ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ମରଣାନ୍ତଙ୍କ ଆକ୍ରମଣ ଅଭିଯୋଗ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ମରଣାନ୍ତଙ୍କ ଆକ୍ରମଣ ସହିତ ସରକାରୀ କାର୍ଯ୍ୟରେ ବାଧାଦେବା ନେଇ କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ ଜିଲ୍ଲା ଶ୍ରମ ଅଧିକାରିଣୀ ହରପ୍ରିୟା ନାୟକ ସଦର ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ବୁଧବାର ପୂର୍ବାହ୍ନ ପ୍ରାୟ ସାଢେ ୧୧ଟା ସମୟରେ ସେ କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରୁଥିବା ବେଳେ ତାଙ୍କୁ ଅବରୋଧ କରି ତାଙ୍କ ଚୁଟୀ ଟାଣି ପ୍ରାଣାନ୍ତଙ୍କ ଆକ୍ରମଣ କରାଯାଇଥିଲା । ଏହାପରେ ସେ କୈାଶଳ କ୍ରମେ କାର୍ଯ୍ୟାଳୟ ଭିତରକୁ ପଳାଇ ଯିବାରେ ତାଙ୍କ ପଛେ ପଛେ ଆକ୍ରମଣକାରୀମାନେ ଡିଏଲସିଙ୍କ ଚାମ୍ବର ଭିତରକୁ ଧସେଇ ପସି ଆଶାଳୀନ ଭାଷାରେ ଗାଳିଗୁଲଜ କରିଥିଲେ । ପାଟିତୁଣ୍ଡ ଶୁଣି ଜିଲ୍ଲା ଶ୍ରମ ଅଧିକାରିଣୀ ଡିଏଲସିଙ୍କ ଚାମ୍ବରକୁ ଯାଇ ଦେଖିଲେ ଯେ ଡିଏଲସିଙ୍କୁ ସମସ୍ତେ ଘେରି ବଳ ପ୍ରୟୋଗ କରି ତାଙ୍କ କାର୍ଯ୍ୟାଳୟର ଡବ୍ଲୁସି ସଂଗ୍ରାମ କିଶୋର ସାହୁଙ୍କୁ ମାରୁଛନ୍ତି । ଏହାଦେଖି ସେ ଏପରି ନକରିବାକୁ କହନ୍ତେ ସେମାନେ ତାଙ୍କ ତଣ୍ଟିଚିପି ମାରିଦେବାକୁ ଉଦ୍ୟମ କରିଥିବା ସେ ଅଭିଯୋଗ କରିଛନ୍ତି । ଏଥିସହିତ କାର୍ଯ୍ୟାଳୟର କାଗଜପତ୍ର ମଧ୍ୟ ଚିରି ଦେଇଥିବା ନେଇ ସେ ଅଭିଯୋଗ କରିଛନ୍ତି । ଏସମ୍ପର୍କରେ ସଦର ଥାନାରେ ଅଭିଯୋଗ ପରେ ଥାନା ପକ୍ଷରୁ ୫ଜଣଙ୍କୁ ଅଟକ ରଖାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ଥାନା ଅଧିକାରୀ ପବିତ୍ର ମହାରଣା ସୂଚନା ଦେଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ପଞ୍ଜିକରଣ ପାଇଁ ପୂର୍ବରୁ ଦାଖଲ କରାଯାଇଥିବା ନିର୍ମାଣ ଶ୍ରମିକମାନଙ୍କୁ ପଞ୍ଜିକରଣ କରାନଯିବା, ପଞ୍ଜିକୃତ ନିର୍ମାଣ ଶ୍ରମିକମାନଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନାରେ ହିତାଧିକାରୀମାନଙ୍କୁ ମୃତ୍ୟୁକାଳୀନ ସହାୟତା, ଶିକ୍ଷା ସହାୟତା, ଝିଅ ବିବାହ ସହାୟତା ପ୍ରଭୃତି ପ୍ରଦାନ କରାନଯିବା କିମ୍ବା ଏଥିନିମନ୍ତେ ସେହି କାର୍ଯ୍ୟାଳୟରେ ଅର୍ଥ ଦାବି କରାଯାଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି । ଏସମ୍ପର୍କରେ ବାରମ୍ବର ଡିଏଲସି, ଜିଲ୍ଲାପାଳ, ଶ୍ରମ ଆୟୁକ୍ତଙ୍କୁ ଅଭିଯୋଗ କରାଯାଇଥିଲେ ବି ସଂପୃକ୍ତ ବିଭାଗୀୟ ଅଧିକାରୀ କୈାଣସି ପଦକ୍ଷେପ ଗ୍ରହଣ କରିନଥିବା ମଧ୍ୟ ଅଭିଯୋଗ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ