ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଶ୍ରମିକ ଦିବସ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) :-କୃଷକ ଓ ଶ୍ରମିକ ଦେଶର ମେରୁଦଣ୍ଡ, ଏମାନଙ୍କର ନିସ୍ବାର୍ଥପର ଶ୍ରମ ଦାନ ଯୋଗୁଁ ଆଜି ଭାରତ ଶ୍ରେଷ୍ଠ ଅର୍ଥନୀତିରେ ନିଜର ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରିଛି ବୋଲି ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ଅତିଥିଗଣ ଜଣାଇଥିଲେ । ଛତ୍ରପୁର ସଦର ମହକୁମା ଠାରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ସଂସ୍କୃତି ଭବନ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଶ୍ରମିକ ଦିବସ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳୀ ସ୍ବାଇଁ, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ ମଞ୍ଚାସୀନ ରହି ଶ୍ରମିକ ମାନଙ୍କ ଅତୁଳନୀୟ ଅବଦାନର ଭୂୟସୀ ପ୍ରଶଂସା କରିଥିଲେ । ବ୍ରହ୍ମପୁର ସାଂସଦ ଶ୍ରୀ ସାହୁ ନିଜ ବକ୍ତବ୍ୟରେ ଅବଗତ କରାଇଥିଲେଯେ, ଦେଶର ଅର୍ଥନୀତିକୁ ସୁଦୃଢ କରିବା ଦିଗରେ ଉଭୟେ କୃଷକ ଓ ଶ୍ରମିକ ମାନଙ୍କ ଅବଦାନ ଅତୁଳନୀୟ । ଶ୍ରମିକ ଗଣ ଦେଶ ପ୍ରଗତିର ମୂଳଦୁଆ ଅଟନ୍ତି । ଏଣୁ ସେମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବା ପ୍ରତ୍ୟେକ ଦେଶବାସୀଙ୍କର କର୍ତ୍ତବ୍ୟ ରହିଛି । ସମସ୍ତ ମାନ୍ୟଗଣ୍ୟ ଅତିଥି ଗଣ ଶ୍ରମିକ ମାନଙ୍କ ମଙ୍ଗଳ ନିମନ୍ତେ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇ ଶ୍ରମିକ ମାନଙ୍କ ନିରାପତ୍ତା, କର୍ମସ୍ଥଳରେ ଶ୍ରମିକ ମାନଙ୍କ ସକାଶେ ଉତ୍ତମ ପରିବେଶର ଆବଶ୍ୟକତା ତଥା ସେମାନଙ୍କର କଲ୍ୟାଣ ଦିଗରେ ଦୃଷ୍ଟି ଦେବାକୁ ଜଣାଇଥିଲେ । ଶ୍ରମିକଗଣ ସମାଜରେ ସମ୍ମାନର ସହ ବଞ୍ଚିବାର ଅଧିକାର ରହିଛି । ଏଣୁ ସେହି ଦିଗରେ ପ୍ରତ୍ୟେକେ ଯତ୍ନବାନ ହେବା ଆବଶ୍ୟକ ବୋଲି ଅତିଥି ଗଣ ନିଜନିଜ ବକ୍ତବ୍ୟରେ ଅବଗତ କରାଇଥିଲେ । ବ୍ରହ୍ମପୁର ଜିଲ୍ଲା ଶ୍ରମ ଅଧିକାରୀ ବାବୁ ଚରଣ ପାତ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଶ୍ରମିକ ମାନଙ୍କ କଲ୍ୟାଣ ସକାଶେ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ ବିଷୟରେ ଅବଗତ କରାଇଥିଲେ । ଛତ୍ରପୁର ଜିଲ୍ଲା ଶ୍ରମ ଅଧିକାରୀ ନରେନ୍ଦ୍ର କୁମାର ଗାଇପାଇ ଶ୍ରମିକ ମାନଙ୍କ ପରିଚୟ ପତ୍ର ଓ ବିଭିନ୍ନ ଆର୍ଥକ ସହାୟତା ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଶ୍ରମ ବିଭାଗ ପକ୍ଷରୁ ୧୦୦ ଜଣ ହିତାଧିକାରୀଙ୍କୁ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଆନୁକୂଲ୍ୟରେ ପରିଚୟ ପତ୍ର ପ୍ରଦାନ କରାଯାଇଥିବା ବେଳେ ଓଡିଶା ଅଣ ସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧିନରେ ୧୦୦ ଜଣ ଶ୍ରମିକ ହିତାଧିକାରୀଙ୍କୁ ପରିଚୟପତ୍ର ବଣ୍ଟନ କରାଯାଇଥିଲା । ସେହିପରି ୧୪୪ ଜଣ ଶ୍ରମିକ ହିତାଧିକାରୀଙ୍କ ପିଲାଙ୍କ ଶିକ୍ଷା ସକାଶେ ୬ ଲକ୍ଷ ୫୯ ହଜାର ଆର୍ଥିକ ସହାୟତା, ୩୭୫ ଜଣ ହିତାଧିକାରୀଙ୍କ ଝିଅ ବିବାହ ସକାଶେ ୧ କୋଟି ୭୭ ଲକ୍ଷ ଆର୍ଥିକ ସହାୟତା, ଶ୍ରମିକ ମୃତ୍ୟୁ ଜନିତ ୪୯ ଜଣ ହିତାଧିକାରୀଙ୍କୁ ୮୭ ଲକ୍ଷ ଟଙ୍କା , ଅନ୍ତ୍ୟେଷ୍ଟିକ୍ରିୟା ବାବଦକୁ ୪୯ ଜଣ ହିତାଧିକାରୀଙ୍କୁ ୨ ଲକ୍ଷ ୪୫ ହଜାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ବେଳେ ଶ୍ରମିକ ମାନଙ୍କ ୩୫ ଜଣ ଗର୍ଭବତୀ ମହିଳାଙ୍କୁ ୧୧ ଲକ୍ଷ ୫୦ ହଜାର ଟଙ୍କା ଏହିଭଳି ଜିଲ୍ଲାର ସମୁଦାୟ ୬୫୨ ଶ୍ରମିକ ହିତାଧିକାରୀଙ୍କୁ ସମୁଦାୟ ୨ କୋଟି ୮୪ ଲକ୍ଷ ୫୪ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ବାରା ଛତ୍ରପୁର ଖବର କାରଜ ବିତରକ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପରିଚୟ ପତ୍ର ପ୍ରଦାନର ଶୁଭାରମ୍ଭ କରାଯାଇଥିଲା । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ସଭାକାର୍ୟ୍ୟ ପରିଚାଳନା କରିଥିବା ବେଳେ, ଶ୍ରମ ବିଭାଗର ଉଭୟ ଛତ୍ରପୁର ଓ ବ୍ରହ୍ମପୁରର କର୍ମକର୍ତ୍ତାଗଣ ଏବଂ ଛତ୍ରପୁରର ବରିଷ୍ଠ ସାମ୍ବାଦିକ ଗଣ ଯୋଗ ଦେଇଥିଲେ ।