ଜିଲ୍ଲା ଯୁବ ରେଡକ୍ରସର ସମୀକ୍ଷା ବୈଠକ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଜିଲ୍ଲା ଯୁବ ରେଡକ୍ରସ କାର୍ଯ୍ୟକାରୀ କମିଟି ଆନୁକୂଲ୍ୟରେ ଭାରତୀୟ ରେଡକ୍ରସ ସୋସାଇଟିର ଓଡିଶା ରାଜ୍ୟ ଶାଖା ଅଧିନ କେନ୍ଦ୍ରାପଡା ଜିଲ୍ଲା ଯୁବ ରେଡକ୍ରସର ଏକ ସମୀକ୍ଷା ବୈଠକ ଆଜି ଅପରାହ୍ନରେ କେନ୍ଦ୍ରାପଡା ମହାବିଦ୍ୟାଳୟ ମିନି କନଫରେନ୍ସ ହଲରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଯୁବ ରେଡକ୍ରସ କାର୍ଯ୍ୟକାରୀ କମିଟିର ଅଧ୍ୟକ୍ଷ ତଥା ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଓଡିଶା ରାଜ୍ୟ ଯୁବ ରେଡକ୍ରସର ଅଧିକାରୀ ଡଃ. ରମେଶ ଚନ୍ଦ୍ର ବେହେରା ଯୋଗଦେଇ କେନ୍ଦ୍ରାପଡା ଜିଲ୍ଲାରେ ଯୁବ ରେଡକ୍ରସ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ଏହି ସମୀକ୍ଷା ବେଳେ ଜଣାପଡିଥିଲା ଯେ ଜିଲ୍ଲାରେ ଥିବା ୯୦ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସଂସ୍କୃତ ମହାବିଦ୍ୟାଳୟ ଓ ଡିଗ୍ରୀ ମହାବିଦ୍ୟାଲୟ ମଧ୍ୟରୁ ବୈଠକରେ ଯୋଗଦେଇଥିବା ୨୬ଟି ଶିକ୍ଷାନୁଷ୍ଠାନରେ ଯୁବ ରେଡକ୍ରସ ସଂସ୍ଥା କାର୍ଯ୍ୟକ୍ଷମ ରହିଛି । ଏଥିସହିତ ଜିଲ୍ଲାର ମାତ୍ର ୬ଟି ମହାବିଦ୍ୟାଳୟରେ ଏଚ.ଆଇ.ଭି. ଏଡ୍ସ ସଚେତନତା ନିମନ୍ତେ ରେଡ ରିବନ କ୍ଲବ କାର୍ଯ୍ୟ କରୁଛି । ଅଧିକାଂଶ ମହାବିଦ୍ୟାଳୟର ଯୁବ ରେଡକ୍ରସ କାଉନସିଲରମାନେ ତାଲିମପ୍ରାପ୍ତ ନୁହନ୍ତି । ଏସମସ୍ତ ବିଷୟରେ ସମୀକ୍ଷା କରାଯିବା ପରେ ରାଜ୍ୟ ଯୁବ ରେଡକ୍ରସର ଅଧିକାରୀ ଡଃ. ବେହେରା ଜିଲ୍ଲାର ସମସ୍ତ ୯୦ଟି ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ସଂସ୍କୃତ ମହାବିଦ୍ୟାଳୟ ଏବଂ ଡିଗ୍ରୀ ମହାବିଦ୍ୟାଳୟ ଗୁଡିକରେ ଯୁବ ରେଡକ୍ରସର ଶାଖା ଖେ।।ଲାଯିବା, ଯୁବ ରେଡକ୍ରସ ନିମନ୍ତେ ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ସ୍ୱତନ୍ତ୍ର ବ୍ୟାଙ୍କ ଆକାଉଂଟ ଖୋଲିବା ଓ ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ରେଡ ରିବନ କ୍ଲବ ଖୋଲାଯିବାକୁ ପରାମର୍ଶ ଦେଇଥିଲେ । ପ୍ରତ୍ୟେକ ଶିକ୍ଷାନୁଷ୍ଠାନର ଯୁବ ରେଡକ୍ରସ ଶାଖା ସେମାନଙ୍କ ପ୍ରବେଶ ଫିସ ସମେତ ରାଜ୍ୟ ଅଂଶ(ଷ୍ଟେଟ ଶେଆର) ତୁରନ୍ତ ରାଜ୍ୟ ଯୁବ ରେଡକ୍ରସ କାର୍ଯ୍ୟାଳୟକୁ ପଠାଇବାକୁ ଡଃ. ବେହେରା ପରାମର୍ଶ ଦେଇଥିଲେ । ଆସନ୍ତା ମାର୍ଚ୍ଚମାସ ସୁଦ୍ଧା କେନ୍ଦ୍ରାପଡା ମହାବିଦ୍ୟାଳୟରେ ୟୁବ ରେଡକ୍ରସର ଛାତ୍ରଛାତ୍ରୀ ଓ କାଉନସେଲରମାନଙ୍କ ପାଇଁ ଏକ କର୍ମଶାଳାର ଆୟୋଜନ କରିବାକୁ ଡଃ. ବେହେରା ପରାମର୍ଶ ଦେଇଥିଲେ । ଜିଲ୍ଲାର ସମସ୍ତ ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ସଂସ୍କୃତ ମହାବିଦ୍ୟାଳୟ ଏବଂ ଡିଗ୍ରୀ ମହାବିଦ୍ୟାଳୟ ଗୁଡିକର ଯୁବ ରେଡକ୍ରସରେ ସକ୍ରୀୟ ଯୋଗଦାନ ପାଇଁ ଜିଲ୍ଲାର ଜିଲ୍ଲାପାଳ, କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଏବଂ ଉଚ୍ଚଶିକ୍ଷା ବିଘାର ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଡଃ. ବେହେରା କହିଥିଲେ । ଯୁବରେଡକ୍ରସର ଜିଲ୍ଲା ଆବାହକ ତଥା ସମ୍ପାଦକ ପ୍ରାଧ୍ୟାପକ ପ୍ରଶାନ୍ତ ସାହୁ କାର୍ଯ୍ୟକ୍ରମର ଉଦେଶ୍ୟ ଜ୍ଞାପନ କରିଥିବା ବେଳେ ଜିଲ୍ଲା ସଂଯୋଜକ ଅଧ୍ୟାପକ ରତ୍ନାକର ସେଠୀ ବିବରଣୀ ପ୍ରଦାନ କରିଥିଲେ । ଯୁବରେଡକ୍ରସର କାଉନସେଲର ଅଧ୍ୟାପକ ବିକାଶ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।


