୟୁଜ୍): ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟିର ପ୍ରତିନିଧିମାନେ ମଙ୍ଗଳବାର ଅପରାହ୍ନରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦାୟିତ୍ୱରେ ଥିବା ଡଃ. ଏସ୍. ଏସ୍. ଚୌଧୁରୀଙ୍କୁ ସାକ୍ଷାତ କରି ହସପିଟାଲର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦାବି କରିଥିଲେ । ହସପିଟାଲର ୱାର୍ଡ଼ଗୁଡ଼ିକରେ ନିୟମିତ ସଫେଇ, ହସପିଟାଲ୍ ପରିସରରେ ଗାଡ଼ି ପାର୍କିଂର ସୁବନ୍ଦୋବସ୍ତ କରିବା, ମହିଳା ଓ ଶିଶୁୱାର୍ଡ଼ରେ ର‌୍ୟାମ୍ପ୍ ନିର୍ମାଣ ଓ ଲିଫ୍୍ଟକୁ ନିୟମିତ ଚଳାଇବା, ଜିଲ୍ଲାର ବିଭିନ୍ନ ସରକାରୀ ହସପିଟାଲରେ ଖାଲିଥିବା ବିଶେଷଜ୍ଞ ପଦବୀରେ କାର୍ଯ୍ୟ କରିବାକୁ ଅସ୍ଥାୟୀ ଭାବେ ଡାକ୍ତରଙ୍କୁ ପଠାଇବା, ହସ୍ପିଟାଲ ମଧ୍ୟରେ ଦଲାଲ ଓ ଘରୋଇ ଚିକିତ୍ସାକେନ୍ଦ୍ରକୁ ରୋଗୀମାନଙ୍କୁ ପଠାଉଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, କ୍ରିୟାନୁଷ୍ଠାନ କମିଟିର ପ୍ରତିନିଧିଙ୍କୁ ପ୍ରତିଦିନ ଦୁଇବେଳା ହସ୍ପିଟାଲରେ ନିୟମିତ ସେବା କାର୍ଯ୍ୟ ପାଇଁ ଅନୁମତି ଦେବା ପ୍ରଭୃତି ଦାବି ସଂପର୍କରେ ବିଶଦ ଆଲୋଚନା କରିଥିଲେ । ମୁଖ୍ୟ ଚିକିତ୍ସାଧିକାରୀ କାର୍ଯ୍ୟରେ ଯୋଗଦେବାପରେ ଏହି ସମସ୍ୟା ଓ ପ୍ରସ୍ତାବ ଉପରେ ସେ ଅବଗତ କରାଇବାକୁ ପ୍ରତିନିଧିମାନଙ୍କୁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ଏହି ପ୍ରତିନିଧି ଦଳରେ କ୍ରିୟାନୁଷ୍ଠାନ କମିଟିର ସଭାପତି ପ୍ରଫେସର ଅନନ୍ତ କୁମାର ପ୍ରଧାନ, ସାଧାରଣ ସଂପାଦକ ନିରଞ୍ଜନ ପରିଡ଼ାଙ୍କ ସମେତ ଦୀନବନ୍ଧୁ ଲେଙ୍କା, ସଚ୍ଚିନ୍ଦ୍ର ଦାସ, ଇଂ. ବନମାଳୀ ନାୟକ ଓ ଗୌରାଙ୍ଗ ପାଣିଗ୍ରାହୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ