ଜିଲ୍ଲା ସ୍ତରୀୟ ଧାନମଣ୍ଡି ଉଦ୍‌ଘାଟିତ

କେନ୍ଦ୍ରାପଡା – ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଆନୁକୁଲ୍ୟରେ ଶୁକ୍ରବାର ପୂର୍ବାହ୍ନରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୁତୁରଙ୍ଗ ପ୍ରାଥମିକ କୃଷି ସମବାୟ ସମିତିରେ ଜିଲ୍ଲା ସ୍ତରୀୟ ଧାନମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଧାନମଣ୍ଡିକୁ ତାଙ୍କ ଉପସ୍ଥିତିରେ ଜଣେ ଚାଷୀଙ୍କ ହାତରେ ଉଦ୍‌ଘାଟନ କରାଇଥିଲେ । ଏହି ଉପଲକ୍ଷେ  ଯୋଗାଣ ଅଧିକାରୀ ରଜନୀକାନ୍ତ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀ ବର୍ମା କହିଥିଲେ ଯେ ଚାଷୀ ମଣ୍ଡିରେ ଧାନଦେବାର ୨୪ଘଂଟା ମଧ୍ୟରେ ଯେପରି ତା’ର ବ୍ୟାଙ୍କ ଆକାଉଂଟକୁ ଅର୍ଥ ଟ୍ରାନ୍ସଫର କରାଯାଏ ସେଥିପ୍ରତି ଧ୍ୟାନଦେବାକୁ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ନିକଟରେ ପ୍ୟାକ୍ସ ଅଧିକାରୀମାନଙ୍କ ଏକ କର୍ମଶାଳା ଅନୁଷ୍ଠିତ ହୋଇ ସେମାନଙ୍କୁ ଧାନମଣ୍ଡି କିଭଳି ସ୍ୱଛ ଓ ଦୁର୍ନିତିମୁକ୍ତ ଭାବରେ ଚଳାଇବେ ସେ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ । ସଠିକ ଭାବରେ ଧାନମଣ୍ଡି ଯେଭଳି ଚାଲିବ ଓ ଚାଷୀମାନେ ଧାନ ବିକ୍ରୟ କରି ସେମାନଙ୍କ ପ୍ରାପ୍ୟ ଠିକ ସମୟରେ ପାଇପାରିବେ ଓ ମଣ୍ଡିରେ ଚାଷୀଙ୍କ ଧାନ ଗଦାହୋଇ ବର୍ଷାରେ ନଷ୍ଟ ନହେବ ସେଥି ପ୍ରତି ଆବଶ୍ୟକ ସହଯୋଗ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲାର ମିଲରଙ୍କ ସମେତ ଜିଲ୍ଲା ବାହାରୁ ମଧ୍ୟ ମିଲରଙ୍କୁ ଧାନ କିଣିବା ପାଇଁ ଡକାଯାଇଥିବା ସେ ସୂଚନା ଦେଇଥିଲେ । ଉପଜିଲ୍ଲାପାଳ ତଥା ନିୟନ୍ତ୍ରିତ ବଜାର କମିଟିର ସଭାପତି ଜ୍ୟୋତିଶଙ୍କର ମହାପାତ୍ର ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ନୀତି ନୀୟମରେ ଧାନମଣ୍ଡି ଚାଲିବ ଏବଂ କ୍ୱାଲିଟି ଆନାଲିସିସ ସବୁ ମଣ୍ଡିରେ ରହିବ ବୋଲି ମତବ୍ୟକ୍ତ କରିଥିଲେ ।ଏଥିସହିତ ଚାଷୀମାନେ ଏପ.କ୍ୟୁ.ମାନର ଧାନ ବୀକ୍ରୟ ପାଇଁ ମଣ୍ଡିକୁ ଆଣିବାକୁ ସେ ପରାମର୍ଶ ଦେଇଥିଲେ । ସମବାୟ ସମିତିର ସହକାରୀ ନିବନ୍ଧକ ଅଶୋକ କୁମାର ବେହେରା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ ସହିତ ଧାନମଣ୍ଡି ସମ୍ପର୍କରେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ କେନ୍ଦ୍ରାପଡା ଶାଖାର ପରିଚାଳକ ରବିନ୍ଦ୍ର କୁମାର ବିଶ୍ୱାଳ, କୁତୁରଙ୍ଗ ସରପଂଚ ସୀତାସୁନ୍ଦରୀ ମଲ୍ଲିକ, ନିୟନ୍ତ୍ରିତ ବଜାର କମିଟିର ଉପସଭାପତି ବିଜୟ କୁମାର ପରିଡା, ସମ୍ପାଦକ ଅଜୟ କୁମାର ରାଉତ, ସମିତି ସଭାପତି ଶସ୍ମିତା ସାହୁ, ସମ୍ପାଦକ ଚିତରଞ୍ଜନ ଦାସ, ସମବାୟ ଇନିସପେକ୍ଟର ସଚିଦାନନ୍ଦ ଜେନା, ଅପର୍ଣ୍ଣା ଶତପଥୀ, ରଜତ କୁମାର ପାଣି, ସମିତି ଉପସଭାପତି ସଞ୍ଜୀବ କୁମାର ସାହୁ, ନିର୍ଦେଶକ ଅଜୟ କୁମାର ସ୍ୱାଇଁ, କଳ୍ପତରୁ ଜେନା, ଅନୁସୁୟା ମହାନ୍ତି, ସଂଯୁକ୍ତା ମଲ୍ଲିକ, ପ୍ରକାଶ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ