ଜିଲ୍ଲା ସଂସ୍କୃତି ଅଧିକାରୀ ଭାବେ ଅକ୍ଷୟ କୁମାର ସେଠୀଙ୍କ ଦାୟିତ୍ୱ ଗ୍ରହଣ
ଛତ୍ରପୁର (ପ୍ରଶାନ୍ତ ମହାରଣା) : ଗଞ୍ଜାମ ଜିଲ୍ଲା ସଂସ୍କୃତି ଅଧିକାରୀ ଭାବେ ଅକ୍ଷୟ କୁମାର ସେଠୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ସେ କୋରାପୁଟ ଜିଲ୍ଲାର ସଂସ୍କୃତି ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ । ୧୯୯୯ ମସିହାରେ ଚାକିରୀ କାଳ ଆରମ୍ଭ କରି ସମ୍ବଲପୁର, ସୁନ୍ଦରଗଡ ଓ କୋରାପୁଟ ଜିଲ୍ଲାରେ ସଂସ୍କୃତି ଅଧିକାରୀ ଭାବେ ଦାୟିତ୍ୱ ସୁଚାରୁ ରୁପେ ତୁଲାଇ ଆସିଛନ୍ତି । ଦାୟିତ୍ୱ ଗ୍ରହଣ କରିବା ପରେ ଗଞ୍ଜାମ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବିଭାଗର ସମସ୍ତ କାର୍ଯ୍ୟକୁ ସୂଚାରୁ ରୁପେ ପରିଚାଳନା କରିବା ସହ କଳାକାରଙ୍କ ସମସ୍ୟାକୁ ପ୍ରଧାନ୍ୟ ଦିଆଯିବ ବୋଲି କହିଛନ୍ତି । ଗଞ୍ଜାମ ଜିଲ୍ଲା ହେଉଛି କଳାକାର ମାନଙ୍କ ଏନ୍ତୁଡିଶାଳ । ଜିଲ୍ଲାର ପ୍ରତି ବ୍ଲକ ଏବଂ ଗ୍ରାମାଂଚଳରେ ବିଭିନ୍ନ ପ୍ରକାର ଲୋକନୃତ୍ୟ ଗୁଡିକ ଭରି ରହିଛି । ପୂର୍ବରୁ ଦିଗପହଣ୍ଡି ଓ ଭଞ୍ଜନଗର ରେ ଥିବା ଓଡିଶୀ ସ୍କୁଲ ଗୁଡିକ କାର୍ଯ୍ୟକ୍ଷମ ହୋଇଆସୁଥିଲେ ମଧ୍ୟ ଏହା ବର୍ତ୍ତମାନ ବନ୍ଦ ଅଛି । ଏହାକୁ ପୁଣି ଥରେ ଖୋଲାଯିବା ପାଇଁ ଚେଷ୍ଟା କରିବା ସହିତ କଳାକାର ମାନଙ୍କ ଉନ୍ନତି ନିମନ୍ତେ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି । ଜିଲ୍ଲାରେ ସମସ୍ତ ପାଠାଗାର ଗୁଡିକ ଠିକ୍ ଠାକ ଚାଲିଛି । ସେଗୁଡିକ ବୁଲି ଦେଖିବା ସହିତ ପାଠାଗାରକୁ ଅଧିକ ରୁ ଅଧିକ କିପରି ପାଠକ ଆସିବେ ସେଥି ନିମନ୍ତେ ପଦ କ୍ଷେପ ନିଆଯିବ ବୋଲି ମଧ୍ୟ ଶ୍ରୀ ସେଠୀ କହିଛନ୍ତି । ଦାୟିତ୍ୱ ନେବାପରେ ଶ୍ରୀସେଠୀ ଙ୍କୁ ଜିଲ୍ଲା ଗ୍ରାନ୍ଥାଗାରିକ ଅମୀୟ କୁମାର ଧଳଙ୍କ ସମେତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମାନେ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ସୂଚନା ଥାଉ କି, ଗଞ୍ଜାମ ଜିଲ୍ଲାରେ ନଭେମ୍ବର ୨୦୧୯ ମସିହା ଠାରୁ ଜିଲ୍ଲା ସଂସ୍କୃତି ଅଧିକାରୀ ପଦବୀ ଖାଲି ପଡିଥିଲା । ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ଶକର୍ଷଣ ପଟ୍ଟନାୟକ ଏହାର ଅତିରିକ୍ତ ଦାୟିତ୍ୱ ତୁଲାଇ ଆସୁଥିଲେ ।