ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗର ସମୀକ୍ଷା
ଛତ୍ରପୁର, (ଦେବଦତ୍ତ ମହାରଣା) :-ଗଂଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ସାମାଜିକ ସୁରକ୍ଷା ବିଭାଗର ସମୀକ୍ଷା କରି ଏଣିକି ସ୍ୱତନ୍ତ୍ର ଭାବେ ତଥା କଡାକଡି ଭାବେ ପଞ୍ଚାୟତସ୍ତରରୁ ଯୋଗ୍ୟ ଓ ମୃତ ହିତାଧିକାରୀଙ୍କୁ ଚିହ୍ନଟ କରିବାକୁ ହେବ । ଯଦ୍ୱାରା ବିଭିନ୍ନ ବର୍ଗର ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ଦେଇପାରିବା । ଏହାସହ ଯେଉଁ ହିତାଧିକାରୀ ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ମଧ୍ୟ ସଠିକ୍ ତଥ୍ୟ ସାମ୍ନାକୁ ଆସିବ । ସେମାନଙ୍କ ସ୍ଥାନରେ ନୂତନ ହିତାଧିକାରୀଙ୍କୁ ସାମିଲ କରାଯାଇପାରିବ । ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ୧୦ ହଜାର ୮୩୩ ମୃତ ହିତାଧିକାରୀଙ୍କୁ ଚିହ୍ନଟ ହୋଇପାରିଛି । ଆଗକୁ ପଞ୍ଚାୟତସ୍ତରରେ ସିଠକ୍ ଯାଞ୍ଚ କରାଗଲେ ଏହାର ସଂଖ୍ୟା ବୃଦ୍ଧି ପାଇବ । ଏହାସହ ଯେଉଁ ହିତାଧିକାରୀ ଭତ୍ତା ପାଇବା ପାଇଁ ଯୋଗ୍ୟ ଥିବେ ସେମାନଙ୍କ ମଧ୍ୟ ତଥ୍ୟ ଜଣାପଡିବ । ଜିଲ୍ଲାରେ ଭେକେନ୍ସି ଟାର୍ଗେଟ୍ ମଧ୍ୟରେ ଯୋଗ୍ୟ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରାଯିବ । ଏହାପରେ ଯଦି ଆବଶ୍ୟକ ପଡିବ ତେବେ ସରକାରଙ୍କୁ ଏଦିଗରେ ସ୍ୱତନ୍ତ୍ର ଭାବେ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ସେହିପରି ଯେଉଁ ହିତାଧିକାରୀ ଶଯ୍ୟାଶାୟୀ ଥିବେ ସେମାନଙ୍କ ତଥ୍ୟ ସଂଗ୍ରହ କରାଯାଇ ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ହିତାଧିକାରୀଙ୍କ ନିକଟରେ ସେମାନଙ୍କ ଭତ୍ତା ଟଙ୍କା ପହଞ୍ଚି ପାରିବ ସେ ବ୍ୟବସ୍ଥା କରାଯାଇପାରିବ । ସେହିପରି ଡିଆରଆଇ ଋଣ ବିଭିନ୍ନ କାରଣକୁ ହିତାଧିକାରୀଙ୍କୁ ଦେବାରେ ସମସ୍ୟା ରହିଛି ଉକ୍ତ ସମସ୍ୟା ଗୁଡିକୁ ସମାଧାନ କରିବା ପାଇଁ ଜିଲ୍ଲାପାଳ କହିଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାର ସାମାଜିକ ସୁରକ୍ଷା ଯୋଜନାରେ ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗ, ବିଧବା, କୁଷ୍ଠରୋଗୀ, ଏଡ୍ସ ରୋଗୀ ଓ ଅସହାୟ ଏକାକୀ ମହିଳା ଆଦି ଗଞ୍ଜାମ ଜିଲ୍ଲାର ୩ ଲକ୍ଷ ୬୯ ହଜାର ୮୫୧ ଜଣ ହିତାଧିକାରୀଙ୍କୁ ଭତ୍ତା ଟଙ୍କା ଦିଆଯାଉଛି । ସେଥିରୁ କେନ୍ଦ୍ର ସରକାରଙ୍କ ଜାତୀୟ ସାମାଜିକ ସୁରକ୍ଷା ଯୋଜନାରେ ଇନ୍ଦିରା ଗାନ୍ଧୀ ବାର୍ଦ୍ଧକ୍ୟ, ବିଧବା ଓ ଦିବ୍ୟାଙ୍ଗ ଭତ୍ତା ଏବେ ଜିଲ୍ଲାରୁ ୧ ଲକ୍ଷ ୪୯ ହଜାର ୪୩୬ ଜଣ ହିତାଧିକାରୀ ପାଉଛନ୍ତି । ରାଜ୍ୟ ସରକାରଙ୍କ ମଧୁବାବୁ ପେନ୍ସେନ୍ ଯୋଜନାରେ ୬୦ ବର୍ଷରୁ ଅଧିକା ବୟସ୍କ ବ୍ୟକ୍ତି, ଦିବ୍ୟାଙ୍ଗ, ବିଧବା, କୃଷ୍ଠରୋଗୀ, ଏଡ୍ସ ରୋଗୀ, ଅସହାୟ ଏକାକି ମହିଳା ଆଦି ୨ ଲକ୍ଷ ୨୦ ହଜାର ୪୧୫ ଜଣ ଭତ୍ତା ପାଉଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ୍, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କଲ୍ୟାଣୀ କୁମାରୀ ଦାସ, ଛତ୍ରପୁର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପି.ପଦ୍ମା, ବ୍ରହ୍ମପୁର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ବେହେରା, ଭଞ୍ଜନଗର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଆସିଓ ଶବରଙ୍କ ସମେତ ସମସ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଓ ବିଭାଗୀୟ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।


