ଜିଲ୍ଲା ଶିଶୁ ସୁରକ୍ଷା କମିଟି ବୈଠକ; ପ୍ରତିଭାବାନ୍ ଛାତ୍ରଛାତ୍ରୀଙ୍କୁ ମେଧାବୃତି ଅର୍ଥ ପ୍ରଦାନ
ବାଲେଶ୍ୱର,(ଓ୍ବାଇଏନ୍ଏସ୍): ଆଜି ପୂର୍ବାହ୍ନରେ ସ୍ଥାନୀୟ ସଦଭାବନା ସଭାଗୃହରେ ଜିଲ୍ଲା ଶିଶୁ ସୁରକ୍ଷା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ନିବେଦିତା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମାନ୍ୟବର ବାଲେଶ୍ୱର ସଦର ବିଧାୟକ ଶ୍ରୀ ସ୍ୱରୂପ କୁମାର ଦାସ, ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀଙ୍କ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇ ଜିଲ୍ଲାରେ ଶିଶୁ ସୁରକ୍ଷା କ୍ଷେତ୍ରରେ ହେଉଥିବା କାର୍ଯ୍ୟ ଏବଂ ଏ ଦିଗରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଥିଲେ । ବିଶେଷ କରି ଜିଲ୍ଲାରେ ଥିବା ଯେଉଁ ଶିଶୁ ଯତ୍ନ ଅନୁଷ୍ଠାନଗୁଡିକରେ ଆବଶ୍ୟକୀୟ ସୁବିଧା ସୁଯୋଗ ନାହିଁ, ସେଠାରେ ତାହା ତୁରନ୍ତ ଉପଲବଧ କରାଇବାକୁ ଅଧିକାରୀମାନଙ୍କୁ କୁହାଯାଇଥିଲା । ସେହିପରି ଜିଲ୍ଲାରେ ଅନାଥ ଶିଶୁମାନଙ୍କର ସର୍ଭେ କାର୍ଯ୍ୟକୁ ଏହି ମାସ ଶେଷ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଶିଶୁ ସୁରକ୍ଷା ପାଇଁ ବିଶେଷ ପଦକ୍ଷେପ ସ୍ୱରୂପ ଜିଲ୍ଲାରେ ଗୋଟିଏ ଲେଖାଏଁ ଅନାଥ ଆଶ୍ରୟ ନିବାସ, ସ୍ୱାଧାର ଗୃହ, ସ୍ୱତନ୍ତ୍ର ପୌଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ସ୍ଥାପନ କରିବା ଲାଗି ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତି ହୋଇଥିଲା । ଏହି ଅବସରରେ ଗତ ମାଟ୍ରିକ୍ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ଶିଶୁ ଯତ୍ନ ଅନୁଷ୍ଠାନର ୨ଜଣ ଛାତ୍ର ଏବଂ ଜଣେ ଛାତ୍ରୀଙ୍କୁ ୨୦ହଜାର ଟଙ୍କା ଲେଖାଏଁ ମେଧାବୃତି ଅର୍ଥ ପ୍ରଦାନ କରାଯାଇଥିଲା । ବୈଠକ ଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଯୁବକ ମାଝୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ


