ଜିଲ୍ଲା ଶିଶୁ ସୁରକ୍ଷା ଅଧିକାର ରଥର କେନ୍ଦ୍ରାପଡା ଜିଲ୍ଲା ପରିକ୍ରମା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ରାଜ୍ୟ ଶିଶୁ ସୁରକ୍ଷା ଆୟୁକ୍ତଙ୍କ ଯୋଜନା କ୍ରମେ ଗତ ନଭେମ୍ବର ମାସ ୧୦ ତାରିଖରୁ ୨ଟି ଶିଶୁ ଅଧିକାର ସଂକ୍ରାନ୍ତୀୟ ସଚେତନତା ରଥ ସାରା ରାଜ୍ୟ ପରିକ୍ରମା କରୁଛି । ଏହି ରଥ ରାଜ୍ୟର ବିଭିନ୍ନ ଅଞ୍ଚଳରେ ୪୦ ଦିନ ପରିକ୍ରମା କରିବ । ପ୍ରତି ଜିଲ୍ଲାର ବିଭିନ୍ନ ବ୍ଲକ ଓ ସହରାଞ୍ଚଳକୁ ଯାଇ ଶିଶୁ ଅଧିକାର ସମ୍ବଦ୍ଧୀୟ ସଚେତନତା ବାର୍ତ୍ତା ପ୍ରଚାର ଓ ପ୍ରସାର କରୁଛି । ଏହି କ୍ରମରେ ଆଜି ଏହି ରଥ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ବ୍ଲକ ଓ ସହରାଞ୍ଚଳକୁ ପରିକ୍ରମା କରିବା ପାଇଁ ଆଜି ଏହି ଜିଲ୍ଲାରେ ପହଂଚିଛି । ଗତ କାଲି ଯାଜପୁର ଜିଲ୍ଲା ପରିକ୍ରମା କରିବା ପରେ ଏହି ରଥ ଆଜି ସକାଳ ୯ଟାରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପହଂଚି ଥିଲା । ଶଙ୍ଖ, ହୁଳହୁଳି ଓ ଫୁଲ ଦ୍ୱାରା ଉପସ୍ଥିତ ଥିବା ଅଙ୍ଗନୱାଡି କର୍ମୀ ଓ ସୁଧାର ଗୃହର କର୍ମକର୍ତ୍ତାମାନେ ଏହି ରଥକୁ ସ୍ୱାଗତ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର କର୍ମଚାରୀବୃନ୍ଦ ଝୋଟି ପକାଇ ଏହି ରଥକୁ ସ୍ୱାଗତ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଦୁର୍ଗାପ୍ରସାଦ ମହାରଣା ପ୍ରଦୀପ ପ୍ରଜ୍ୱଳନ ପୁର୍ବକ ପତାକା ଦେଖାଇ ୯ଟା ୩୦ରେ ଏହି ରଥକୁ ବାହାରକୁ ପରିକ୍ରମା କରିବା ପାଇଁ ଛାଡିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଚିନ୍ମୟୀ ରଥ, କାର୍ଯ୍ୟକ୍ରମ ଅଧିକାରିଣୀ ସଞ୍ଜୁକ୍ତା ମିଶ୍ର, ସୁଚନା ଓ ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ ହେମନ୍ତ କୁମାର ନାୟକ, ଜିଲା କ୍ରୀଡା ଅଧିକାରୀ, ଜିଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ, ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ବିଜ୍ଞାନ ପରିଦର୍ଶକ ଏବଂ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଭାରପ୍ରାପ୍ତ ଶିଶୁ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ପରିଚାଳନା କରିବା ସହ ରଥ ପରିକ୍ରମାର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଉଦଘାଟନ ପରେ ଏହି ରଥ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି କେନ୍ଦ୍ରାପଡା ଟାଉନ ହାଇସ୍କୁଲରେ ପହଂଚି ଥିଲା । ସେଠାରେ ବଳଦେବଜୀୟୁ ହାଇସ୍କୁଲ, କେନ୍ଦ୍ରାପଡା ବାଳିକା ଉଚ୍ଚ ବିଦ୍ୟାଳୟ, ଟାଉନ ହାଇସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀମାନେ ରଥକୁ ସ୍ୱାଗତ କରିଥିଲେ । ଏହାପରେ କେନ୍ଦ୍ରାପଡା ଟାଉନ ହାଇସ୍କୁଲ ପରିସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ସେଠାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଦାସ ରଥ ପରିକ୍ରମାର ଉଦ୍ଦେଶ୍ୟ ଓ ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସେଠାରେ ନିମାଇଁ ଚରଣ ମାନସିକ ନ୍ୟୁନତା ସଂସ୍ଥାନ ଅଧ୍ୟକ୍ଷ ସ୍ୱପ୍ନାଂଶୁ କୁମାର ଦାସ ସମସ୍ତଙ୍କୁ ଏକ ଶପଥ ପାଠ କରାଇଥିଲେ । ଏହାପରେ ଏହି ରଥ ଏକ ଶୋଭାଯାତ୍ରାରେ ସହର ମଧ୍ୟ ଦେଇ ବଳଦେବଜୀୟୁ ମନ୍ଦିର ପାଖ ଇଚ୍ଛାପୁର, ଅଙ୍ଗୁଳାଇ ବଜାର ଓ ମାର୍ଶାଘାଇ ବଜାର ଦେଇ ମାର୍ଶାଘାଇ ମହାବିଦ୍ୟାଳୟ ପରିସରରେ ପହଂଚି ଥିଲା । ସେଠାରେ ରଥକୁ ଅଙ୍ଗନୱାଡି କର୍ମୀ ଓ ସହାୟିକାମାନେ ଦୀପ ଓ ଫୁଲ ଦେଇ ସ୍ୱାଗତ କରିଥିଲେ । କଲେଜ ପରିସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ସେଥିରେ ୭୦୦ରୁ ଅଧିକ କଲେଜ ଓ ହାଇସ୍କୁଲର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ସେଠାରେ ଶିଶୁ ସୁରକ୍ଷା ଅଧିକାରୀ ଶିଶୁମାନଙ୍କ ଅଧିକାର ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇ ଥିଲେ । ସେଠାରୁ ଏହି ରଥ ଏକ ଶୋଭାଯାତ୍ରାରେ କେନାଲ ବନ୍ଧ ଦେଇ ମହାକାଳପଡା ବ୍ଲକର ବଉଳକଣୀସ୍ଥିତ ପ୍ରେମଚାନ୍ଦ ଉଚ୍ଚ ବିଦ୍ୟାଳୟ ପରିସରରେ ପହଂଚି ଥିଲା । ସେଠାରେ ଉକ୍ତ ବିଦ୍ୟାଳୟ ଓ ନିକଟବର୍ତ୍ତୀ ବିଦ୍ୟାଳୟ ଗୁଡିକର ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟତ୍ରୀ, ଅଙ୍ଗନୱାଡି କର୍ମୀ, ସହାୟିକା, ସୁପରଭାଇଜର, ସ୍ଥାନୀୟ ଜନ ପ୍ରତିନିଧି ଓ ସ୍ୱୟଂ ସହାୟିକା ଗୋଷ୍ଠୀର ସଭ୍ୟମାନେ ରଥକୁ ସ୍ୱାଗତ କରିଥିଲେ । ଏହାପରେ ରଥଟି ମାର୍ଶାଘାଇ ଓ ମହାକାଳପଡାର ବିଭିନ୍ନ ଗ୍ରାମପଞ୍ଚାୟତ, ବଜାର ଆଦି ପରିକ୍ରମା କରି ଗରଦପୁର ବ୍ଲକ ଅଞ୍ଚଳରେ ପହଂଚି ଥିଲା । ସେଠାରେ କୋରୁଆ ସ୍ଥିତ ପଲିଶ୍ରୀ ମହିଳା ସମିତି ପରିସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ