ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍କୁଲ ପିଲାଙ୍କୁ ଫୁଟବଲ ଖେଳ ପ୍ରତି ଆଗ୍ରହୀ କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଠାରେ ଫିଫା ୧୭ ବର୍ଷରୁ କମ ବୟସର ମହିଳା ଫୁଟବଲ ବିଶ୍ୱକପ୍ ଉଦଘାଟିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ରବିବାର ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ଅନସ୍ଲୋ ମିନି ଷ୍ଟାଡିୟମ ପରିସରରେ ୧୭ ବର୍ଷରୁ କମ ବୟସ୍କ ବାଳକ ଓ ବାଳିକା ମାନଙ୍କୁ ନେଇ ଜିଲ୍ଲା ଶିକ୍ଷାଧିକାରୀ ବିନିତା ସେନାପତିଙ୍କ ସଭାପତିତ୍ୱ ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ନିଜେ ଫୁଟବଲ ଖେଳି ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ସାହୁ, ବ୍ଲକ ଶିକ୍ଷାଧିକାରୀ ସୀତାରାମ ପାତ୍ର, ଜିଲ୍ଲା ଶାରିରୀକ ଶିକ୍ଷା ନିରୀକ୍ଷକ ଭାଗିରଥି ସ୍ୱାଇଁ, ପୂର୍ବତନ ଜିଲ୍ଲା ଶାରିରୀକ ଶିକ୍ଷା ନିରୀକ୍ଷକ ଦିନବନ୍ଧୁ ସାହୁ, ମେଡିକାଲ କ୍ୟାମ୍ପସ ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ପ୍ରଭାତୀ ମହାପାତ୍ର, ଅନସ୍ଲୋ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବାଉରୀ ବନ୍ଧୁ ପଣ୍ଡା, ବ୍ରହ୍ମପୁର ସ୍ଥିତ କୁଇନ ମିଶନ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ହରେକୃଷ୍ଣ ପଣ୍ଡା ପ୍ରମୁଖ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ପ୍ରତିଯୋଗିତାରେ ଆସିକା, ବେଗୁନିଆପଡା, ବ୍ରହ୍ମପୁର ମହାନଗର ନିଗମ, ବେଲଗୁଣ୍ଠା, ଭଞ୍ଜନଗର, ଦିଗପହଣ୍ଡି, ହିଞ୍ଜିଳିକାଟୁ, ଶେରଗଡ ଓ ଛତ୍ରପୁର ଜୋନ୍ ର ଖେଳାଳୀ ମାନେ ଭାଗ ନେଇଛନ୍ତି । ପ୍ରାରମ୍ଭରେ କଣମଣା ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଓ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଓଡିଶୀ ଏବଂ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଛତ୍ରପୁର ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ନୃସିଂହ ଚରଣ ମିଶ୍ର, ଗଞ୍ଜାମ ନୋଡାଲ ସ୍କୁଲର କ୍ରୀଡା ଶିକ୍ଷକ ପ୍ରୀତମ କୁମାର ବେହେରା, ଗଞ୍ଜାମ ଭାରତୀ ବିଦ୍ୟାପୀଠର କ୍ରୀଡା ଶିକ୍ଷକ ପ୍ରୀତି ରଞ୍ଜନ ପ୍ରଧାନଙ୍କ ସମେତ ୩୦ ଟି ବ୍ଲକର ସମସ୍ତ କ୍ରୀଡା ଶିକ୍ଷକ ଶିକ୍ଷୟତ୍ରୀ ମାନେ ପରିଚାଳନା କରିଥିଲେ । ଏହି ପ୍ରତିଯୋଗିତା ଦୁଇ ଦିନ ଧରି ଚାଲିବାକୁ ଥିବା ବେଳେ ସୋମବାର ଏହା ଉଦଯାପିତ ହେବ ବୋଲି ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ