ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା) :-ଆଜି ଅପରାହ୍ନରେ ସ୍ଥାନୀୟ ସଦଭାବନା ସଭାଗୃହରେ ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆଂଚଳିକ ପରିବହନ ଅଧିକାରୀ ଶ୍ରୀ ରଶ୍ମୀ ରଞ୍ଜିତ ଦଳବେହେରା, ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ଦୁଲାଳ ସେନ ଜଗଦ୍ଦେବଙ୍କ ସମେତ ଜିଲ୍ଲା ସଡକ ସୁରକ୍ଷା ସମିତିର ସଦସ୍ୟ, ପୋଲିସ୍ ଅଧିକାରୀ, ଜାତୀୟ ରାଜପଥ କର୍ତୃପକ୍ଷ ଅଧିକାରୀ, ବିଭିନ୍ନ ପରିବହନ ସଙ୍ଗଠନର କର୍ମକର୍ତା ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ସଡକ ସୁରକ୍ଷା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ବୈଠକର ଆବାହକ ଆଂଚଳିକ ପରିବହନ ଅଧିକାରୀ ଶ୍ରୀ ରଶ୍ମି ରଞ୍ଜିତ ଦଳବେହେରା ଗତ ମାର୍ଚ୍ଚ ମାସ ୩୦ତାରିଖରେ ଅନୁଷ୍ଠିତ ବୈଠକରେ ନିଆଯାଇଥିବା ବିଭିନ୍ନ ନିଷ୍ପତିର କାର୍ଯ୍ୟକାରିତା ସମ୍ପର୍କରେ ଗୃହକୁ ସୂଚନା ଦେଇଥିଲେ । ତେବେ ସଡକ ଦୁର୍ଘଟଣା କ୍ଷେତ୍ରରେ ନିର୍ଦ୍ଧାରିତ ସମୟସୀମା ୨୪ରୁ ୪୮ ଘଂଟା ମଧ୍ୟରେ ପୋଲିସ, ପରିବହନ ଓ ରାଜପଥ କର୍ତୃପକ୍ଷଙ୍କ ଦ୍ୱାରା ମିଳିତ ତଦନ୍ତ ସମାପନ ନେଇ ପ୍ରାବଧାନ ରହିଥିଲେ ହେଁ କେତେକ କ୍ଷେତ୍ରରେ ଏହା ସମ୍ପୂର୍ଣ୍ଣ ହୋଇପାରି ନ ଥିବାରୁ ଜିଲ୍ଲା ସଡକ ସୁରକ୍ଷା କମିଟି ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତୀ ଅସନ୍ତୋଷ ପ୍ରକାଶ କରିଥିଲେ । ଏହି ମିଳିତ ତଦନ୍ତ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସାରିବା ସହ ବର୍ତମାନ ନୂତନ ଭାବେ ପ୍ରଚଳିତ ହୋଇଥିବା ଆଇ.ଆର.ଏ.ଡି(ସମନ୍ୱିତ ସଡକ ଦୁର୍ଘଟଣା ତଥ୍ୟ) ସଫ୍ଟୱେର୍‌ରେ ତାହାକୁ ଅପଲୋଡ୍ କରିବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ୬୦ ନମ୍ବର ଜାତୀୟ ରାଜପଥର ଭେଲୋରା ଠାରେ ସାଇନେଜ ଲଗାଇବା ପାଇଁ ଗତ ବୈଠକରେ ନିଷ୍ପତି ହୋଇଥିଲେ ହେଁ ତାହା ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ଜାତୀୟ ରାଜପଥ କର୍ତୃପକ୍ଷଙ୍କୁ ଏହା ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ କୁହାଯାଇଥିଲା । ସେହିପରି ୧୬ ନମ୍ବର ଜାତୀୟ ରାଜପଥରେ ରେମୁଣାଠାରେ ସର୍ଭିସ୍ ରୋଡ୍‌ର ମରାମତି କାମ ଚଳିତ ମଇ ମାସ ଶେଷ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଗାଡି ଚାଳନା ବେଳେ ମୋବାଇଲ ଫୋନ୍‌ର ବ୍ୟବହାର ଓ ନିଶା ସେବନ କରି ଗାଡି ଚାଳନା କ୍ଷେତ୍ରରେ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ଏବଂ ସିସିଟିଭି ଫୁଟେଜ୍ ଆଧାରରେ ଡ୍ରାଇଭିଂ ଲାଇସେନ୍ସ ବାତିଲ କରିବାକୁ ଗୃହରେ ସଦସ୍ୟମାନେ ମତପ୍ରକାଶ କରିଥିଲେ । ଜିଲ୍ଲାର ସହରାଂଚଳଗୁଡିକରେ ସିସିଟିଭି ଲଗାଇବା ଏବଂ ଅଚଳ ସିସିଟିଭି ମରାମତି କରିବା ପାଇଁ ଜିଲ୍ଲା ସଡକ ସୁରକ୍ଷା କମିଟି ପାଖରେ ଅର୍ଥ ଓ ସମ୍ବଳ ଉପଲବଧ ଥିବା ବେଳେ ତାହାର ବ୍ୟବହାର କରିବାକୁ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତୀ ପରାମର୍ଶ ଦେଇଥିଲେ । ଜିଲ୍ଲାର ବିଭିନ୍ନ ପେଟ୍ରୋଲ ପମ୍ପଗୁଡିକରେ ‘ନୋ ହେଲମେଟ, ନୋ ପେଟ୍ରୋଲ’ ସ୍ଲୋଗାନ ସମ୍ବଳିତ ବ୍ୟାନର ଲଗାଇବା ସହ ବିନା ହେଲମଟରେ ବାଇକ୍ ଚାଳକଙ୍କୁ ପେଟ୍ରୋଲ ନ ଦେବା ପାଇଁ ପେଟ୍ରୋଲ୍ ପମ୍ପ କର୍ମଚାରୀଙ୍କୁ ସଚେତନ କରିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ଜାତୀୟ ରାଜପଥରେ ‘ନୋ ପାର୍କଂ’ ସାଇନେଜ ଓ ବୋର୍ଡ ଯେଭଳି ସଠିକ୍ ଭାବେ ଦୃଶ୍ୟମାନ ହେବ, ବସୱେ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ଟ୍ରକ୍‌ମାନଙ୍କ ପାଇଁ ପ୍ରସ୍ତାବିତ ଟର୍ମିନାଲରେ ପାର୍କିଂ ବ୍ୟବସ୍ଥା ଏବଂ ଫୁଲାଡି ପୋଲ ମରାମତି କାମ ଉପରେ ବୈଠକରେ ଆଲୋଚାନା କରାଯାଇଥିଲା । ତୁରନ୍ତ ଏ ସମ୍ପର୍କିତ କାମ ଆରମ୍ଭ କରିବାକୁ ଜାତୀୟ ରାଜପଥ କର୍ତୃପକ୍ଷଙ୍କୁ କୁହାଯାଇଥିଲା । ଅଧିକ ବେଗ, ଅଧିକ ବୋଝେଇ, ମାଲ୍ ପରିବହନ ଯାନରେ ଯାତ୍ରୀ ପରିବହନ, ଯାନ ଚାଳନା ସମୟରେ ମୋବାଇଲ ଫୋନର ବ୍ୟବହାର, ନିଶା ସେବନ କରି ଗାଡି ଚାଳନା, ବିନା ହେଲମେଟ୍‌ରେ ଗାଡି ଚାଳନା ଆଦି ଅପରାଧ ଅଧାରରେ ଆର.ଟି.ଓ.ଙ୍କ ଦ୍ୱାରା ଜାନୁଆରୀ, ୨୦୨୨ରୁ ଏପ୍ରିଲ ୨୦୨୨ ମଧ୍ୟରେ ୯୪୨ଜଣ ଆଇନ ଉଲ୍ଲଙ୍ଘନକାରୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ମୋଟ ୪୩୫ଜଣଙ୍କର ଡ୍ରାଇଭିଂ ଲାଇସେନ୍ସକୁ ବାତିଲ୍ କରାଯାଇଛି । ଦୁର୍ଘଟଣା ରିପୋର୍ଟ ଅନୁଯାୟୀ ୨୦୨୨ ମସିହା ଜାନୁୟାରୀ ରୁ ମାର୍ଚ୍ଚ ମଧ୍ୟରେ ସମୁଦାୟ ୯୨ଟି ଦୁର୍ଘଟଣା ଘଟିଛି ଏବଂ ଏହି ସମୟ ମଧ୍ୟରେ ୫୬ ଜୀବନହାନୀ ହୋଇଛି । ସେହିପରି ୩୮ଜଣ ଗୁରୁତର ଆହତ ହୋଇଥିବା ବେଳେ ୮ଜଣ ସାମାନ୍ୟ ଆହତ ହୋଇଛନ୍ତି । ତେବେ ଗତ ବର୍ଷ ତୁଳନାରେ ସମାନ ସମୟସୀମା ମଧ୍ୟରେ ଚଳିତ ବର୍ଷ ୧୬.୩୬ ପ୍ରତିଶତ କମ ଦୁର୍ଘଟଣା ଏବଂ ୧୧.୧୧ ପ୍ରତିଶତ କମ ଜୀବନହାନୀ ହୋଇଛି । ଜୀବନହାନୀ ହ୍ରାସ ଲାଗି ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବା ସହିତ ଦୁର୍ଘଟଣାର ଶିକାର ହେଉଥିବା ଲୋକଙ୍କୁ ଡାକ୍ତରଖାନା ଆଣୁଥିବା ବ୍ୟକ୍ତିଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରହିଥିବା ଗୁଡ୍ ସାମାରିଟାନ୍ ବ୍ୟବସ୍ଥାକୁ ଅଧିକା ସୁଦୃଢ କରିବାକୁ ବୈଠକରେ ମତ ପ୍ରକାଶ ପାଇଥିଲା । ଏହି ଅବସରରେ ଜିଲ୍ଲା ସଡକ ସୁରକ୍ଷା ସମିତି ତରଫରୁ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ହସପିଟାଲ ପହଂଚାଇବାରେ ସହାୟତା କରିଥିବା ୩ଜଣ ଗୁଡ୍ ସାମାରିଟାନ(ଭଲ ସାହାଯ୍ୟକାରୀ)ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ୩ଜଣ ହେଲେ ଶ୍ରୀ ତପନ କୁମାର କମିଳା, ଶ୍ରୀ ଭବେନ୍ଦ୍ର ବାରିକ ଓ ଶ୍ରୀ ଭବାନୀ ଶଙ୍କର ବାରିକ୍ । ସେମାନଙ୍କୁ ମାନପତ୍ର ଏବଂ ୨ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା । ଶ୍ରୀ ଭବେନ୍ଦ୍ର ବାରିକ ଓ ଶ୍ରୀ ଭବାନୀ ଶଙ୍କର ବାରିକ୍ ଦୁର୍ଘଟଣା ବେଳର ସ୍ଥିତି ଓ ତାଙ୍କ ଦ୍ୱାରା କରାଯାଇଥିବା ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଆଂଚଳିକ ପରିବହନ ଅଧିକାରୀ ଶ୍ରୀ ରଶ୍ମିରଂଜିତ ଦଳବେହେରା ବୈଠକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ