ଜିଲ୍ଲା ସ୍ତରୀୟ ଅଂଶୁଘାତ ମୁକାବିଲା ବୈଠକ ଅନୁଷ୍ଠିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଓସୱାନ ଭିଡିଓ କନଫରେସିଂ ଗୃହରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପିତାମ୍ବର ସାମଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଅଂଶୁଘାତ ମୁକାବିଲା ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଗ୍ରୀଷ୍ମ ଋତୁରେ ପିଇବା ପାଣି ଏବଂ ଅଂଶୁଘାତ ସମସ୍ୟା ଓ ତାର ସଫଳ ମୁକାବିଲା ପାଇଁ ଆବଶ୍ୟକୀୟ ପଦକ୍ଷେପ ବିଷୟରେ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରାଯାଇଥିଲା । ଗ୍ରୀଷ୍ମ ଋତୁରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟାକୁ ଶୁନ୍ୟ କରିବା ଏହି ବୈଠକର ମୂଳ ଲକ୍ଷ୍ୟ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରକାଶ କରିଥିଲେ । ଅଂଶୁଘାତର ଶିକାର ନହେବା ପାଇଁ ସତର୍କତା, ପ୍ରତିକାର ଆଦି ସମ୍ପର୍କରେ ସାଧାରଣ ଜନତାଙ୍କୁ ସଚେତନ କରିବା ଦିଗରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାମଲ ପ୍ରାଧାନ୍ୟ ଦେଇଥିଲେ । ଜିଲ୍ଲାର ଅଙ୍ଗନୱାଡି କେନ୍ଦ୍ର ଓ ସ୍କୁଲମାନଙ୍କରେ ପର୍ଯ୍ୟାପ୍ତ ପରିମାଣର ଓ.ଆର.ଏସ. ପ୍ୟାକେଟ ମହଜୁଦ ରଖିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ପାଇପ ଓ ନଳକୂପ ଯୋଗେ ସମସ୍ତ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଯେପରି କାର୍ଯ୍ୟକ୍ଷମ ଥାଏ ସେ ନେଇ ନିଶ୍ଚିତ କରାଇବା ସହ ଜଳକ୍ଲିଷ୍ଟ ଅଞ୍ଚଳକୁ ଚିହ୍ନଟ କରାଯାଇ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇବାକୁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଥିଲା । ଏଥି ପାଇଁ ବ୍ଲକ ଓ ଗ୍ରାମପଞ୍ଚାୟତ ସ୍ତରରେ ଜନପ୍ରତିନିଧି, ସଂପୃକ୍ତ କ୍ଷେତ୍ରୀୟ କର୍ମଚାରୀ ଓ ସ୍ଥାନୀୟ ସ୍ୱେଛାସେବୀ ଅନୁଷ୍ଠାନମାନଙ୍କୁ ନେଇ ସଚେତନତା ମୂଳକ ବୈଠକ ଆୟୋଜନ କରିବାକୁ ସଂପୃକ୍ତ ବ୍ଲକ ଅଧିକାରୀ ଓ ତହସିଲଦାରମାନଙ୍କୁ ନିର୍ଦେଶ ଦିଆଯାଇଥିଲା । ଦିନ ୧୦ଟାରୁ ଅପରାହ୍ନ ୩ଟା ମଧ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଅଂଶୁଘାତର ଆଶଙ୍କା ଥିବାରୁ ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଏହି ସମୟସୀମା ମଧ୍ୟରେ ଶ୍ରମିକମାନ୮୍କୁ କାର୍ଯ୍ୟରେ ନଲଗାଇବା ସହ କାର୍ଯ୍ୟରତ ଶ୍ରମିକମାନଙ୍କ ପାଇଁ ଛାୟାର ବ୍ୟବସ୍ଥା କରିବାକୁ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି । ସଡକ ପରିବହନ ବ୍ୟବସ୍ଥାରେ ବସମାନଙ୍କରେ ପାନୀୟ ଜଳ, ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ଏବଂ ଓ.ଆର.ଏସ. ପ୍ୟାକେଟ ଆଦି ମହଜୁଦ ରଖାଯିବା, ଖୋଲା ଗାଡିରେ ଶ୍ରମିକମାନଙ୍କୁ ପରିବହନ ନକରିବା, ଓଭରଲୋଡିଂ ନକରାଯିବା ଆଦି ଦିଗରେ ତଦାରଖ କରିବା ପାଇଁ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଥିଲା । ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁଯାଇ ସ୍କୁଲ, କଲେଜରେ ଶିକ୍ଷାଦାନ ବ୍ୟବସ୍ଥା କରାଇବା ସହ ଛୋଟ ଛୋଟ ପିଲାମାନଙ୍କ ପାଇଁ ପାନୀୟ ଜଳର ସୁବ୍ୟବସ୍ଥା କରିବାକୁ ଶିକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଥିଲା । ହାଟ ଜନଗହଳି ସ୍ଥାନ ଓ ଛକ ସ୍ଥାନମାନଙ୍କରେ ବ୍ଲକ ଓ ପୈାରସଂସ୍ଥା ଦ୍ୱାରା ପରିଷ୍କାର, ପରିଛନ୍ନ ଓ ସ୍ୱାସ୍ଥ୍ୟକର ପାନୀୟ ଜଳ (ଜଳଛତ୍ର)ବ୍ୟବସ୍ଥା କରିବା ପାଇଁ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ସମସ୍ତ ପ୍ରାଥମିକ ଓ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଅଂଶୁଘାତ ଚିକିତ୍ସା ପାଇଁ ସ୍ୱତନ୍ତ୍ର କୋଠରୀ, ଶଯ୍ୟା, ଡାକ୍ତର, ନର୍ସ, ନିରବଛିନ୍ନ ବିଦ୍ୟୁତ ସରବରାହ, ପ୍ରଚୁର ପରିମାଣର ଓ.ଆର.ଏସ. ପ୍ୟାକେଟ ମହଜୁଦ ରଖାଯିବା ସହ ୨୪ ଘଣ୍ଟା ନିୟନ୍ତ୍ରଣ କକ୍ଷ ଖୋଲାଯିବା, ଖରାବେଳେ ଗୃହପାଳିତ ପଶୁଙ୍କୁ ବାହାରକୁ ନଛାଡିବା ଓ ସେମାନଙ୍କ ପାଇଁ ଆବଶ୍ୟକ ସ୍ଥାନ ଯଥା ପୋଖରୀ ଏବଂ କେନାଲରେ ଜଳ ଯୋଗାଇବା ଆଦି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଅଂଶୁଘାତ ଜନିତ ମୃତ୍ୟୁ ଖବର ୧୨ଘଣ୍ଟା ମଧ୍ୟରେ ପ୍ରଶାସନକୁ ଜଣାଇବା ସହ ଡାକ୍ତର ଓ ସ୍ଥାନୀୟ ତହସିଲଦାରଙ୍କ ଦ୍ୱାରା ଯୁଗ୍ମ ତଦନ୍ତ କରାଯାଇ ଶବ ବ୍ୟବଛେଦ ରିପୋର୍ଟ ୩୬ଘଣ୍ଟା ମଧ୍ୟରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ଅବଗତ କରାଇବା ପାଇଁ ଉଦ୍ଦିଷ୍ଟ ନିୟମ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଡିଏଫଓ ଯଜ୍ଞଦତ୍ତ ପତି, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଦୁର୍ଗା ପ୍ରସାଦ ମହାରଣା, ଡିଆରଡିଏ ପ୍ରକଳ୍ପ ନିର୍ଦେଶକ ରାଜେନ୍ଦ୍ର କୁମାର ପଣ୍ଡା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଇନ୍ଦ୍ରମଣୀ ବେହେରା, ଉପଜିଲ୍ଲାପାଳ ନିରଞ୍ଜନ ବେହେରା, ସିଡିଏମଓ ଡା. ଅନିତା ପଟ୍ଟନାୟକ, ଜିଲ୍ଲା ପଶୁ ସମ୍ପଦ ଅଧିକାରୀ, ଜିଲ୍ଲା ଜରୁରୀ ଅଧିକାରୀ, ତହସିଲଦାର, ଜିଲ୍ଲା ଶିକ୍ଷା ଅଧିକାରୀ, ଆଞ୍ଚଳିକ ପରିବହନ ଅଧିକାରୀଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଲାଇନ ଡିପାର୍ଟମେଣ୍ଟର ଯନ୍ତ୍ରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ଜିଲ୍ଲା ସ୍ତରୀୟ ବୈଠକରେ ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର ଓ ବ୍ଲକ ସ୍ତରୀୟ ଅଧିକାରୀମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇଥିଲେ ।


