ଜିଲ୍ଲା ରକ୍ତଦାତା ସଂଘର ବାର୍ଷିକ ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା):ଆସନ୍ତା ଜୁନ ୧୪ ତାରିଖରେ ବିଶ୍ୱ ରକ୍ତଦାତା ଦିବସ ଉତ୍ସବ ପାଳନ ଓ ଜିଲ୍ଲା ରକ୍ତ ଦାତା ସଂଘର ବାର୍ଷିକ ସମ୍ମିଳନୀ ଆୟୋଜନ ପାଇଁ ଶୁକ୍ରବାର ଅପରାହ୍ନରେ ଜିଲ୍ଲା ରକ୍ତ କେନ୍ଦ୍ରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ସଂଘର ସଭାପତି କମଳ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାଧାରଣ ସଂପାଦକ ଇଂ. ଡ. ହୃଷିକେଶ ସାହୁ ସଂଘର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିବା ସହ ଚଳିତ ଗ୍ରୀଷ୍ମ ଋତୁରେ ରକ୍ତ କେନ୍ଦ୍ରରେ ରକ୍ତର ସଂକଟ ସୃଷ୍ଟି ହୋଇଥିବାରୁ ଅଧିକରୁ ଅଧିକ ରକ୍ତଦାନ ଶିବିର ଆୟୋଜନ କରିବା ପାଇଁ ପରାମର୍ଶ ଦେଇଥିଲେ । ବିଶେଷତଃ ଗ୍ରୀଷ୍ମପ୍ରବାହ ପାଇଁ ସଂଧ୍ୟାକାଳୀନ ଶିବିର ଅୟୋଜନ ପାଇଁ ଶିବିର ଆୟୋଜକମାନଙ୍କୁ ଉତ୍ସାହିତ କରିବାକୁ ବୈଠକରେ ସହମତି ପ୍ରକାଶ ପାଇଥିଲା ।ଆସନ୍ତା ଜୁନ ୧୪ ତାରିଖରେ ଜଳେଶ୍ୱର ଠାରେ ବିଶ୍ୱ ରକ୍ତଦାତା ଦିବସ ଉତ୍ସବ ପାଳନ ପାଇଁ ସ୍ଥିର କରାଗଲା । ସେହିଦିନଠାରୁ ସପ୍ତାହବ୍ୟାପୀ ବିଭିନ୍ନ ବ୍ଲକରେ ପର୍ଯ୍ୟାୟକ୍ରମେ ରକ୍ତଦାନ ଶିବିର ଓ ନୂତନ ରକ୍ତଦାତା ସୃଷ୍ଟି ନିମନ୍ତେ ସଚେତନତା ଅଭିଯାନ କାର୍ଯ୍ୟକ୍ରମମାନ ଆୟୋଜିତ ହେବ ବୋଲି ସ୍ଥିର କରାଯାଇଛି । ଜୁନ ୩୦ ତାରିଖରେ ସଂଘର ବାର୍ଷିକ ଉତ୍ସବ ବାଲେଶ୍ୱର ଠାରେ ଆୟୋଜିତ ହେବ । ବାଲେଶ୍ୱର ଜିଲ୍ଲାରେ ରକ୍ତଦାନକୁ ଏକ ଆନ୍ଦୋଳନରେ ପରିଣତ କରିବାପାଇଁ ଜୀବନବ୍ୟାପି ପ୍ରେରଣାଦାତା ଥିବା ପୂର୍ବତନ ରକ୍ତଭଣ୍ଡାରର ଅଧିକାରୀ ଡା. ମହେଶଚନ୍ଦ୍ର ବିଶ୍ୱାଳଙ୍କର ଅକାଳ ବିୟୋଗର ପ୍ରଥମ ବାର୍ଷିକୀ ଜୁନ ମାସରେ ହୋଇଥିବାରୁ ବାର୍ଷିକ ମୁଖପତ୍ର ସ୍ୱର୍ଗତ ଡା. ବିଶ୍ୱାଳଂକର ସ୍ମୃତି ବିଶେଷାଙ୍କ ଭାବରେ ପ୍ରକାଶିତ ହେବ । ସେଥିପାଇଁ ଲେଖାମାନ ସଂଗ୍ରହ କରିବାପାଇଁ ସ୍ଥିର କରାଗଲା ।ବୈଠକରେ ସଂଘର କର୍ମକର୍ତ୍ତା, ଉପଦେଷ୍ଟା ଓ ସଦସ୍ୟ ଭଗବାନ ମହାନ୍ତି, ଅଜିତ କୁମାର ମହାନ୍ତି, ମନୋରଂଜନ ଦାସ, ବିଜୟ ପାତ୍ର, ରବି ରାଉତ, ଲକ୍ଷ୍ମୀଧର ବାରିକ, ସନ୍ତୋଷ କୁମାର ପଣ୍ଡା, ରାଜେଶ ଗିରି, କଳ୍ପିତାରାଣୀ ସାହୁ, କୁମାରକୃଷ୍ଣ କର, ପ୍ରଫୁଲ୍ଲ କୁମାର ଦାସ, ସୁଦର୍ଶନ ଜେନା, କାଳୀପଦ ପଣ୍ଡା, ଗୌରାଙ୍ଗ ପଣ୍ଡା, ବିଶ୍ୱଜିତ ଘୋଷ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


