ଜିଲ୍ଲା ସ୍ତରୀୟ ପଂଚାୟତିରାଜ ଓ ଲୋକସେବା ଦିବସ ସମାରୋହ
କେନ୍ଦ୍ରାପଡା, (ଚିତ୍ତରଂଜନ ଦାସ) ଜିଲ୍ଲା ସ୍ତରୀୟ ପଂଚାୟତିରାଜ ଓ ଲୋକସେବା ଦିବସ ସମାରୋହ – ୨୦୨୧ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟାର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ପରିଡା ବିଜୁ ପଟ୍ଟନାୟକଙ୍କୁ ଅଦ୍ୱିତୀୟ ନେତା ଭାବରେ ସମ୍ବୋଧନକରି ବିଜୁ ପଟ୍ଟନାୟକଙ୍କ ଅମର ଆତ୍ମା ଅମର ରହେ ବାର୍ତ୍ତା ଜିଲ୍ଲାବାସୀଙ୍କ ଉଦେଶ୍ୟରେ ଉଦବୋଧନ ଦେଇଥିଲେ । ସେହିପରି ପଂଚାୟତିରାଜ ବ୍ୟବସ୍ଥାକୁ ଉନ୍ନତି କଳ୍ପେ ସମସ୍ତେ ନିଜ ନିଜର କର୍ତ୍ତବ୍ୟ ପାଳନ କରିବାକୁ ଆହ୍ୱାନ ଦେଇ କେନ୍ଦ୍ରାପଡାରେ ରାଜ୍ୟ ସରକାରଙ୍କ ୫୦ହଜାର କୋଟି ଟଙ୍କାର ଇସ୍ପାତ କାରାଖାନା ନିର୍ମାଣ ରାଜିନାମାକୁ ମୁଖ୍ୟ ଅତିଥି ଜିଲ୍ଲାବାସୀଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଜିଲ୍ଲାପାଳ ଶ୍ରୀ ଋତୁରାଜ ତାଙ୍କ ଅଭିଭାଷଣରେ ଓଡିଶା ଇତିହାସ ଓ କେନ୍ଦ୍ରାପଡା ଇତିହାସ ପାଇଁ ଆଜିର ଦିବସ ଗୈାରବମୟ ଦିବସ ବୋଲି ଉତ୍ଥାପନକରି ବିଜୁବାବୁଙ୍କ ଦୁଃସାହସିକ ୩ହଜାର କିଲୋମିଟର ସାଇକେଲ ଯାତ୍ରା ଓଡିଶାକୁ ସ୍ୱାଭିମାନ କରିବାରେ ତାଙ୍କର ଅବଦାନ ତଥା ବିଶ୍ୱ ଇତିହାସରେ ଓଡିଶାକୁ ଉଚ୍ଚ ସ୍ଥାନରେ ପହଁଚାଇବା ଏବଂ ପଂଚାୟତିରାଜ ଶାସନ ବ୍ୟବସ୍ଥା ମାଧ୍ୟମରେ ତୃଣମୂଳସ୍ତରରୁ ଲୋକମାନଙ୍କୁ ସେବା ପ୍ରଦାନ କରିବା ଏବଂ ମହିଳାମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯିବା ପାଇଁ ଯେଉଁ ନେତୃତ୍ୱଧୀନ ସରକାର ସ୍ଥାପନରେ ତାଙ୍କର ଭୂମିକା ଅବିସ୍ମରଣୀୟ ବୋଲି କହି ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଜିଲ୍ଲାପାଳ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଶାସନ ବ୍ୟବସ୍ଥାକୁ ଅଧିକ ସରଳୀକରଣ କରିବା ତଥା ୱାର୍ଡ/ପଂଚାୟତ ସ୍ତରରେ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭକରି ଦିନମଜୁରିଆ ସମସ୍ତଙ୍କୁ ଘରେ ଘରେ ସେବା ଯୋଗାଇବା ନିମନ୍ତେ “ମୋ ସେବା କେନ୍ଦ୍ର” ଏବଂ “ଓଡିଶା ୱାନ ପୋର୍ଟାଲ”ର ବିଜୁ ଜୟନ୍ତୀ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଉତ୍ସର୍ଗ ଏବଂ କେନ୍ଦ୍ରାପଡା ଜିଲ୍ଲା ପାଇଁ ୫୦ହଜାର କୋଟି ବ୍ୟୟ ଅଟ୍ଟକଳରେ ଇସ୍ପାତ କାରାଖାନା ନିର୍ମାଣ ଜିଲ୍ଲା ପାଇଁ ନିଶ୍ଚିତ ଭାବେ ଗୈାରବମୟ ଇତିହାସ ବୋଲି ଜିଲ୍ଲାପାଳ କହି ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ଏବଂ ଏହା ଜିଲ୍ଲାରେ ଦ୍ରୁତ ଶିଳ୍ପାୟନ ବିକାଶ, ନିଯୁକ୍ତି ସୃଷ୍ଟି ଓ ସ୍ୱପ୍ନ ସାକାର କରିବାରେ ସହାୟ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲ୍ଲିପ କୁମାର ପରିଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ଜିଲ୍ଲା ପରିଷଦ ସଭ୍ୟ ଗଣେଶ ଚନ୍ଦ୍ର ସାମଲ, ସନ୍ତୋଷ କୁମାର ଜେନା, ରବୀନ୍ଦ୍ର ନାଥ ସେଠୀ ଓ ଦେବାଶିଷ ଦାସ ପ୍ରମୁଖ ଜିଲ୍ଲାର ମାତ୍ର ୪ଜଣ ଜିଲ୍ଲା ପରିଷଦ ସଦସ୍ୟ ଯୋଗଦେଇ ସ୍ୱର୍ଗତ ପଟ୍ଟନାୟକଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରି ବକ୍ତବ୍ୟ ରଖିଥିଲେ । ଶେଷରେ ଏପିଡି (ପ୍ରଶାସନ) ମନ୍ଦରଧର ମାହାଳି ଧନ୍ୟବାଦ ଅର୍ପଣ କରିଥିଲେ ।


