ଜିଲ୍ଲା ସହରାଂଚଳ ଉନ୍ନୟନ ସଂସ୍ଥାର ସମୀକ୍ଷା ବୈଠକ 

 ଛତ୍ରପୁର, (ଦେବଦତ୍ତ ମହାରଣା) :ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପରିସରରେ ଥିବା ଜଉଗଡ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସହରାଂଚଳ ଉନ୍ନୟନ ସଂସ୍ଥାର ସମୀକ୍ଷା ବୈଠକ ପ୍ରକଳ୍ପ ନିର୍ଦ୍ଦେଶକ (ଡୁଡା ପିଡି) ସଚ୍ଚିଦାନନ୍ଦ ନାୟକଙ୍କ ପୌରହିତରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସହରାଂଚଳ ଉନ୍ନୟନ ସଂସ୍ଥା ଦ୍ୱାରା ପରିଚାଳିତ ହିଞ୍ଜିଳିକାଟୁ ମୁନିସିପାଲଟି ସମେତ ୧୭ ଟି ସହରାଂଚଳର ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ ଜାରି ରହିଛି । ଏହାକୁ ନିର୍ଦ୍ଧାରିତ ସମୟରେ ସମ୍ପନ୍ନ କରିବା ପାଇଁ ପ୍ରକଳ୍ପ ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି । ଗତ ୧୫ ଦିନ ତଳେ ହୋଇଥିବା ସମୀକ୍ଷା ବୈଠକର କୁହାଯାଇଥିବା ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ଗୁଡିକ ଉପରେ ମଧ୍ୟ ଆଜିର ବୈଠକରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରାଯାଇଛି । ଅଗଷ୍ଟ ୧୨ ତଥା ପବିତ୍ର ରକ୍ଷା ବନ୍ଧନ ଅବସରରେ ସମସ୍ତ ସହରାଂଚଳରେ ପରିମଳ କର୍ମଚାରୀ ମାନଙ୍କୁ ନେଇ ରକ୍ଷା ବନ୍ଧନ ପାଳନ କରିବା ନିମନ୍ତେ କୁହାଯାଇଛି । ସେହିପରି ଅଗଷ୍ଟ ୧୫ ତଥା ସ୍ୱାଧିନତା ଦିବସ ରେ ସମସ୍ତ ସହରାଂଚଳ ଗୁଡିକରେ ଭଲ କାମ କରୁଥିବା ପରିମଳ କର୍ମଚାରୀ ମାନଙ୍କୁ ସମ୍ମାନିତ କରିବା ନିମନ୍ତେ ଆଲୋଚନା କରାଯାଇଥିଲା । ସମସ୍ତ ସରକାରୀ ଯୋଜନା ଗୁଡିକ ସୋସିଆଲ ମିଡିଆ ମାଧ୍ୟମରେ ଜନ ସାଧାରଣଙ୍କୁ ଅବଗତ କରାଇବା ଲାଗି କୁହାଯାଇଛି । ନାଳ ନର୍ଦ୍ଧମା ଗୁଡିକ ସଫା ସୁତୁରା ରଖି ଜିବାଣୁ ମୁକ୍ତ କରିବା ପାଇଁ କୁହାଯାଇଛି । ସହରାଂଚଳ ଗୁଡିକରେ ଚାଲିଥିବା ସ୍ମାର୍ଟ ପାର୍କ ଓ ମଶାଣି କାର୍ଯ୍ୟ ତଦାରଖ ସହ ମିଶନ ଶକ୍ତି କାର୍ଯ୍ୟାଳୟ ଗୃହ ନିର୍ମଣା କାର୍ଯ୍ୟ କିପରି ଚାଲିଛି ତା ଉପରେ ପ୍ରକଳ୍ପ ନିର୍ଦ୍ଦେଶକ ସମସ୍ତ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । ବୃକ୍ଷରୋପଣ ଏବଂ ଅନ୍ୟାନ୍ୟ ପ୍ରକଳ୍ପ କାର୍ଯ୍ୟ ଗୁଡିକ ସମ୍ପର୍କରେ ପ୍ରକଳ୍ପ ନିର୍ଦ୍ଦେଶକ ସମୀକ୍ଷା କରିଛନ୍ତି । ଅଗଷ୍ଟ ୩୧ ତଥା ସ୍ୱାୟତ ଶାସନ ଦିବସ କିପରି ମହା ଆଡମ୍ଭର ସହକାରେ ପାଳନ କରାଯିବ ସେ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ବିଜୁ ଆଦର୍ଶ କଲୋନୀ ପାରାମିଟରକୁ ଦୃଷ୍ଟିରେ ରଖି ଝୁମ୍ପୁଡି ବସ୍ତି ବାସିନ୍ଦା ମାନଙ୍କୁ ଥଇଥାନ କରି ସେମାନଙ୍କୁ ଜମି ଅଧିକାର ପ୍ରମାଣପତ୍ର ଦିଆଯିବ । ଏହା ଦ୍ୱାରା ୧୮ ହଜାର ରୁ ଉର୍ଦ୍ଧ୍ୱ ଝୁମ୍ପୁୁଡି ବସ୍ତି ବାସିନ୍ଦା ମାନେ ଉପକୃତ ହେବା ଲାଗି ଲକ୍ଷ୍ୟ ରଖାଯାଇଛି । ନିର୍ମାଣାଧିନ ସମସ୍ତ ମଳ ଉପଚାର ପ୍ଲାଣ୍ଟ ଗୁଡିକର ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବା ନିମନ୍ତେ ଆଲୋଚନା ହୋଇଥିବା ବେଳେ ଷ୍ଟ୍ରିଟ ଲାଇଟ ସମସ୍ୟା ଗୁଡିକ ୨୪ ଘଣ୍ଟା ମଧ୍ୟରେ ମରାମତି କରିବା ଦିଗରେ ଏବଂ ରାଜସ୍ୱ ଆଦାୟକୁ ମଧ୍ୟ ସହରାଂଚଳରେ ଗୁରୁତ୍ୱ ସହ ପଦକ୍ଷେପ ନିଆଯିବ ବୋଲି ଆଜିର ବୈଠକରେ ଆଲୋଚନା ହୋଇଛି । ଏହି ସମୀକ୍ଷା ବୈଠକରେ ସମସ୍ତ ସହରାଂଚଳର ଅଧିକାରୀ ଓ ଜେଇ ଏବଂ ଡୁଡା ଷ୍ଟାଫ ମାନେ ଉପସ୍ଥିତ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ