ଜିଲ୍ଲା ଶ୍ରମ ଦପ୍ତର ଘେରାଉ ପାଇଁ ପ୍ରସ୍ତୁତି ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା) : ଜିଲ୍ଲା ଶ୍ରମ ଦପ୍ତରରେ ଆବଶ୍ୟକୀୟ ଅଫିସର ଓ କର୍ମଚାରୀଙ୍କ ଅଭାବରୁ ଶ୍ରମିକମାନଙ୍କ ସ୍ୱାର୍ଥରେ ପ୍ରଣିତ ବିଭିନ୍ନ ଆଇନ କାର୍ଯ୍ୟକାରୀ ହୋଇପାରୁ ନଥିବା ଅଭିଯୋଗ କରି ଆସନ୍ତା ୬ ତାରିଖ ମଙ୍ଗଳବାରଦିନ ଜିଲ୍ଲା ଶ୍ରମଦପ୍ତର ସମ୍ମୁଖରେ ଶ୍ରମିକମାନେ ବିକ୍ଷୋଭ ପ୍ରଦର୍ଶନ ସହ ଘେରାଉ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିବେ । ଉଠାଜଳସେଚନ କର୍ମଚାରୀ ଭବନରେ ପୂର୍ବତନ ବିଧାୟକ ତଥା ଟିୟୁଏସିସିର ଅଧ୍ୟକ୍ଷ ପ୍ରଦୀପ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ସଂଗଠନ ମାନଙ୍କର ନେତୃବୃନ୍ଦ ଏବଂ କର୍ମୀମାନେ ମଙ୍ଗଳବାର ଦିନ ୧୦ଟାରେ ଗାନ୍ଧିସ୍ମୃତି ଭବନ ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ଶ୍ରମଦପ୍ତର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଘେରାଉ କରିବେ । ବାଲେଶ୍ୱର ଶ୍ରମଦପ୍ତରରେ ଡିଭିଜୋନାଲ୍ ଲେବର କମିଶନର (ଡିଏଲ୍ସି) ଓ କିରାଣୀ, ପିଅନ ପ୍ରଭୃତି ପଦବୀ ଦୀର୍ଘଦିନ ଧରି ଖାଲି ପଡ଼ିଛି । ତେଣୁ ଶ୍ରମିକ କ୍ଷତିପୂରଣ ଓ ଗ୍ରାଚ୍ୟୁଇଟି ବାବଦରେ ବହୁ ମୋକଦ୍ଦମା ବିଚାର ନହୋଇ ପଡ଼ିରହିଛି । ଶ୍ରମିକମାନଙ୍କ ସ୍ୱାର୍ଥରେ ପ୍ରଚଳିତ ଅନ୍ୟାନ୍ୟ ଶ୍ରମଆଇନ୍ ଗୁଡ଼ିକ କାର୍ଯ୍ୟକାରୀ ହୋଇପାରୁନାହିଁ । ନିର୍ମାଣ ଶ୍ରମିକମାନଙ୍କ ପଞ୍ଜିକରଣ ଓ ସହାୟତା ଅର୍ଥ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ପ୍ରଦାନ କରାଯାଉନାହିଁ । ଇତି ମଧ୍ୟରେ ଆଇନଗତ ପ୍ରାପ୍ୟ ପାଇବା ପାଇଁ କେତେକ ଆବେଦନକାରୀ ଶ୍ରମିକଙ୍କ ମୃତ୍ୟୁ ହୋଇଗଲାଣି । କିନ୍ତୁ ସରକାର କିମ୍ବା ଶ୍ରମବିଭାଗ ଏଥିପ୍ରତି ଗୁରୁତ୍ୱ ଦେଉନାହାନ୍ତି । ତେଣୁ ଶ୍ରମିକମାନେ ଗଣତାନ୍ତ୍ରିକ ପଦ୍ଧତିରେ ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ କରିବାକୁ ବାଧ୍ୟ ହେଉଛନ୍ତି ବୋଲି ଟିୟୁଏସିସିର ସଂପାଦକ ଗୌରାଙ୍ଗ ପାଣିଗ୍ରାହୀ କହିଛନ୍ତି । ଅନୁଷ୍ଠିତ ବୈଠକରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଶ୍ୟାମସୁନ୍ଦର ଜେନା, ବିଷ୍ଣୁପ୍ରସାଦ ମହାନ୍ତି, ବିକାଶ ଦାସ, ମାୟାଧର ନାୟକ, ରାଜକିଶୋର ଲେଙ୍କା, ନିରାକାର ପାଣ୍ଡବ, ନିର୍ମଳ ନାୟକ, ଭରତ ଚନ୍ଦ୍ର ସେଠୀ, ଶରତ ଚନ୍ଦ୍ର ଦଳାଇ, ଜଗଦୀଶ ଚନ୍ଦ୍ର ବାରିକ, ପୂର୍ଣ୍ଣଚନ୍ଦ୍ର ପାତ୍ର, ଜଳଧର ପଣ୍ଡା, ସର୍ବେଶ୍ୱର ମିଶ୍ର, ଅକ୍ଷୟ କୁମାର ତ୍ରିପାଠୀ, ପ୍ରେମରଂଜନ ପାତ୍ର, ବନ୍ଦନା ପାତ୍ର ଓ ସେକ୍ ସଲ୍ଲାଉଦ୍ଦିନ୍ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଜଗନ୍ନାଥ ମାହାଲ ଧନ୍ୟବାଦ ଦେଇଥିଲେ । ଉକ୍ତଦିନ ଅପରାହ୍ନରେ ଆସନ୍ତା ୧୬ ତାରିଖ ଦେଶବ୍ୟାପୀ ଶିଳ୍ପ ଧମଘଟ ପ୍ରସ୍ତୁତି ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।