ଜିଲ୍ଲା ସଂସ୍କୃତି ପରିଷଦ, ଗଞ୍ଜାମର ସାଧାରଣ ପରିଷଦ ବୈଠକ କଳାକାର ମାନଙ୍କ ପାରିଶ୍ରମିକ ବୃଦ୍ଧି
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶ କ୍ରମେ ନବଗଠିତ ଜିଲ୍ଲା ସଂସ୍କୃତି ପରିଷଦର ସାଧାରଣ ପରିଷଦ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇ ଯାଇଛି । ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାରଅଯ୍ୟାଳୟ ପରିସରରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ଲୋକକଳା ଗୁଡିକୁ ଦୀର୍ଘଜୀବୀ ରଖିବା ସକାଶେ କଳାକାର ମାନଙ୍କୁ ପ୍ରଦାନ କରାଯାଉଥିବା ପାରିଶ୍ରମିକ ବୃଦ୍ଧି କରାଯାଇଛି । ଜିଲ୍ଲାରେ ରହିଥିବା ଲୋକକଳା, ଲୋକ ସଙ୍ଗୀତ ଓ ଲୋକନୃତ୍ୟ ସମ୍ପର୍କିତ କର୍ମଶାଳା ଗୁଡିକୁ ଭଞ୍ଜନଗର, ଛତ୍ରପୁର ଏବଂ ବ୍ରହ୍ମପୁର ଉପଖଣ୍ଡର ଆୟୋଜନ କରିବା ସକାଶେ ନିଷ୍ପତ୍ତି ଗ୍ରହଣ କରାଗଲା । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରଖଲଆର ପ୍ରତିଯୋଗିତା ଏବଂ କର୍ମଶାଳା ଆୟୋଜନ କରି ଚିତ୍ରକଳାର ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦେବା ସକାଶେ ବୈଠକରେ ସ୍ଥିର ହୋଇଯାଇଛି । ଗଞ୍ଜାମ ଜିଲ୍ଲାର ଲୋକ ନୃତ୍ୟ, ଲୋକସଙ୍ଗୀତ ଆଦି କ୍ଷେତ୍ରରେ ଯୁବପୀଢୀଙ୍କୁ ସାମିଲ କରି ଲୋକକଳାର ବିକାଶ ଓ ଦୀର୍ଘଜୀବୀ କରି ରଖିବା ଦିଗରେ ପଦକ୍ଷେପ ଗ୍ରହଣ ସକାଶେ ସଭ୍ୟ/ସଭ୍ୟାଗଣ ମତ ନେଇଥିଲେ । ଜିଲ୍ଲା ସ୍ତରୀୟ ନାଟକ ମହୋତ୍ସବ, ଲୋକକଳା କର୍ମଶାଳା, ଏକକ ଅଭିନୟ, ସଙ୍ଗୀତ ଗାନ, ବକ୍ତୃତା, ଚିତ୍ରକଳା, ଶାସ୍ତ୍ରୀୟ ସଙ୍ଗୀତ ନୃତ୍ୟ କର୍ମଶାଳା ଓ ପ୍ରତିଯୋଗିତା ଆୟୋଜନ କରିବା ସକାଶେ ସ୍ଥିର କରାଗଲା । ଜିଲ୍ଲାର ଲୋକକଳା, ଲୋକ ସଂସ୍କୃତି ଏବଂ ଜିଲ୍ଲାର ସ୍ବାଧାନତା ସଂଗ୍ରାମୀ ମାନଙ୍କ ସମ୍ପର୍କିତ ପୁସ୍ତକ ପ୍ରକାଶନ ନିମନ୍ତେ ସ୍ଥିର କରାଯାଇଥିଲା । ଗଞ୍ଜାମ ଜିଲ୍ଲାର ଲୋକକଳା, ସଂସ୍କୃତି, ଭାଷା ସାହିତ୍ୟ ସମ୍ପର୍କିତ ଏକ ଓ୍ବେବ ପୋର୍ଟାଲ ପ୍ରସ୍ତୁତ କରି ସମସ୍ତ ସୂଚନା ସେଥିରେ ଯେଭଳି ସର୍ବ ସାଧାରଣଙ୍କ ନିମନ୍ତେ ଉପଲବ୍ଧ ହେବ ସେହି ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥିର କରାଯାଇଥିଲା । ଜିଲ୍ଲା ସଂସ୍କୃତି ବିଭାଗ ଆନକୂଲ୍ୟରେ ରହିଥିବା ଛତ୍ରପୁର ସ୍ଥିତ ଜିଲ୍ଲା ସଂସ୍କୃତି ଭବନ ଏବଂ ବ୍ରହ୍ମପୁର ଠାରେ ରହିଥିବା ବିଜୁ ପଟ୍ଟନାୟକ ସଂସ୍କୃତି ଭବନର ମରାମତି, ଆବଶ୍ୟକୀୟ ଗୃହ ନିର୍ମାଣ ଏବଂ ଏହାର ରକ୍ଷଣା ବେକ୍ଷଣ ଦିଗରେ ପଦକ୍ଷେପ ଗ୍ରହଣ କରିବା ସକାଶେ ନିଷ୍ପତ୍ତି ହୋଇଥିଲା । ଜିଲ୍ଲାର ଏୈତିହ୍ୟ କଳା, ସଂସ୍କୃତିର ସୁରକ୍ଷା ଓ ବିକାଶ ଦିଗରେ ବ୍ରହ୍ମପୁର ଠାରେ ସଂଗ୍ରହାଳୟ, ଆର୍ଟ ଗ୍ୟାଲେରୀ, ଚିତ୍ରକଳା କାରୁକାର୍ଯ୍ୟ, ଦୃଶ୍ୟ ଶ୍ରାବ୍ୟ ପ୍ରଦର୍ଶନୀ, ପ୍ରଶିକ୍ଷଣ କେନ୍ଦ୍ର, ହସ୍ତଶିଳ୍ପ, କଳା ଓ ଚାରୁକଳା ସାମଗ୍ରୀର ପ୍ରଦର୍ଶନୀ ଓ ବିକ୍ରୟ କେନ୍ଦ୍ର ଇତ୍ୟାଦି ନିର୍ମାଣ ସକାଶେ ବିଭାଗୀୟ ନିର୍ଦ୍ଦେଶ ପ୍ରକାରେ ଡିପିଆର୍ ପ୍ରସ୍ତୁତ କରିବା ନେଇ ଆଲୋଚନା ହୋଇଥିଲା ।ବୈଠକରେ ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ସଂପାଦକ ରବି ନାରାୟଣ ବେହେରା, ଜିଲ୍ଲା ପଞ୍ଚାୟତ ଅଧିକାରୀ ଜିଲ୍ଲା ସଂସ୍କୃତି ପରିଷଦ ତଥା କୋଷାଧ୍ୟକ୍ଷ ପ୍ରହଲ୍ଲାଦ ପ୍ରଧାନ, ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରର ଉଦଘୋଷକ ଅମିତା ଦାଶ, ଜାତୀୟ ଯୁବ ପୁରସ୍କାର ପ୍ରାପ୍ତ ସାମାଜିକ କର୍ମୀ ତଥା କଳା ସଂଗଠକ ଅରୁଣ କୁମାର ଶତପଥୀ, ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ଏବଂ ଲୋକକଳା ଗୁରୁ ପଦ୍ମଶ୍ରୀ ସ୍ବର୍ଗତ ଭଗବାନ ସାହୁଙ୍କ ନାତି ବିଘ୍ନେଶ୍ବର ସାହୁ, ଭାରତ ଲୀଳା ବରିଷ୍ଠ ଗୁରୁ ରଙ୍କନିଧି ବେହେରା, ଖଲ୍ଲିକୋଟ ଚାରୁ କାରୁକଳା ମହା ବିଦ୍ୟାଳୟଙ୍କ ଅଧ୍ୟକ୍ଷ ଙ୍କ ପ୍ରତିନିଧି ବିପିନ ଚନ୍ଦ୍ର ସେଠୀ ଏବଂ ସଂସ୍କୃତି ବିଭାଗୀୟ କର୍ମଚାରୀ କେଶବ ବେହେରା ଓ ଚନ୍ଦର ଶେଖର ଆଚାର୍ୟ୍ଯ ଉପସ୍ଥିତ ଥିଲେ ।