ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) :-ଗଞ୍ଜାମ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ମହା ଆଡମ୍ଭର ସହକାରେ ଓସ୍ୱାନ ହଲ ଠାରେ ପାଳିତ ହୋଇଯାଇଛି । ସମସ୍ତ ବ୍ଲକ ସହିତ ଭିସି ମାଧ୍ୟମରେ ଯୋଡି ହୋଇ ଚଳିତ ବର୍ଷର ଏହି ଉତ୍ସବ ଅତିରିକ୍ତ ଜିଲ୍ଲାପାଳ ତଥା ମହିଳା ଅଧିକାରୀ ଲୀନା କୁମାରୀ ଖେସ୍ ଙ୍କୁ ସମ୍ମାନିତ ଅତିଥି ଭାବେ ଗ୍ରହଣ କରାଯାଇଥିଲା । ଏହି ଅବସରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟ ଅତିଥି ରୂପେ ଭିସି ଦ୍ୱାରା ଯୋଗ ଦେଇ ନିଜ ବକ୍ତବ୍ୟରେ ଜଣାଇଥିଲେ ଯେ, ଆଜି ଆମେମାନେ ସ୍ତ୍ରୀ ଓ ପୁରୁଷ ମାନଙ୍କ ସମାନତା କଥା କହୁଛେ । ମହିଳା ମାନଙ୍କ ସ୍ୱତନ୍ତ୍ର ଉତ୍ସବ ପାଳନ ଅପେକ୍ଷା ବର୍ଷର ୩୬୫ ଦିନ ଯଦି ନାରୀଙ୍କୁ ସମ୍ମାନ ଦେବା, ସମାଜ ଗଠନ ତଥା ଦେଶ ଗଠନରେ ନାରୀ ମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା କଥା ଚିନ୍ତା କରିବା ତେବେ ଯାଇ ଏହି ଉତ୍ସବ ପାଳନ ଆବଶ୍ୟକତା ରହିବନାହିଁ । ଯେଉଁ ଦିନ ପୁରୁଷ ସହିତ ନାରୀ ମଧ୍ୟ ସମକକ୍ଷ ଓ ଭାଗିଦାରୀ ହୋଇପାରିବ ସେହି ଦିନ ଠାରୁ ଏଭଳି ମହିଳା ଦିବସର ପାଳନ ଜରୁରୀ ହେବ ନାହିଁ । ନାରୀଙ୍କୁ ନେଇ ବର୍ତ୍ତମାନ ମଧ୍ୟ ସମାଜରେ ଅନେକ ବାଧାବିଘ୍ନ ରହୁଛି । ପୁରୁଷ ଲିଙ୍ଗ ବଂଚିବାର ଆବଶ୍ୟକତା ଯେଭଳି ରହିଛି ଠିକ୍ ସେହିଭଳି ସ୍ତ୍ରୀ ଲିଙ୍ଗର ବଂଚିବାର ଅତ୍ୟନ୍ତ ଆବଶ୍ୟକତା ରହିଛି । ତେବେ ଯାଇ ଏ ଦେଶ ସମୃଦ୍ଧ ହେବ । ଶିକ୍ଷାରୁ ହିଁ ନାରୀ ଶକ୍ତି ଶସକ୍ତ ହୋଇପାରିବେ । ସେମାନଙ୍କୁ ଉଚିତ୍ ଶିକ୍ଷା ବ୍ୟବସ୍ଥା କରି ଗଢି ପାରିଲେ ସେମାନେ ନିଜେ ନିଜେ ସ୍ୱାବଲମ୍ବୀ ହେବେ, ତେଣିକି ସେମାନଙ୍କର କୌଣସି ଅସୁବିଧା ହେବ ନାହିଁ । ଶିକ୍ଷା ଯାହାକୁ ମକ୍ଟମକ୍ଟବ ସେ ନିଶ୍ଚିତ ଶସକ୍ତ ହେବ । ମୋ ଗେହ୍ଲା ଝିଅ ଠାରୁ ଆରମ୍ଭ କରି ନିର୍ଭୟା କଢି ଭଳି ଯେତେ ସବୁ ଯୋଜନା ରହିଛି ଆଗାମୀ ଦିନ ଠାରୁ ଜିଲ୍ଲାରେ ସେହି କାର୍ଯ୍ୟକୁ ଆହୁରୀ ସୁଦୃଢ କରିବାକୁ ହେବ । ଗୁଣି ଗାରେଡିକୁ ନେଇ ମହିଳା ମାନଙ୍କ ପ୍ରତି ହେଉଥିବା ହିଂସା ଖବର ଜିଲ୍ଲା ପ୍ରଶାସନର ନଜରକୁ ଆଣିବା ପ୍ରଥମ ଖବରଦାତାଙ୍କୁ ୫୦ ହଜାର ଟଙ୍କା ଅର୍ଥରାଶି ପୁରସ୍କାର ସ୍ୱରୂପ ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ଆଜିର ଦିନରେ ଘୋଷଣା କରିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରେଖା ସୁନ୍ଦରୀ ମଲ୍ଲିକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଉତ୍ସବରେ ସେ ପ୍ରାରମ୍ଭିକ ଭାଷଣ ପ୍ରଦାନ ପରେ ଅତିରେିକ୍ତ ଜିଲ୍ଲାପାଳ ତଥା ସମ୍ମ୍‌ାନିତ ଅତିଥି ଶ୍ରୀମତି ଖେସ୍ ନାରୀ ଜାଗରଣର ବିଭିନ୍ନ ଦିଗରେ ଆଲୋକପାତ କରିଥିଲେ । ଜିଲ୍ଲା ମଙ୍ଗଳ ଅଧିକାରୀ ପରିକ୍ଷିତ ଦାଶ, ଶିଶୁ କଲ୍ୟାଣ କମିଟି ସଦସ୍ୟା ସି. ଏଚ୍‌. ଜ୍ୟୋତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବ୍ରତ କୁମାର ଶଡଙ୍ଗୀ, ଶିଶୁ ବିକାଶ ଯୋଜନା ଅଧିକାରୀ ଛତ୍ରପୁର କ୍ରିଷ୍ଣା କୁମାରୀ ନନ୍ଦ, ଶିଶୁ ବିକାଶ ଯୋଜନା ଅଧିକାରୀ ଗଞ୍ଜାମ ସଲିଳା ପ୍ରଧାନ, ଶିଶୂ ବିକାଶ ଯୋଜନା ଅଧିକାରୀ କୁକୁଡାଖଣ୍ଡି କୁସୁମ ସାହୁ ପ୍ରମୁଖ ଆନ୍ତର୍ଜାତୀୟ ମହିଳା ଦିବସ ପାଳନର ତାତ୍ପର୍ଯ୍ୟ ଏବଂ ଆବଶ୍ୟକତା ଦିଗରେ ନିଜ ନିଜ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଶିଶୁ ବିକାଶ ଯୋଜନାରେ କାର୍ଯ୍ୟରତ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ପୁରସ୍କୃତ କରାଯାଇଥିଲା । ଶ୍ରେଷ୍ଠ ଶିଶୁ ବିକାଶ ଯୋଜନା ଅଧିକାରୀ ତଥା ବାଲ୍ୟ ବିବାହ ନିରୋଧ ଅଧିକାରୀ ଗଞ୍ଜାମ ସଲିଳା ପ୍ରଧାନ ଏବଂ କବିସୂର୍ଯ୍ୟନଗର ଶିଶୁ ବିକାଶ ଯୋଜନା ଅଧିକାରୀ ବିଣାପାଣି ମିଶ୍ରଙ୍କୁ ୫ ହଜାର ଲେଖାଁଏ ଅର୍ଥରାଶି ସହ ସମ୍ମାନିତ କରାଯାଇଥିଲା । ସେହିଭଳି ଶ୍ରେଷ୍ଠ ସୁପରଭାଇଜର ଏବଂ ଶିଶୁ ବିକାଶ ରୋକିବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ଯୋଗୁଁ ଆଇସିଡିଏସ ସୁପରଭାଇଜର ପୁରୁଷୋତ୍ତମପୁର ଶୈଳବାଳା ଦାସଙ୍କୁ ୫ ହଜାର ଏବଂ ଶ୍ରେଷ୍ଠ ଅଙ୍ଗନବାଡି କର୍ମୀ ତଥା ଶିଶୁ ବିବାହ ରୋକିବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ଯୋଗୁଁ ଦିଗପହଣ୍ଡି ବ୍ଲକର ଆଙ୍କରୋଡା ୧ ର ପି. ବିଜୟଲକ୍ଷ୍ମୀ ଦୋରାଙ୍କୁ ୫ ହଜାର ଅର୍ଥରାଶି ସହ ସମ୍ମାନିତ କରାଯାଇଥିଲା । କିଶୋରୀ ସଖି ଭାବେ କୁକୁଡାଖଣ୍ଡି ବ୍ଲକ ନାଇଡୁପଲ୍ଲୀ ଗ୍ରାମର ସୁରଭୀ ନାୟକ ଏବଂ ପୁରୁଷୋତ୍ତମପୁର ବ୍ଲକ ଭାଟକୁମରଡା ଗ୍ରାମର ରାମେଶ୍ୱରୀ ସ୍ୱାଇଁଙ୍କୁ ୨୫୦୦ ଟଙ୍କା ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ସେହିଭଳି ଗଞ୍ଜାମ ବ୍ଲକର ଆର. ଜଗନ୍ନାଥପୁର ଗ୍ରାମର ଆର୍‌. ଦିଲୁ ରେଡ୍ଡିଙ୍କୁ କିଶୋର ସଖା ଭାବେ ଏବଂ ଛତ୍ରପୁର ବ୍ଲକର ହରିଆପଲ୍ଲୀ ଗ୍ରାମର ଦିନେଶ ପ୍ରଧାନଙ୍କୁ କିଶୋର ବନ୍ଧୁ ଭାବେ ୨୫୦୦ ଟଙ୍କା ଲେଖାଁଏ ଅର୍ଥରାଶି ସହ ସମ୍ମାନିତ କରାଯାଇଥିଲା । କୋଭିଡ୍ ସମୟରେ ଉତ୍ତମ ମାନର ସେବା ପ୍ରଦାନ କରାଯାଇଥିବା ହେତୁ ହିଞ୍ଜିଳି ବ୍ଲକର ବାଲୁଙ୍କେଶ୍ୱରୀ ସ୍ୱୟଂ ସହାୟିକା ଗୋଷ୍ଠୀ, ସାନଖେମୁଣ୍ଡି ବ୍ଲକର ମା ପାର୍ବତୀ ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ସୋରଡା ବ୍ଲକର ଶ୍ରୀ ଗଣେଷ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ୧୫ ହଜାର ଟଙ୍କା ଲେଖାଁଏ ଅର୍ଥରାଶି ସହ ସମ୍ମାନିତ କରାଯାଇଥିଲା । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଉତ୍ସବରେ ଏକ୍ସନ ଏଡ୍ ର ଜିଲ୍ଲା ସଂଯୋଜକ ଦେବବ୍ରତ ମାହୁନ୍ତ ସମସ୍ତ ପ୍ରକାର ସୁପରିଚାଳନା କରିଥିବା ବେଳେ ମହିଳା ଓ ଶିଶୁ ସୁରକ୍ଷା ଅଧିକାରୀ ସଙ୍ଗୀତା ପାତ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ, ମିଶନ ଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ ସାଶ୍ୱତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ