ଜିଲ୍ଲା ଶିକ୍ଷା ବିଭାଗର ଜିଲ୍ଲା ପ୍ରକଳ୍ପ ପରିଚାଳନା ୟୁନିଟ୍ ର ବୈଠକ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଜିଲ୍ଲା ଶିକ୍ଷା ବିଭାଗର ଜିଲ୍ଲା ପ୍ରକଳ୍ପ ପରିଚାଳନା ୟୁନିଟ୍ (ଡିପିଏମ ୟୁ ) ର ବୈଠକ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷଠାରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ )ସୁଧାଂଶୁ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଓ ତାଲିମ୍ ଅନୁଷ୍ଠାନ ଖଲ୍ଲିକୋଟ ଗଞ୍ଜାମର ଅଧ୍ଯକ୍ଷ ଡ ସନ୍ତୋଷ କୁମାର ପରିଡା ପ୍ରଥମ ଶ୍ରେଣୀରୁ ତୃତୀୟ ଶ୍ରେଣୀ ପିଲାଙ୍କୁ କିପରି ଶିକ୍ଷାଦାନ କରାଯାଇପାରିବ ତାହା ଉପରେ ଉପସ୍ଥିତ ପ୍ରଧାନ ଶିକ୍ଷକ/ପ୍ରଧାନ ଶିକ୍ଷୟିତ୍ରୀ, ବ୍ଲକ ଶିକ୍ଷା ଅଧିକାରୀ, ସି.ଆର୍.ସି.ସି. ତଥା ସମସ୍ତ ସଭ୍ୟମାନଙ୍କୁ ଉପସ୍ଥାପନା କରିଥିଲେ । ପିଲା ମାନଙ୍କର ଭାଷା ଓ ଗଣିତ ଜ୍ଞାନର ବିକାଶ କିପରି ହୋଇ ପାରିବ ତାହାହିଁ ଥିଲା ବୈଠକର ମୂଳ ଉଦ୍ଦେଶ୍ୟ । ପିଲା ମାନଙ୍କୁ ଉତ୍ତମ ଶିକ୍ଷାଦାନ ନିମନ୍ତେ ନିପୁଣ ଓଡିଶା କାର୍ଯ୍ୟକାରୀ କରାଯାଇଛି । ସଂଖ୍ୟା ପରିଚୟ, ଶୂନ୍ୟସ୍ଥାନ ପୂରଣ, ସଂଖ୍ୟାକ୍ରମ, ଅଧଃ କ୍ରମରେ ଓ ଉର୍ଦ୍ଧ୍ବ କ୍ରମରେ ସଂଖ୍ୟାଲିଖନ, ସଂଖ୍ୟାର କ୍ରମ ଓ ରୂପ, ସଂଖ୍ୟାର ସ୍ଥାନୀୟମାନ, ପୁସ୍ତକ ପଠନ, ଯୋଗ, ବିୟୋଗ, ଜ୍ୟାମିତିକ ଆକୃତି, ଶବ୍ଦ ସଂଯୋଜନା ଆଦି ଶିଶୁ ମାନେ କିପରି ସହଜରେ ବୁଝି କରିପାରିବେ ତାହା ଉପରେ ତାଲିମ୍ ପ୍ରଦାନ କରିଥିଲେ । ସି.ଆର୍.ସି.ସି ମାନେ ପ୍ରତ୍ୟେକ ମାସରେ କ୍ଲଷ୍ଟର ସ୍ତରୀୟ ବୈଠକ କରି ତାଲିମ ପ୍ରଦାନ କରିବାକୁ ସ୍ଥିର କରାଯାଇଛି । ଜିଲ୍ଲାର ପ୍ରତ୍ୟେକ ବିଦ୍ୟାଳୟକୁ ଉତ୍ତମ ଶିକ୍ଷାଦାନ ନିମନ୍ତେ ଶିକ୍ଷା ଉପକରଣ ଓ ସଂଖ୍ୟା ପରିଚୟ ଉପକରଣ କିଟ୍ ପ୍ରଦାନ କରାଯିବା ପାଇଁ ସ୍ଥିର କରାଯାଇଛି । ବ୍ଲକ୍ ସ୍ତରରେ ଓ କ୍ଲଷ୍ଚର ସ୍ତରରେ ନିୟମିତ ପ୍ରଫେସନାଲ ଲର୍ଣ୍ଣିଂ କମ୍ୟୁନିଟି ବୈଠକ କରି ଶିକ୍ଷାଦାନ କିପରି କରାଯାଉଛି ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ଶିକ୍ଷା ଓ ତାଲିମ୍ ଅନୁଷ୍ଠାନ ଖଲ୍ଲିକୋଟ ଗଞ୍ଜାମର ଅଧ୍ଯକ୍ଷ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ, ବ୍ଲକ୍ ଶିକ୍ଷାଧିକାରୀ ଏବଂ ସି.ଆର୍.ସି.ସି, ମାନେ ତାହାର ତଦାରଖ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଶିକ୍ଷା ବର୍ଷକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ପ୍ରଥମଟି ବିଦ୍ୟାଳୟ ପ୍ରସ୍ତୁତି କାର୍ଯ୍ୟକ୍ରମ ଯାହାକି ପିଲା ମାନଙ୍କୁ ଓ୍ବାର୍କ ବୁକ୍ ଯୋଗାଇ ଦିଆଯିବା ସହିତ କ୍ରିୟାକଳାପ ମାଧ୍ୟମରେ ପୂର୍ବ ପାଠର ଆଲୋଚନା କରାଯିବ । ଦ୍ବିତୀୟଟି ଗ୍ରେଡ୍ ଲେବୁଲ୍ ପ୍ୟାକେଜ୍ । ଏଥିରେ ପିଲା ମାନଙ୍କୁ ବିଷୟ ଭିତ୍ତିକ ଶିକ୍ଷାଦାନ କରାଯିବା ସହ ପିଲା ମାନଙ୍କର ଶିକ୍ଷା କ୍ଷେତ୍ରରେ କିପରି ଉନ୍ନତି ହୋଇଛି ତାହାର ମୂଲ୍ୟାଙ୍କନ କରାଯିବ । ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି ନିମନ୍ତେ ଏଫ୍.ଏଲ୍.ଏନ୍. ( ଫାଉଣ୍ଡେସନ୍ ଲିଟେରାସି ଆଣ୍ଡ ନ୍ୟୁମେରାଶି ) ହବ୍ ଛତ୍ରପୁରର କୌଣସି ଏକ ବିଦ୍ୟାଳୟରେ ସ୍ଥାପନ କରାଯିବା ପାଇଁ ସ୍ଥିର କରାଯାଇଛି । ବୈଠକରେ ଜିଲ୍ଲା ଶିକ୍ଷାଧିକାରୀ ଅମୀତା ପଟ୍ଟନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଆବିଦା ପରବୀନ୍, ଛତ୍ରପୁର ବ୍ଲକ୍ ଶିକ୍ଷାଧିକାରୀ, ଜିଲ୍ଲା ଶିକ୍ଷା ଓ ତାଲିମ୍ ଅନୁଷ୍ଠାନ ଖଲ୍ଲିକୋଟ ଗଞ୍ଜାମର ଡ. ନିହାରିକା ସାମନ୍ତରାୟ, ଶୈକ୍ଷିକ ସଂଯୋଜକ ଡ ସନ୍ତୋଷ କୁମାର ପଣ୍ଡା, ସି.ଆର୍.ସି.ସି. ରାଜପୁର ଲକ୍ଷ୍ମଣ ସେଠୀ, ବକ୍ସିପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାଶ ଶବର, କତୁରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ବେହେରା, ସମନ୍ବୀତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, କ୍ୟୁରେସ୍ ପ୍ରକଳ୍ପ ପରିଚାଳକ, ଛତ୍ରପୁର ରାମ କୃଷ୍ଣ ପଣ୍ଡା ଓ ଅନ୍ୟାନ୍ୟ ଅଧିକାରୀଗଣ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ