ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଯାପିତ

ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର):ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଛଉ ପଡିଆ ଠାରେ ଜାନୁଆରୀ ୩ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଇଥିବା ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆଜି ଉଦଯାପିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ, ଉଦଳା ଶ୍ରୀ ଭାସ୍କର ଚନ୍ଦ୍ର ମଢେଇ, ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଜ୍ଞାନ ବଲ୍ଲଭ ଦାସ, କୃଷି ନିର୍ବାହୀ ଯନ୍ତ୍ରୀ ଶ୍ରୀନିବାସ ପୃଷ୍ଟି, ଜିଲ୍ଲା ବିକାଶ ପରିଚାଳକ, ନାବାର୍ଡ ଶ୍ରୀ ସ୍ମାରକ ମହାନ୍ତି, ଓଡ଼ିଶା ଏଗ୍ରୋ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନ୍ ଅଧ୍ୟକ୍ଷ ଶ୍ରୀ ପ୍ରଫୁଲ୍ଲ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ତଥା ବିଧାୟକ ଶ୍ରୀ ମଢେଇ ଆଧୁନିକ ଜ୍ଞାନ କୌଶଳ ଓ କୃଷି ଯନ୍ତ୍ରପାତିର ବ୍ୟବହାର ମାଧ୍ୟମରେ ଚାଷୀ ମାନେ ଚାଷ କ୍ଷେତ୍ରରେ ଉନ୍ନତି କରିପାରିବେ ବୋଲି କହିଥିଲେ।। ବର୍ତ୍ତମାନର ସମୟରେ ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ପ୍ରଶିକ୍ଷିତ କରି କୃଷି କ୍ଷେତ୍ରରେ ମନୋନିବେଶ କରିବାକୁ ପରାମର୍ଶ ଦେଇଥିଲେ। ମିଲେଟ ମିଶନ, ବାୟୋଟେକ୍ନୋଲୋଜି ଦ୍ବାରା କୃଷିର ଉନ୍ନତିକରଣ ନିମନ୍ତେ ଉପଦେଶ ଦେଇଥିଲେ। କୃଷକକୁ ସମାଜର ଅନ୍ନଦାତା ବୋଲି ଶ୍ରୀ ମଢେଇ କହିଥିଲେ ଓ କୃଷି ଯାନ୍ତ୍ରିକୀକରଣ ଦ୍ବାରା ଚାଷ ର ଉନ୍ନତି ହେବା ସଙ୍ଗେ ସଙ୍ଗେ ସେମାନଙ୍କର ଅଭିବୃଦ୍ଧି ଘଟିବ ବୋଲି ପ୍ରକାଶ କରିଥିଲେ।
ଜିଲ୍ଲାପାଳ ଶ୍ରୀ ସୟ ମୟୂରଭଞ୍ଜକୁ କୃଷି ସଂଭାବନା ଜିଲ୍ଲା ଭାବେ ଅଭିହିତ କରି ନୂତନ ବୈଷୟିକ ଜ୍ଞାନ କୌଶଳ ଓ କୃଷି ଯନ୍ତ୍ରପାତିର ବ୍ୟବହାର ପୂର୍ବକ ଜିଲ୍ଲାକୁ କୃଷିରେ ଅଗ୍ରଣୀ କରିବାକୁ ଚେଷ୍ଟା କରିବାକୁ କହିଥିଲେ। କୃଷକ ବନ୍ଧୁ ମାନଙ୍କୁ କୃଷି ଭିତ୍ତିକ ଜ୍ଞାନ କୌଶଳ ପ୍ରଶିକ୍ଷଣ ଦେବା ଉପରେ ଗୁରୁତ୍ବ ଦେଇଥିଲେ। ଜିଲ୍ଲାପାଳ, ଯାନ୍ତ୍ରିକିକରଣ ଓ ବୈଷୟିକ ଜ୍ଞାନ କୌଶଳର ପ୍ରୋତ୍ସାହନ କୃଷି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିବ ବୋଲି କହିଥିଲେ। ଏହାଛଡା ମଣ୍ଡି ମାନଙ୍କରେ ଆରମ୍ଭ ହୋଇଥିବା ଧାନ ସଂଗ୍ରହ ନିମନ୍ତେ ପ୍ରଶାସନର ବ୍ୟାପକ ପ୍ରସ୍ତୁତି ସମ୍ପର୍କରେ ବୁଝାଇଥିଲେ। ଏଥିସହିତ ଏହି କୃଷି ଯନ୍ତ୍ରପାତି ମେଳାରେ ୧ କୋଟି ୩୧ ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ୱ ବୈଷୟିକ ଯନ୍ତ୍ରପାତିମାନ ବିକ୍ରି ହୋଇଛି ବୋଲି ଜିଲ୍ଲାପାଳ କହିଥିଲେ ଏବଂ ନିଜର ସନ୍ତୁଷ୍ଟି ବ୍ୟକ୍ତ କରିଥିଲେ। ଏହାଛଡା, ଜିଲ୍ଲାରେ ଆରମ୍ଭ ହୋଇଥିବା ଷ୍ଟ୍ରବେରି ଚାଷର ସଫଳତା ପାଇଁ ଜିଲ୍ଲାପାଳ ସମସ୍ତ ଜିଲ୍ଲାବାସୀ ଏବଂ ବିଶେଷ କରି ସଫଳ ଚାଷୀଙ୍କୁ ସାଧୁବାଦ ଦେଇଥିଲେ। ନିମନ୍ତ୍ରିତ ଅତିଥି ମାନେ ଅଗ୍ରଣୀ ଚାଷୀ ଭାବେ ଗୋପବନ୍ଧୁ ନଗରର ଟିଟନ କୁମାର ପରିଡା, ଶୁଳିଆପଦାର ସୁବ୍ରତ କୁମାର ପତି, ମୋରଡାର ବିବେକାନନ୍ଦ ଦତ୍ତ ଓ କୁସୁମୀର ଗୋବିନ୍ଦ ଚନ୍ଦ୍ର ସୋରେନଙ୍କୁ ପୁରସ୍କାର ରାଶି ପ୍ରଦାନ କରିଥିଲେ। ଏହି ଉଦଯାପନୀ ସଭାରେ ପଞ୍ଚାୟତିରାଜ ଅନୁଷ୍ଠାନର କର୍ମକର୍ତ୍ତା, ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଚାଷୀ, ଏନଜିଓର କର୍ମକର୍ତ୍ତା,ବିଭାଗୀୟ ଅଧିକାରୀ, ସହରର ବୁଦ୍ଧଜୀବୀ ଏବଂ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ଏହି ମେଳାରେ ଗତ ୪ ଦିନ ଧରି ଉନ୍ନତ କୃଷି ଯନ୍ତ୍ରପାତିର ପ୍ରଦର୍ଶନ ଓ ବିକ୍ରୟ, ସରକାରୀ ଆର୍ଥିକ ସହାୟତାର ସଚେତନତା ସହ ଅଗ୍ରଣୀ ଚାଷୀ ଙ୍କୁ ସମ୍ବର୍ଦ୍ଧନା, କୃଷକ ପରିଭ୍ରମଣ, ବୈଷୟିକ ଅଧିବେଶନ ସହ କୃଷକ ବୈଜ୍ଞାନିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଆଜିର ସଭାରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଦାସ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ, କୃଷି ଉପନିର୍ଦ୍ଦେଶିକା ସୁଶ୍ରୀ ମଧୁସ୍ମିତା ଜେନା ସଭା ସଂଚାଳନ କରିଥିଲେ ଏବଂ ଅତିରିକ୍ତ କୃଷି ଅଧିକାରୀ ଶ୍ରୀ ସୁଧାଂଶୁ ଶେଖର ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ