ଜିଲ୍ଲା ସ୍ତରିୟ ଜାତୀୟ ଉପଭୋକ୍ତା ଦିବସ ପାଳିତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଜିଲ୍ଲା ସଦର ମହକୁମାସ୍ଥିତ କେନ୍ଦ୍ରାପଡା ପୋରାଞ୍ଚଳର ୨୧ନମ୍ବର ୱାର୍ଡର କଜଳା ଭାରତୀ ବିଦ୍ୟା ମନ୍ଦିର ପରିସରରେ ଜିଲ୍ଲା ସ୍ତରୀୟ ଜାତୀୟ ଉପଭୋକ୍ତା ଦିବସ-୨୦୨୨ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ସଚେତନତା ସଭାରେ ଅତିରିକ୍ତ ବେଷାମରିକ ଯୋଗାଣ ଅଧିକାରୀ ପ୍ରଫୁଲ୍ଲ କୁମାର ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ ଖାଉଟିମାନଙ୍କ ଅଧିକାର ଏବଂ ନାର୍ଯ୍ୟଦାବି ପାଇଁ ଖାଉଟି ସୁରକ୍ଷା ଆଇନ ମାଧ୍ୟମରେ ନିଜ ନିଜର ଦାବି ହାସଲ କରିବା ସହିତ ନିମ୍ନମାନର ଖାଉଟି ଦ୍ରବ୍ୟ ବୀକ୍ରେତାମାନଙ୍କ ଠାରୁ ଉଚିତ ରସିଦ ହାସଲ କରି ନିଜର ହକ୍ ସାବ୍ୟସ୍ତ କରିବାକୁ ପରାମର୍ଶ ଦେଇଥିଲେ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସୁଯୋଗ ନେବାକୁ ଅନୁରୋଧ କରିଥିଲେ । ଅନ୍ୟତମ ବକ୍ତା ଭାବେ ଜିଲ୍ଲା ବୈଧ ମାପ ଓ ଓଜନ ବିଭାଗର ଉପନିୟନ୍ତ୍ରକ ପ୍ରସାଦ ହରିଚନ୍ଦନ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀ, ଶିକ୍ଷକ,ଶିକ୍ଷୟିତ୍ରୀ ଏବଂ ଅନ୍ୟାନ୍ୟ ବ୍ୟକ୍ତିବିଶେଷଙ୍କୁ ମାପ ଓ ଓଜନ ବିଭାଗର ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିବା ସହ ଓଜନ ଓ ମାପରେ ଖାଉଟିଙ୍କୁ ଠକିଲେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ବିଭିନ୍ନ ଆଇନର ତର୍ଜ୍ଜମା କରିବା ସହ ଆବଶ୍ୟକ ସ୍ଥଳେ ଜିଲ୍ଲା ବୈଧ ମାପ ଓ ଓଜନ ବିଭାଗରେ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲେ । ଏହି ସଭାରେ ଜିଲ୍ଲାର ଅଗ୍ରଣୀ ଖାଉଟି ସଂଗଠନ ମାନବ ସେବା ପରିଷଦର ସମ୍ପାଦକ ମନୋଜ କୁମାର ଶତପଥୀ ଯୋଗଦେଇ ଜିଲ୍ଲା ସଦର ମହକୁମାରେ ଅବସ୍ଥିତ ଜିଲ୍ଲା ଖାଉଟି ବିବାଦ ସମାଧାନ ସଂସ୍ଥା କାର୍ଯ୍ୟାଳୟରେ ଥିବା ଜିଲ୍ଲା ଉପଭୋକ୍ତା ପରାମର୍ଶ କେନ୍ଦ୍ରରେ ଅଭିଯୋଗ ଦାଖଲ କରିବା ସହିତ ନୂତନ ଉପଭୋକ୍ତା ସୁରକ୍ଷା ଆଇନ-୨୦୧୯ର ବିଭିନ୍ନ ଧାରାକୁ ଆଧାର କରି କ୍ଷତିଗ୍ରସ୍ତ ଉପଭୋକ୍ତା ତୁରନ୍ତ ନ୍ୟାୟ ପାଇବା ପାଇଁ ଯୋଗାଯୋଗ କରିବାକୁ ଅନୁରୋଧ କରିଥିଲେ । ଭାରତୀ ବିଦ୍ୟା ମନ୍ଦିର ପରିଚାଳନା ସମିତି ସଭାପତି ଉପସ୍ଥିତ ଅଧିକାରୀମାନଙ୍କୁ ଖାଉଟି ସୁରକ୍ଷା ଆଇନ ମାଧ୍ୟମରେ କଳାବଜାରୀମାନଙ୍କ ଶୋଷଣରୁ ଖାଉଟିମାନେ କିଭଳି ରକ୍ଷା ପାଇପାରିବେ ସେ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ । ଭାରତୀ ବିଦ୍ୟା ମନ୍ଦିରର ପ୍ରଧାନ ଶିକ୍ଷୟିତ୍ରୀ ବିଜୟିନୀ ଦାଶ ସଭାପତିତ୍ୱ କରିଥିବା ବେଳେ ବୈଧ ମାପ ଓ ଓଜନ ବିଭାଗର ଇନିସପେକ୍ଟର ସୈାମ୍ୟରଞ୍ଜନ ଘୋଷ ଲୋକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ ।