ଜିଲ୍ଲା ରାଜସ୍ୱ ସମୀକ୍ଷା ବୈଠକ
ଛତ୍ରପୁର ,(ଯୁଗାବ୍ଦ ନ୍ୟୁଜ୍) : ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିବା ବେଳେ ତହସିଲ ଦାର ସମୀକ୍ଷା କରିଥିଲେ । ତହସିଲଦାରମାନେ ସେମାନଙ୍କ କାର୍ଯ୍ୟରତ ସମୟର ୫୦ ପ୍ରତିଶତ ସମୟ ବିଭିନ୍ନ ବେଆଇନ୍ କାର୍ଯ୍ୟ ଚାଲଣ ଉପରେ ଚଢଉ ଜାରି ରଖିବେ । ବେଆଇନ ଲଘୁ ଖଣିଜ ଦ୍ରବ୍ୟ ଚାଲଣ ଏବଂ ପୁଲିସ ଓ ଅବକାରୀ ବିଭାଗର ସହଯୋଗରେ ଚୋରାମଦ ଓ ଗଞ୍ଜେଇ କାରବାର ଉପରେ ଚଢାଉ ହେବ । ଚଢାଉ ବେଳେ ପୁଲିସ କର୍ମଚାରୀଙ୍କ ସହାୟତ ନିଆଯିବ । ପ୍ରାୟ ସମୟରେ ଖଣିଜ ଦ୍ରବ୍ୟ ଗୁଡିକୁ ରାତି ଅଧିଆ ଚାଲଣ ହେଉଅଛି । ଏଣୁ ରାତି ପାଟ୍ରୋଲିଂକୁ କଡାକଡି କରିବାକୁ ହେବ । ସପ୍ତାହର ୩ ରୁ ୪ ଦିନ ଧରି ତହସିଲଦାରମାନେ ରାତିରେ ପାଟ୍ରୋଲିଂ କରିବା ପାଇଁ ଜିଲ୍ଲାପାଳ କହିଥିଲେ । ସେହିପରି ତହସିଲଦାରମାନେ ଆଦିବାସୀ ବିଦ୍ୟାଳୟ ଗୁଡିକର ପରିପାଶ୍ୱର୍ିକ ସ୍ଥିତି ଓ ବିଦ୍ୟାଳୟରେ ପିଲାମାନଙ୍କ ଖାଦ୍ୟ ଠାରୁ ଆରମ୍ଭ କରି ସମସ୍ତ ବିଷୟକୁ ତଦରାଖ କରିବେ । ସ୍କୁଲ ଓ କଲେଜ ଗୁଡିକରେ ସଡକ ନିରାପତ୍ତା ଉପରେ ଛାତ୍ରଛାତ୍ରୀଙ୍କ ସଚେତନତା କରାଇବା ଦିଗରେ ତହସିଲଦାରମାନେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି । ସଡକ ନିରାପତ୍ତା, ବେଆଇନ ମଦ କାରବାର ସଂକ୍ରାନ୍ତରେ ତହିସଲସ୍ତରୀୟ ଯୁଗ୍ମ ସ୍କାଡ୍ର ନିୟମିତ ବୈଠକ କରିବା ପାଇଁ ଜିଲ୍ଲାପାଳ କହିଛନ୍ତି । ମୋ ସରକାର ଓ ୫-ଟି ଆଧାରରେ ସମସ୍ତ ତହସିଲ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ କାର୍ଯ୍ୟ ଶୈଳୀକୁ ପରିବର୍ତ୍ତନ କରିବାକୁ ହେବ । ଜନସାଧାରଣଙ୍କ ହାତ ପାଆନ୍ତାରେ ସୁବିଧା ସୁଯୋଗ ଗୁଡିକୁ କିପରି ପହଞ୍ଚାଇ ପାରିବ ଏବଂ ଲୋକଙ୍କ ଅଭିଯୋଗକୁ ପ୍ରାଧାନ୍ୟ ଦିଆଯିବ ତାହା ଉପରେ ଅଧିକାରୀମାନେ ପଦକ୍ଷେପ ନେବାକୁ ଜିଲ୍ଲାପାଳ କହିଛନ୍ତି । ପ୍ରତି ମାସର ଚତୁର୍ଥ ଶନିବାର ଦିନ ୫-ଟି ଉପରେ ତହିସଲଦାରମାନେ ବୈଠକ କରିବେ । ବେଆଇନ ଖଣିଜ ଦ୍ରବ୍ୟ ଚୋରା ଚାଲଣ ବାବଦରେ ଗଲାମାସରେ ୨୦୮ ଟି ଚଢାଉ କରାଯାଇଛି । ୨୨୨ ଯାନବାହାନକୁ ଜବତ କରି ୩୯ ଲକ୍ଷ ୨୭ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିଲା । ଜିଲ୍ଲାର ୨୩ ଟି ତହସିଲ ମଧ୍ୟରୁ କୋଦଳା ଓ ବ୍ରହ୍ମପୁର ତହିସଲ ପକ୍ଷରୁ ଗୋଟିଏ ହେଲେ ଖଣିଜ ଦ୍ରବ୍ୟ ଚାଲଣ ଉପରେ ଚଢାଉ ହୋଇନଥିବାରୁ ଗଞ୍ଜାମ ଜିଲ୍ଲାପାଳ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏଥିସହ ଏହି ବାବଦରେ ଚଢାଉ ସଂଖ୍ୟା କମ୍ ରହିଥିବା ତହିସଲ ଗୁଡିକୁ ଅଞ୍ଚଳରେ ବ୍ୟାପକ ଚଢାଉ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତ୍ୟେକ ଚଢାଉକୁ ଗାମା ଆପ୍ରେ ଅପଲୋଡ୍ କରିବାକୁ କୁହାଯାଇଛି । ରାଜସ୍ୱ ସମ୍ବନ୍ଧୀୟ ସମସ୍ତ ସୂଚନା ଏକ ପୁସ୍ତିକା ମାଧ୍ୟମରେ ଲୋକମାନଙ୍କୁ ସଚେତନତା କରିବା ପାଇଁ ପଦକ୍ଷେପ ନିଆଯିବ । ସରକାରୀ ଜମି ଗୁଡିକୁ ସୁରକ୍ଷିତ ରଖିବା ନିମନ୍ତେ ପାଚେରୀର ବ୍ୟବସ୍ଥା କରାଯିବ । ଗ୍ରାମକଣ୍ଠକ ପଟ୍ଟା, ଜମି ପଟ୍ଟା ଗୁଡିକୁ ହିତାଧିକାରୀଙ୍କୁ ମେଳାର ଆୟୋଜନ କରି ବଣ୍ଟନ କରାଯିବ । ବସୁନ୍ଧରା ଯୋଜନାରେ ଫଇସଲା ନ ହୋଇ ରହିଥିବା ମାମଲା ଗୁଡିକୁ ତୁରନ୍ତ ଫଇସଲା କରି ଲୋକଙ୍କୁ ପ୍ରଦାନ କରାଯିବ । ପଞ୍ଚାୟତ ରାଜ ବିଭାଗ ଦ୍ୱାରା ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ନିଜସ୍ୱ ଜମି ନଥାଇ ବଞ୍ଚିତ ହିତାଧିକାରୀଙ୍କୁ ତହସିଲଦାରମାନେ ତଦନ୍ତ କରି ଜମି ଯୋଗାଇବାର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ କହିଛନ୍ତି । ସେହିପରି ଖାଦ୍ୟ ସାମଗ୍ରୀର ମାନ ନିରୂପଣ ଏବଂ ମାପ ଓଜନ ଉପରେ ଫୁଡ୍ ନିରୀକ୍ଷଣ ଓ ମାପ ଓଜନ ବିଭାଗର ଅଧିକାରୀମାନେ ତଦାରଖ କରିବାକୁ ଜିଲ୍ଲାପାଳ କହିଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତାତ୍ରେୟ ଭାଉସାହେବ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ୍, ଡେପୁଟି କଲେକ୍ଟର ଡ.ଦିବ୍ୟ ଲୋଚନ ମହନ୍ତ, ବ୍ରହ୍ମପୁର ଅବକାରୀ ଅଧୀକ୍ଷକ ରାମଚନ୍ଦ୍ର ମିଶ୍ର ଓ ଗଂଜାମ ଅଧୀକ୍ଷକ ରାଜେନ୍ଦ୍ର କୁମାର ଭତ୍ରାଙ୍କ ସମେତ ସମସ୍ତ ତହିସଲଦାର ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ସେହିପରି ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଉପଖଣ୍ଡସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା